LIVE TV

ଅନୁଗତଙ୍କୁ ଟିକେଟ୍ ବାଣ୍ଟୁଥିଲେ ଲାଲୁ ଯାଦବ, ରାତି ଅଧରେ ବାପାଙ୍କ ନିଷ୍ପତ୍ତିକୁ ବିରୋଧ କଲେ ତେଜସ୍ୱୀ...

NEWS7
police-come-to-know-that-psycho-killer-is-in-cuttack

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ସରଗରମ ରହିଛି । ଏନ୍‌ଡିଏରେ ଆସନ ବୁଝାମଣା ସରିବା ପରେ ମଙ୍ଗଳବାର ବିଜେପି ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଅନ୍ୟପଟେ କିନ୍ତୁ ବିରୋଧୀ ଇଣ୍ଡିମେଣ୍ଟରେ ଏପର୍ଯ୍ୟନ୍ତ ଆସନ ବୁଝାମଣା ଚୂଡ଼ାନ୍ତ ହୋଇପାରୁ ନାହିଁ । ଆଉ ଏହାରି ଭିତରେ ଆରଜେଡିରେ ଟିକେଟ୍ ବଣ୍ଟାକୁ ନେଇ ବିବାଦ ଦେଖାଦେଲାଣି । ରିପୋର୍ଟ ଅନୁସାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ସୋମବାର ରାତିରେ ତାଙ୍କ ଅତିପ୍ରିୟ ଅନୁଗତମାନଙ୍କୁ ପାର୍ଟି ଟିକେଟ ଦେଇଥିଲେ । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ, ଫୋନ୍ କଲ୍ ପାଇଥିବା ଆଶାୟୀମାନେ ଆସିବା ଆରମ୍ଭ କରିଥିଲେ, ମାତ୍ର କିଛି ମିନିଟ୍ ପରେ ହାତରେ ଦଳୀୟ ଚିହ୍ନ ଏବଂ ହସ ହସ ମୁହଁରେ ବାହାରି ଆସିଥିଲେ ।

ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁ ଛାଡିଥିବା ସୁନୀଲ ସିଂହ ଏବଂ ମାଟିହାନିର ପୂର୍ବତନ ବିଧାୟକ ଥିବା ନରେନ୍ଦ୍ର କୁମାର ସିଂହ ଆଶାୟୀଙ୍କ ମଧ୍ୟରେ ଥିଲେ । ତେବେ ଲାଲୁଙ୍କ ପୁଅ ତେଜସ୍ୱୀ ବାପାଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିବା ଜଣାପଡିଛି । ସେ ମଧ୍ୟରାତ୍ରିରେ ଟିକଟ ବଣ୍ଟନକୁ ବନ୍ଦ କରିଦେଇଥିଲେ ଏବଂ ନେତାମାନଙ୍କୁ ଦଳୀୟ ଚିହ୍ନ ଫେରାଇବାକୁ କହିଥିଲେ ।

ବାପା ଲାଲୁ ପ୍ରସାଦଙ୍କୁ ତେଜସ୍ୱୀ କହିଥିଲେ ଯେ ଚିହ୍ନ ସହ ଦଳୀୟ ପ୍ରାର୍ଥୀଙ୍କ ଫଟୋ ଏବଂ ଭିଡିଓ କ୍ଲିପ୍ ମେଣ୍ଟ ସହଯୋଗୀଙ୍କ ସହ ବୁଝାମଣାକୁ ଜଟିଳ କରିପାରେ । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଲାଲୁ ମେଣ୍ଟ ସହଯୋଗୀଙ୍କ ଅନୁମତି ବିନା ତାଙ୍କ ଦଳର ନେତାମାନଙ୍କୁ ଟିକେଟ ବଣ୍ଟନ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ, କଂଗ୍ରେସ, ଆରଜେଡି ଏବଂ ବାମ ଦଳଗୁଡ଼ିକ ଆସନ ବୁଝାମଣାରେ ପହଞ୍ଚିବା ପୂର୍ବରୁ ସେ ଅନେକ ନେତାଙ୍କୁ ଟିକେଟ ଦେଇଥିଲେ ।

ସୋମବାର ସନ୍ଧ୍ୟାରେ ତେଜସ୍ୱୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ବଣ୍ଟନ ବ୍ୟବସ୍ଥା ଉପରେ ଆଲୋଚନା କରିଥିବା ଜଣାପଡିଛି । ଖଡଗେଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସ ମହାସଚିବ (ସଂଗଠନ) କେସି ଭେଣୁଗୋପାଳ ଏବଂ ବିହାର ପାଇଁ ଦଳର ପ୍ରଭାରୀ କୃଷ୍ଣ ଆଲ୍ଲାଭାରୁ ଉପସ୍ଥିତ ଥିଲେ । ତେଜସ୍ୱୀ ଯାଦବ ପୂର୍ବରୁ ଆଲ୍ଲାଭାରୁ ଏବଂ ଭେଣୁଗୋପାଳଙ୍କ ସହ ଆଲୋଚନା କରିଥିଲେ, ବିହାର କଂଗ୍ରେସ ମୁଖ୍ୟ ରାଜେଶ ରାମ ଏବଂ ବିହାର ବିଧାନସଭାରେ ସିଏଲପି ନେତା ଶକିଲ ଅହମ୍ମଦ ଖାନ ମଧ୍ୟ ଉପସ୍ଥିତ ଥିଲେ ।

ବୁଧବାର ରାଘୋପୁରରୁ ତେଜସ୍ୱୀ ନିଜେ ନାମାଙ୍କନ ପତ୍ର ଦାଖଲ କରିବାର ସମ୍ଭାବନା ରହିଛି । ତେବେ ଏହା ପୂର୍ବରୁ ଇଣ୍ଡି ମେଣ୍ଟ ଆସନ ବୁଝାମଣା ଉପରେ ଆନୁଷ୍ଠାନିକ ଘୋଷଣା କରିପାରେ । ୨୦୨୦ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ଯୋଗୁଁ ଗତ ଥର ତୁଳନାରେ କମ୍ ଆସନ ମିଳିବାର ସମ୍ଭାବନା ଅଛି କଂଗ୍ରେସ ୭୦ ଆସନରେ ଲଢ଼ି ୧୯ରେ ବିଜୟୀ ହୋଇଥିଲା । ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଆରଜେଡି ୧୪୪ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୭୫ରେ ବିଜୟୀ ହୋଇଥିଲା ।

ବିହାର ବିଧାନସଭା ନିର୍ବାଚନ ନଭେମ୍ବର ୬ ଏବଂ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଭୋଟ ଗଣତି ନଭେମ୍ବର ୧୪ରେ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଅକ୍ଟୋବର ୧୦ରେ ଆରମ୍ଭ ହୋଇଛି ।