ହୋର୍ଡିଂ ପଡ଼ି ୨ ଜଣଙ୍କ ଜୀବନ ଯିବା ପରେ ଚେତିଲା BMC, ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ

NEWS7
police-seized-iron-ore-truck-and-arreseted-3-person

ଭୁବନେଶ୍ଵର: ରାଜଧାନୀରେ ହୋର୍ଡିଂ ପଡ଼ି ୨ଜଣଙ୍କ ଜୀବନ ଯିବା ପରେ BMCର ପସିଲା ଚେତା । ଭୁବନେଶ୍ବରରେ ଆରମ୍ଭ ହୋଇଛି ବେଆଇନ୍ ଓ ଅସୁରକ୍ଷିତ ହୋର୍ଡିଂ ଉଚ୍ଛେଦ ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏମ୍ସ୍ ହସ୍ପିଟାଲ ରୋଡରେ ଥିବା ହୋର୍ଡିଂ ଗୁଡ଼ିକୁ କାଟି ବାହାର କରିବା କାର୍ଯ୍ୟ ଆରମ୍ଭ ହୋଇଛି । ରାଜଧାନୀରେ ୧୧ଶହରୁ ଅଧିକ ହୋର୍ଡିଂ ଥିବା ବେଳେ ସେଥିରୁ ୧୯୦ଟି ହୋର୍ଡିଂର କେହି ଦାବିଦାର ନଥିବା ଜଣାପଡ଼ିଛି । ସେପଟେ ଭୁବନେଶ୍ବରରେ ଅଘଟଣକୁ ଦେଖି ଚେତିଛି କଟକ ମହାନଗର ନିଗମ । କଟକରେ ଥିବା ଅସୁରକ୍ଷିତ ହୋର୍ଡିଂ ଚିହ୍ନଟ ସହ ସେଗୁଡ଼ିକୁ ହଟାଇବା ପାଇଁ ଦିଆଯାଇଛି ନିର୍ଦ୍ଦେଶ ।

ସବୁ ଜାଣି ବି ଚୁପ୍ ବସୁଛି ପ୍ରଶାସନ । ଦୁର୍ଘଟଣା ଘଟିବା ପରେ ଆରମ୍ଭ ହେଉଛି ଆକ୍ସନ । ରାଜଧାନୀରେ ହୋର୍ଡିଂ ପଡ଼ି ୨ ଦୁଇଟି ଅମୂଲ୍ୟ ଜୀବନ ଯିବା ପରେ BMCର ଚେତା ପଶିଛି । ଭୁବନେଶ୍ବରରେ ଆରମ୍ଭ ହୋଇଛି ବେଆଇନ୍ ଏବଂ ଅସୁରକ୍ଷିତ ହୋର୍ଡିଂ ଉଚ୍ଛେଦ ଅଭିଯାନ । ଏଥି ପାଇଁ ଜୋନ୍ଓ୍ବାରୀ ଟିମ୍ ଗଠନ କରିଛି BMC । ୪ଟି ଜୋନ୍ ପାଇଁ ୪ଟିମ୍ ଗଠନ ହୋଇଛି । ରାଜଧାନୀରେ ୧୧ଶହରୁ ଅଧିକ ହୋର୍ଡିଂ ଥିବା ବେଳେ ଏଥି ମଧ୍ୟରୁ ୧୯୦ଟି ହୋର୍ଡିଂର କେହି ଦାବିଦାର ନଥିବା ଜଣାପଡ଼ିଛି । ଅନେକ ହୋର୍ଡିଂର ନା’ ଅଛି ଷ୍ଟ୍ରକ୍ଚରାଲ ସାର୍ଟିଫିକେଟ୍ ନା’ ହେଉଛି ଉପଯୁକ୍ତ ରକ୍ଷଣାବେକ୍ଷଣ। ଏବେ ରାଜଧାନୀରେ ଯୁଦ୍ଧକାଳୀନ ଭିତ୍ତିରେ ବେଆଇନ୍ ଓ ଅସୁରକ୍ଷିତ ହୋର୍ଡିଂ ହଟାଇବାକୁ ପଦକ୍ଷେପ ନେଇଛି BMC । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏମ୍ସ୍ ହସ୍ପିଟାଲ ରାସ୍ତାରେ ଥିବା ହୋର୍ଡିଂ ଗୁଡ଼ିକୁ କାଟି ବାହାର କାରାଯାଉଛି ।

