ଭେନେଜୁଏଲା ଉପରେ ଆମେରିକାର ବଡ଼ ଆକ୍ରମଣ, ପ୍ରତିରକ୍ଷା ମନ୍ତ୍ରୀ ଓ ସାମରିକ ଘାଟିକୁ ଟାର୍ଗେଟ୍

NEWS7
police-raid-on-rented-house-seized-ganja-and-bolero

ନୂଆଦିଲ୍ଲୀ: ବିଶ୍ୱରେ ଆଉ ଏକ ଯୁଦ୍ଧର ଆରମ୍ଭ ହୋଇଛି । ଭେନେଜୁଏଲା ଉପରେ ଆମେରିକା ଆକ୍ରମଣ କରିଛି । ଭେନେଜୁଏଲାର ରାଜଧାନୀ କାରାକାସରେ ଥିବା ଏକ ପ୍ରମୁଖ ସାମରିକ ଘାଟି ଉପରେ ଆକ୍ରମଣ ହୋଇଛି । କାରାକାସରେ ଥିବା ନୌସେନା ଘାଟି ଉପରେ ଏହି ଆକ୍ରମଣ ହୋଇଛି । ପେଣ୍ଟାଗନ ନୌସେନା ଘାଟିକୁ ଟାର୍ଗେଟ୍ କରିଥିବା ଜଣାପଡିଛି ।

ଶନିବାର ରାତି ପ୍ରାୟ ୨ଟା ସମୟରେ, ଭେନେଜୁଏଲାର ରାଜଧାନୀ କାରାକାସରେ ଅତି କମରେ ସାତଟି ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା । ସହର ସାରା ଧୂଆଁ ଧୂଆଁ ହୋଇଯାଇଥିଲା । ସ୍କାଇ ନ୍ୟୁଜ୍ ଆରାବିଆ ଦାବି କରିଛି ଯେ ଭେନେଜୁଏଲାର ପ୍ରତିରକ୍ଷା ମନ୍ତ୍ରୀଙ୍କ ଘର ଏବଂ ସାମରିକ ଘାଟିକୁ ଟାର୍ଗେଟ୍ କରାଯାଇଛି ।

ବିସ୍ଫୋରଣ ପରେ, କାରାକାସର ଅନେକ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ବିମାନ ଆକାଶରେ ଉଡ଼ୁଥିବାର ଦେଖାଯାଇଥିଲା । ଭେନେଜୁଏଲା ସରକାର ଏହି ଘଟଣା ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ବିସ୍ଫୋରଣ ଶୁଣି ସହରର ବିଭିନ୍ନ ଅଞ୍ଚଳର ଲୋକମାନେ ଘରୁ ବାହାରି ରାସ୍ତାକୁ ଓହ୍ଲାଇ ଆସିଥିଲେ । କାରାକାସର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ଲୋକଙ୍କୁ ଦେଖିବାକୁ ମିଳିଥିଲା ।

ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଉତ୍ତେଜନା ଲଗାତାର ବୃଦ୍ଧି ପାଉଛି । ଟ୍ରମ୍ପ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି ଯେ ଭେନେଜୁଏଲା ବିରୁଦ୍ଧରେ ଆକ୍ରମଣ କରିବେ । ଏହା ସହିତ ଆମେରିକା ସେନା କାରିବିଆନ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ଡ୍ରଗ୍ସ ଚାଲାଣ ଅଭିଯୋଗରେ ଭେନେଜୁଏଲାର ଅନେକ ଡଙ୍ଗା ଉପରେ ଆକ୍ରମଣ କରିଛି । ଆମେରିକୀୟ ସେନା ଅନୁଯାୟୀ, ଏହି ସାମୁଦ୍ରିକ ଅଭିଯାନରେ ଏପର୍ଯ୍ୟନ୍ତ ଅତି କମରେ ୩୦ଟି ଆକ୍ରମଣରେ ୧୦୭ ଜଣଙ୍କର ମୃତ୍ୟୁ ହୋଇଛି ।

ଟ୍ରମ୍ପ ବାରମ୍ବାର କହିଛନ୍ତି ଯେ ଭେନେଜୁଏଲାରେ ମାଡୁରୋଙ୍କ ଉପରେ ଚାପ ପକାଇବା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ଏବଂ ଏଥିପାଇଁ କଠୋର କଟକଣା ମଧ୍ୟ ଲଗାଇଛନ୍ତି । କିନ୍ତୁ ମାଡୁରୋ ଅପରାଧରେ କୌଣସି ପ୍ରକାର ସମ୍ପୃକ୍ତିକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଆମେରିକା ତାଙ୍କୁ କ୍ଷମତାରୁ ହଟାଇ ଭେନେଜୁଏଲାର ବିଶାଳ ତୈଳ ସଂରକ୍ଷଣ ଏବଂ ଖଣିଜ ସମ୍ପଦ ଉପରେ ପ୍ରବେଶ କରିବାକୁ ଚାହୁଁଛି ।