ଲଦ୍ଦାଖ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦବୀରୁ କବିନ୍ଦର ଗୁପ୍ତାଙ୍କ ଇସ୍ତଫା

NEWS7
pm-narendra-modi-address-ncc-rally-in-delhi

ଲେହ ୫।୩: ଲଦ୍ଦାଖ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) କବିନ୍ଦର ଗୁପ୍ତା ଗୁରୁବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ୧୮ ଜୁଲାଇ ୨୦୨୫ରେ ଲଦ୍ଦାଖ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଶପଥ ଗ୍ରହଣ କରିଥିଲେ ଓ କେନ୍ଦ୍ର ଶାସିତ ପ୍ରଦେଶର ତୃତୀୟ ଏଲଜି ନିଯୁକ୍ତ ହୋଇଥିଲେ । ଏଲଜି ଭାବେ ତାଙ୍କ କାର୍ଯ୍ୟକାଳରେ କେନ୍ଦ୍ରଶାସିତ ପ୍ରଦେଶରେ ଜନଅସନ୍ତୋଷ ବଢିଥିଲା। ଲେହ ଆପେକ୍ସ ବଡି ଓ କାର୍ଗିଲ ଡେମୋକ୍ରାଟିକ ଆଲାଏନ୍ସ ଭଳି ସିଭିଲ ସୋସାଇଟି ଗ୍ରୁପ ଓ ସଙ୍ଗଠନ ରାଜ୍ୟ ମାନ୍ୟତା, ଷଷ୍ଠ ଅନୁସୂଚୀରେ ସୁରକ୍ଷା ଓ ସରକାରୀ ଚାକିରୀରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ନିମନ୍ତେ ସଂରକ୍ଷଣ ଦାବିରେ ବିରୋଧ ଆରମ୍ଭ କରିଥିଲେ।

ରିପୋର୍ଟସ ଅନୁସାରେ ଏଲଜି ଗୁପ୍ତାଙ୍କୁ ବୁଧବାର ଏକ ସ୍ଥାନୀୟ ମଠ ପରିଦର୍ଶନ କାଳରେ ଲୋକଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡିଥିଲା। କବିନ୍ଦର ଗୁପ୍ତା ୧୩ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗ ଦେଇଥିଲେ। ଦେଶରେ ଏମାର୍ଜେନ୍ସୀ କାଳରେ ତାଙ୍କୁ ୧୩ ମାସ ଜେଲରେ ରହିବାକୁ ପଡିଥିଲା। ୧୯୭୮ରୁ ୧୯୭୯ ପର୍ଯ୍ୟନ୍ତ ବିଶ୍ୱ ହିନ୍ଦୁ ପରିଷଦ ପଞ୍ଜାବ ଶାଖାର ସାଧାରଣ ସମ୍ପାଦକ ଭାବେ କାମ କରି ୧୯୯୩-୯୮ ପର୍ଯ୍ୟନ୍ତ ଭାରତୀୟ ଯୁବ ମୋର୍ଚ୍ଚାର ଜମ୍ମୁ-କାଶ୍ମୀର ୟୁନିଟ୍ ମୁଖ୍ୟ ଥିଲେ।

୨୦୦୫ରୁ ୨୦୧୦ ମସିହା ପର୍ଯ୍ୟନ୍ତ ସେ ଲାଗାତର ୩ ଥର ଜମ୍ମୁର ମେୟର ନିର୍ବାଚିତ ହୋଇଥିଲେ। ୨୦୧୪ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ରୂପେ ନିର୍ବାଚନ ଲଢିଥିଲେ ଓ ଜମ୍ମୁ ଗାନ୍ଧିନଗର ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୧୯ ମାର୍ଚ୍ଚ ୨୦୧୫ରେ ସେ ସମ୍ମୁ-କାଶ୍ମୀର ବିଧାନସଭାର ବାଚସ୍ପତି ନିଯୁକ୍ତ ହୋଇଥିଲେ। ୩୦ ଏପ୍ରିଲ ୨୦୧୮ରେ ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଗୁପ୍ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା। ୧୯ ଜୁନ ୨୦୧୮ରେ ସେ ମାତ୍ର ୫୧ ଦିନ ଉପମୁଖ୍ୟମନ୍ତ୍ରୀ ରହିବା ପରେ ପଦବୀରୁ ଇସ୍ତଫା ଦେଇଥିଲେ। କାରଣ ପିଡିପି ମେଣ୍ଟରୁ ବିଜେପି ଓହରି ଯାଇଥିଲା। ୧୪ ଜୁଲାଇ ୨୦୨୫ରେ ଗୁପ୍ତାଙ୍କୁ ଲଦ୍ଦାଖର ତୃତୀୟ ଏଲଜି ନିଯୁକ୍ତ କରାଯାଇଥିଲା। ସେ ୧୮ ଜୁଲାଇ ୨୦୨୫ରେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ।