Mojtaba Khameneis First Message, ଆମେରିକା-ଇସ୍ରାଏଲକୁ ଚେତାବନୀ, କହିଲେ-ବନ୍ଦ ରହିବ ହୋରମୁଜ

NEWS7
pm-modi-jaishankar-to-chair-unsc-meetings-during-indian-presidency-next-month-afghanistan-on-priority

ତେହେରାନ ୧୨।୩: ଇରାନର ନୂଆ ସର୍ବୋଚ୍ଚ ନେତା ଇମାମ ସୈୟଦ ମୋଜତାବା ହୁସୈନୀ ଖାମେନୀ ୧୨ ମାର୍ଚ୍ଚ ଗୁରୁବାର ନିଜର ପ୍ରଥମ ଅଧିକାରୀକ ବାର୍ତ୍ତା ଜାରି କରିଛନ୍ତି। ସରକାରୀ ଟିଭିରେ ପଢାଯାଇଥିବା ଏହି ଲିଖିତ ବାର୍ତ୍ତାରେ ସେ ଉପସାଗରୀୟ ଆରବ ପଡୋଶୀ ଦେଶଙ୍କ ଉପରେ ଆକ୍ରମଣ ଜାରି ରଖିବା ସହିତ ହୋରମୁଜ ପ୍ରଣାଳୀକୁ ଚାପର ଅସ୍ତ୍ର କରି ବନ୍ଦ ରଖାଯିବ ବୋଲି କହିଛନ୍ତି। ଏହି ବାର୍ତ୍ତା ତାଙ୍କ ପିତା ଅୟାତୋଲ୍ଲା ଅଲୀ ଖେମେନୀଙ୍କ ମୃତ୍ୟ ପରେ ଗାଦି ସମ୍ଭାଳିବାର ଠିକ୍ ୪ ଦିନ ପରେ ଜାରି ହୋଇଛି। ଇରାନୀ ଗଣମାଧ୍ୟମ ଏହାକୁ ‘ଇସ୍ଲାମ କ୍ରାନ୍ତିର ନୂଆ ସଂକଳ୍ପ’ ବୋଲି ବ୍ୟାଖ୍ୟା କରିଛନ୍ତି।

ମୋତଜାବା ଖାମେନୀଙ୍କ ସ୍ପିଚ୍
ସରକାରୀ ଟେଲିଭିଜନରେ ପ୍ରସାରିତ ମୋଜତାବା ଖେମେନୀଙ୍କ ବାର୍ତ୍ତାର ମୁଖ୍ୟାଂଶ

  • ବନ୍ଦ ରହିବ ହୋର୍ମୁଜ ପ୍ରଣାଳୀ- ଏହାକୁ ଚାପର ଅସ୍ତ୍ର କରି ରଖାଯିବ
  • କ୍ଷେତ୍ରରେ ସବୁ ଆମେରିକୀୟ ସାମରିକ ଘାଟି ବନ୍ଦ ହେବା ଆବଶ୍ୟକ- କାରଣ ସେଗୁଡିକ ଉପରେ ଆକ୍ରମଣ ହେବ
  • ଶହିଦଙ୍କ ପ୍ରତିଶୋଧ ନିଆଯିବ- ଖାସ କରି ମିନାବ ସ୍କୁଲ ଆକ୍ରମଣ ସହିତ ସବୁ ଶହିଦଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ
  • ଉପସାଗରୀୟ ଆରବ ଦେଶଙ୍କ ଉପରେ ଆକ୍ରମଣ ଜାରି ରହିବ

ବାର୍ତ୍ତାରେ ମୋଜତାବା ଆମେରିକା ଓ ଇସ୍ରାଏଲ ଯୁଦ୍ଧରୁ ଇରାନ ଏବେ ପଛକୁ ହଟିବନି ବୋଲି କହିଛନ୍ତି।

ଯୁଦ୍ଧର ତାଜା ଅପଡେଟ୍: ଅଶୋଧିତ ତୈଳ ବ୍ୟାରଲ ପିଛା ଦର ୧୦୦ ଡଲାର ପାର
ମୋଜତାବାଙ୍କ ବାର୍ତ୍ତାର ମାତ୍ର କିଛି ଘଣ୍ଟା ମଧ୍ୟରେ ପାରସ୍ୟ ଉପସାଗରରେ ଇରାନ ଆକ୍ରମଣ ଯୋଗୁ ପୁଣି ଥରେ ତୈଳ ମୂଲ୍ୟ ବ୍ୟାରଲ ପିଛା ୧୦୦ ଡଲାର ପାର କରିଯାଇଛି।

