ବାଇକ୍ ପାର୍କିଂରେ ନକଲି ସିବିଆଇ ଅଧିକାରୀ, ସୁନା ବ୍ୟବସାୟୀଙ୍କୁ ଲଗାଇଥିଲେ ଚୂନ

NEWS7
praise-be-to-naveen

ବ୍ରହ୍ମପୁର ୧୬।୩: ସିବିଆଇ ଅଫିସର କହି ବ୍ରହ୍ମପୁର ରେଳ ଷ୍ଟେସନ ନିକଟରୁ ଜଣେ ବ୍ୟବସାୟୀଙ୍କ ଠାରୁ ୮୬୨ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିଲେ । ଏହି ଘଟଣାରେ ବ୍ରହ୍ମପୁର ଜିଆରପି ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କୁ ନିକଟରୁ ୮୮ ଗ୍ରାମ ସୁନା ଅଳଙ୍କାର ଉଦ୍ଧାର କରିଛି ପୋଲିସ । ଘଟଣାରେ ସମ୍ପୃକ୍ତ ଅନ୍ୟ ୫ ଜଣ ଫେରାର ଅଛନ୍ତି ।

ବ୍ରହ୍ମପୁର ରେଳ ଷ୍ଟେସନ ବାହାରେ ନକଲି ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇ ଜଣେ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୧ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ । ଆନ୍ତଃରାଜ୍ୟ ଠକ ଦଳର ୩ ସଦସ୍ୟଙ୍କୁ ବ୍ରହ୍ମପୁର ରେଳବାଇ ପୋଲିସ ଓ ଆରପିଏଫ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ୧୪ ଲକ୍ଷ ୮୦ ହଜାର ଟଙ୍କାର ସୁନା ଅଳଙ୍କାର ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାଜସ୍ଥାନ ବାଲୋତ୍ରାର ନରେନ୍ଦ୍ର କୁମାର ଓରଫ ପ୍ରଜାପତି, ପୁନମ ଚାନ୍ଦ ଓ ପାଲି ଅଞ୍ଚଳର ଜିତୁ ଚୌଧୁରୀ । ଏହି ମାମଲାରେ ଆହୁରି ୫ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ବୋଲି ଜିଆରପି ଏସଡିଆରପିଓ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି । ​

ଗତ ଫେବୃଆରୀ ମାସ ୨୫ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ବିଶାଖାପାଟଣାର ସୁନା ବ୍ୟବସାୟୀ ହସମୁଖ ଜୈନ ଏବଂ ତାଙ୍କର ଜଣେ ସହଯୋଗୀ କୋଣାର୍କ ଏକ୍ସପ୍ରେସରୁ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଥିଲେ । ବାଇକ୍ ପାର୍କିଂ ନିକଟକୁ ଯାଉଥିବା ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ସେମାନଙ୍କୁ ଅଟକାଇଥିଲେ । ହସମୁଖଙ୍କ ବ୍ୟାଗ୍ ଯାଞ୍ଚ କରିବା ବାହାନାରେ ସେମାନେ ବଳପୂର୍ବକ ୩୩ ପ୍ରକାରର ସୁନା ଅଳଙ୍କାର ଓଜନ ପ୍ରାୟ ୮୬୨ ଗ୍ରାମ, ଦୁଇଟି ମୋବାଇଲ୍ ଫୋନ୍ ଏବଂ ଜରୁରୀ କାଗଜପତ୍ର ଥିବା ବ୍ୟାଗଟିକୁ ଲୁଟି ନେଇ ଫେରାର ହୋଇଯାଇଥିଲେ । ଘଟଣାର ଅଧିକ ତଦନ୍ତ ଚାଲୁଥିବା କହିଛନ୍ତି ଜିଆରପି ଏସଡିଆରପି ଓ ଜଗନ୍ନାଥ ମଲ୍ଲିକ । ସେପଟେ ଏଭଳି କାରନାମାକୁ ସ୍ୱୀକାର କରିଛି ଅଭିଯୁକ୍ତ ।  ପ୍ରଥମ ଥର ପାଇଁ ଏଭଳି କାମ କରିଛି ବୋଲି ଅଭିଯୁକ୍ତ କହିଛି । ଲୁଟେରା ଗ୍ୟାଙ୍ଗ ୪ ଲକ୍ଷ ଟଙ୍କା ଦେବାକୁ କହିଥିବାରୁ ଏମିତି ଅପରାଧ କରିଥିବା କହିଛି ।