ଭୁବନେଶ୍ବରରେ ଯେତିକି ବେଆଇନ୍ ଓ ଅସୁରକ୍ଷିତ ହୋର୍ଡିଂ କଟାଯିବ ସେଥିରୁ ବାହାରୁଥିବା ଲୁହାକୁ ବିକ୍ରି କରାଯାଇ ସେହି ଟଙ୍କାକୁ ବିଏମସି ପାଖରେ ଜମା କରାଯିବ ବୋଲି କୁହାଯାଇଛି । ତେବେ ଆମର ପ୍ରଶ୍ନ, ରାଜଧାନୀରେ ବେଆଇନ୍ ଓ ଅସୁରକ୍ଷିତ ହୋର୍ଡି ଥିବା ଜାଣି ମଧ୍ୟ ଆଜି ପର୍ଯ୍ୟନ୍ତ ଚୁପ୍ ବସିଥିଲା ବିଏମସି । ଲାଗୁଥିଲା ଯେମିତି ଗୋଟେ ବଡ଼ ଅଘଟଣକୁ ଅପେକ୍ଷା କରିଥିଳେ BMC କର୍ତ୍ତୃପକ୍ଷ । ହୋର୍ଡିଂ ପଡ଼ି ଦୁଇ ଦୁଇଟି ଅମୂଲ୍ୟ ଜୀବନ ଯିବା ପରେ ବିଏମସିର ଚେତା ପଶିଲା । ଆଉ ସେଇଥି ପାଇଁ ହିଁ ବିଏମସି ଏବେ ବେଆଇନ୍ ଓ ଅସୁରକ୍ଷିତ ହୋର୍ଡିଂ ହଟାଇବା ପାଇଁ ପଦକ୍ଷେପ ନେଇଛି । ଏମିତିରେ ଯେତେ ବି ହୋର୍ଡିଂ କଟା ହେବ ତା’ର ଲୁହା ବିକ୍ରି ଟଙ୍କା ବିଏମସି ପାଖରେ ଜମା କରାନଯାଇ ସେଇ ମୃତକଙ୍କ ପରିବାରକୁ ଦିଆଯିବା ଦରକାର ଯେଉଁମାନଙ୍କ ଜୀବନ ଯିବା ପରେ ଆଜି ବିଏମସିର ନିଦ ଭାଙ୍ଗିଲା ।

ସେପଟେ ରାଜଧାନୀର ହୋର୍ଡିଂ ଅଘଟଣକୁ ଦେଖି ଚେତିଛି କଟକ ମହାନଗର ନିଗମ । କଟକ ସହରରେ ଥିବା ସମସ୍ତ ଅସୁରକ୍ଷିତ ହୋର୍ଡିଂ ଚିହ୍ନଟ ସହ ସେଗୁଡ଼ିକୁ ହଟାଇବା ପାଇଁ ଦିଆଯାଇଛି ନିର୍ଦ୍ଦେଶ । ସହରର ଜନଗହଳିପୂର୍ଣ୍ଣ ଅଂଚଳରେ ଯେଉଁ ହୋର୍ଡିଂ ଗୁଡ଼ିକ ରହିଛି ତାକୁ ତୁରନ୍ତ ହଟାଯିବ ବୋଲି କହିଛନ୍ତି ମେୟର ସୁବାସ ସିଂ । ସେହିଭଳି ବାଦାମବାଡ଼ି, ଦୋଳମୁଣ୍ଡାଇ, ରାଣୀହାଟ,କଲେଜ ଛକ ଭଳି ବିଭିନ୍ନ ଅଂଚଳରେ ଲାଗିଥିବା ଶତାଧିକ ହୋର୍ଡିଂର ଯାଞ୍ଚ କରାଯିବା ସହ ଏଗୁଡ଼ିକୁ ହଟାଇବା ପାଇଁ ବ୍ୟବସ୍ଥା କରାଯାଇଛି । ସର୍ଭେ ପରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ସିଏମସି କମିଶନର ।

ବିଏମସି ହେଉ କି ସିଏମସି, ଆଜି ବେଆଇନ୍ ହୋର୍ଡିଂ ହଟାଇବାକୁ ଯେଭଳି ଭାବେ ଆକ୍ସନକୁ ଆସିଛନ୍ତି, ଯଦି ଦୁଇ ଦିନ ପୂର୍ବରୁ ଏଭଳି ପଦକ୍ଷେପ ନେଇଥାନ୍ତେ ତାହେଲେ ବୋଧ ହୁଏ ଦୁଇ ଦୁଇଟି ଜୀବନ ବଞ୍ଚି ଯାଇଥାନ୍ତା । ହେଲେ ଦୁର୍ଭାଗ୍ୟ ସବୁବେଳେ କୌଣସି ନା କୌଣସି ଦୁର୍ଘଟଣା ଘଟିଲେ ଯାଇଁ ଆକ୍ସନକୁ ଆସିଥାଏ ଆମ ବ୍ୟବସ୍ଥା ।