  • ଗୁରୁବାର ଇରାନ ରାଜଧାନୀ ତେହେରାନରେ ଅନେକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି।
  • ସାରା ଇରାନରେ ଇସ୍ରାଏଲ ଆକ୍ରମଣର ନୂଆ ଲହର ଆରମ୍ଭ ହୋଇଛି।
  • ଜେରୁଜେଲମରେ ଶୁଣାଯାଇଛି ଇରାନୀ ମିଜାଇଲଙ୍କ ଗର୍ଜନ

ଇରାନ ପୂର୍ବରୁ ଚେତାବନୀ ଦେଇଛି ତୈଳ ମୂଲ୍ୟ ବ୍ୟାରଲ ପିଛା ୨୦୦ ଡଲାର ପର୍ଯ୍ୟନ୍ତ ପହଞ୍ଚି ପାରେ।

ଭାରତ ଉପରେ କଣ ରହିବ ପ୍ରଭାବ?
ଭାରତ ହୋର୍ମୁଜ ବାହାର ସ୍ରୋତରୁ ଅଶୋଧିତ ତୈଳ ଆମଦାନୀ ବଢାଇ ମୋଟ ଆମଦାନୀର ୭୦% ସଂଗ୍ରହ କରିଛି। ଏଣୁ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଗୁରୁବାର ସଂସଦରେ ଭାରତର ତୈଳ ଯୋଗାଣ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସଂସଦକୁ କହିଛନ୍ତି। ସେହିପରି ମୁମ୍ବାଇ ପୋର୍ଟ ଟ୍ରଷ୍ଟ ଲାଇବେରିଆ ପତାକା ଥିବା ଏକ ଟ୍ୟାଙ୍କର ସାଉଦୀ ଆରବର ରାସ ତନୁରାରୁ ହୋର୍ମୁଜ ରୁଟ ଅତିକ୍ରମ କରି ମୁମ୍ବାଇ ପହଞ୍ଚିଥିବା ସୂଚିତ କରିଛି। ଇରାନ ଏହି ଜାହାଜକୁ ରଣନୈତିକ ମାର୍ଗ ପାର କରିବାକୁ ଅନୁମତି ଦେଇଥିଲା।

ପିତାଙ୍କ ମୃତ୍ୟୁ ପରେ ଶାସନ ସମ୍ଭାଳିଲେ ମୋଜତବା
୨୮ ଫେବୃଆରୀ ୨୦୨୬ରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନ ସୁପ୍ରିମ ଲିଡର ଅୟାତୋଲ୍ଲା ଅଲି ଖେମେନୀଙ୍କ ମୃତ୍ୟୁ ହୋଇଥିଲା। ୮୬ ବର୍ଷ ବୟଷ୍କ ଖାମେନୀ ୩୭ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଇରାନର ନେତୃତ୍ୱ ନେଇ ଆସୁଥିଲେ। ମିଳିତ ଆକ୍ରମଣରେ ତାଙ୍କ ପତ୍ନୀ ମଂସୁରେହ ଖୋଜାସ୍ତେହ ବଘେରଜାଦେହ ଓ ମୋତଜବାଙ୍କ ପତ୍ନୀ ଜହରା ଆଦେଲ ମଧ୍ୟ ଶିକାର ହୋଇଥିଲେ। ଏହା ପରେ ଇରାନ ବିଶେଷଜ୍ଞ ସଭା ୫୬ ବର୍ଷ ବୟଷ୍କ ମୋଜତବା ଖାମେନୀଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ନେତା ଚୟନ କରିଛନ୍ତି। ମୋଜତବାଙ୍କୁ ଇରାନ ରିଭଲ୍ୟୁସନାରୀ ଗାର୍ଡ କୋର (ଆଇଆରଜିସି)ର ନିକଟତମ ମନେ କରାଯାଏ। ତାଙ୍କ ପିତାଙ୍କ ହାର୍ଡ ଲାଇନ ନୀତିଗୁଡିକ ଜାରି ରଖିବା ଭଳି ନେତା ଭାବେ ଏବେ ତାଙ୍କୁ ଦେଖା ଯାଉଛି।

ଆଗକୁ ହେବ କ’ଣ?
ଏହି ବାର୍ତ୍ତାକୁ ଇରାନର ଅନ୍ତରୀଣ ଏକତା, ପ୍ରତିରୋଧ କ୍ଷମତା ଓ ଶତ୍ରୁଙ୍କୁ ଜବାବ ଭାବେ ଦେଖା ଯାଉଛି। ଯୁଦ୍ଧ ମଧ୍ୟରେ ତୈଳ ମୂଲ୍ୟ ବୃଦ୍ଧି ଓ ହୋର୍ମୁଜ ପ୍ରଣାଳୀର ପରିସ୍ଥିତିକୁ ଦେଖି ଏହି ବାର୍ତ୍ତାକୁ ନା କେବଳ ଇରାନୀଙ୍କ ବରଂ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟ ଓ ବିଶ୍ୱ ନିମନ୍ତେ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।