କରାଳ ରୂପ ନେଇ ଆସୁଛନ୍ତି ଭୈରବ, ଆଧୁନିକ ଯୁଦ୍ଧର ଚ୍ୟାଲେଞ୍ଜ ପାଇଁ ଭାରତୀୟ ସେନା ପ୍ରସ୍ତୁତ

NEWS7
pm-modi-holds-meeting-on-new-agri-procurement-models-to-ensure-msp

ନୂଆଦିଲ୍ଲୀ: ଆଧୁନିକ ଯୁଦ୍ଧର ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଭାରତର ଜୋରଦାର ପ୍ରସ୍ତୁତି । ସେନାର ଶକ୍ତି ଲାଗାତାର ବୃଦ୍ଧି ପାଇବାରେ ଲାଗିଛି । ତୃତୀୟ ବିଶ୍ବଯୁଦ୍ଧକୁ ନେଇ ଆଶଙ୍କା ଘନୀଭୂତ ହେଉଥିବା ବେଳେ, ଆଧୁନିକ ଯୁଦ୍ଧ ପ୍ରଣାଳୀର ବିକାଶ ଜରୁରୀ ହୋଇପଡ଼ିଛି । ବିଶ୍ବର ବହୁ ମହାଶକ୍ତି ଏବେ ନିଜର ଶକ୍ତି ଦେଖାଇ ଭୟଭୀତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ ଏବେ ଭାରତ ମଧ୍ୟ କାହାଠୁ ପଛରେ ନାହିଁ । ଆଧୁନିକ ସମୟର ଯେକୌଣସି ଆହ୍ବାନକୁ ସାମ୍ନା କରିବା ଲାଗି ଆମ ସେନା ବିଲକୁଲ ତୟାର । ଏହି କ୍ରମରେ ଭାରତୀୟ ସେନା ୧ ଲକ୍ଷ ଡ୍ରୋନ୍ ଅପରେଟରଙ୍କୁ ନେଇ ଏକ ଫୋର୍ସ ବିକଶିତ କରିଛି ।

ନୂତନ ଭାବରେ ଗଠିତ ସ୍ୱତନ୍ତ୍ର ବାହିନୀ ‘ଭୈରବ’ ଶତ୍ରୁର ବିନାଶ ଘଟାଇବାକୁ ପ୍ରସ୍ତୁତ ହେଉଛି । ଭୈରବରେ ସାମିଲ ସମସ୍ତ ଯବାନ ଡ୍ରୋନ ପରିଚାଳନା କରିବାରେ ସକ୍ଷମ । ଶତ୍ରୁ ଅଞ୍ଚଳରେ ପଶି ଘାଟି ଏବଂ ଢ଼ାଞ୍ଚାଗୁଡ଼ିକୁ ଟାର୍ଗେଟ କରିବା ପାଇଁ ସେମାନଙ୍କୁ ନିୟୋଜିତ କରାଯିବ । ବିଶ୍ୱ ଏବଂ ନିଜସ୍ୱ ସଂଘର୍ଷରୁ ମିଳିଥିବା ଅଭିଜ୍ଞତା ଆଧାରରେ ସେନା ଦ୍ୱାରା ଭୈରବ ବାଟାଲିୟନକୁ ଆକ୍ରମଣାତ୍ମକ ଭାବରେ କାର୍ଯ୍ୟ କରିବାକୁ ସୃଷ୍ଟି କରାଯାଇଛି । ଆବଶ୍ୟକତା ଅନୁସାରେ ଯେକୌଣସି ପରିସ୍ଥିତିରେ କାର୍ଯ୍ୟ କରିବାକୁ ସକ୍ଷମ ହେବ ସ୍ୱତନ୍ତ୍ର ବାହିନୀ ଭୈରବ ।

ଭାରତୀୟ ସେନା ପୂର୍ବରୁ ଏଭଳି ପ୍ରାୟ ୧୫ଟି ବାଟାଲିୟନ ଗଠନ କରିସାରିଛି । ସେଗୁଡ଼ିକୁ ଉଭୟ ସୀମାରେ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି । ଭବିଷ୍ୟତରେ ମୋଟ ୨୫ଟି ବାଟାଲିୟନ ଗଠନ କରିବାର ଯୋଜନା ରହିଛି। ଭୈରବ ବାଟାଲିୟନ ପାରା ସ୍ପେଶାଲ୍ ଫୋର୍ସ ଏବଂ ରେଗୁଲାର ଇନଫାଣ୍ଟ୍ରି ବାଟାଲିୟନ ମଧ୍ୟରେ ଥିବା ଦୂରତାକୁ କମାଇବ ।

ଭୈରବ ବାଟାଲିୟନ୍‌ର ବୀରତ୍ବ ଦେଖନ୍ତୁ:

 

ସ୍ୱତନ୍ତ୍ର ଅପରେସନ୍ ପରିଚାଳନା କରିବାର ଦାୟିତ୍ୱ ମଧ୍ୟ ଭୈରବ ବାଟାଲିୟନକୁ ଦିଆଯିବ। ଭୈରବ ବାଟାଲିୟନର କମାଣ୍ଡିଂ ଅଫିସର କହିଛନ୍ତି, ‘ମୁଁ ଡେଜର୍ଟ (ମରୁଭୂମି) ଭୈରବ ବାଟାଲିୟନ୍ର କମାଣ୍ଡିଂ ଅଫିସର । ମରୁଭୂମି ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ଏଠରେ କାର୍ଯ୍ୟ କରିବାକୁ ହେଲେ ସ୍ବତନ୍ତ୍ର ଦକ୍ଷତାର ଆବଶ୍ୟକତା ରହିଛି। ସେଥିପାଇଁ ଭୈରବକୁ ଏକ ପ୍ରଯୁକ୍ତିବିଦ୍ୟା-ଚାଳିତ ପ୍ରଣାଳୀ ଭାବରେ ଗଠନ କରାଯାଇଛି । ଏହା ସ୍ୱାଧୀନ ଭାବରେ କାର୍ଯ୍ୟ କରିପାରିବ ଏବଂ ଭବିଷ୍ୟତରେ ବହୁମୁଖୀ କାର୍ଯ୍ୟ କରିପାରିବ ।’

ୟୁନିଟ୍ ଗଠନ ବିଷୟରେ କମାଣ୍ଡିଂ ଅଫିସର କହିଛନ୍ତି, ‘ଏହି ମାଟିର ପୁଅ ଧାରଣା ଉପରେ ଡେଜର୍ଟ ଭୈରବ ବାଟାଲିୟନ ପ୍ରତିଷ୍ଠା ହୋଇଛି । ଅଧିକାଂଶ ସୈନିକ ରାଜସ୍ଥାନର । ଯେଉଁମାନେ ଭୂଖଣ୍ଡ, ଭାଷା, ପାଗ ଏବଂ ଅଞ୍ଚଳକୁ ବୁଝିପାରନ୍ତି। ବୀରତ୍ୱ ଏବଂ ସାହସିକତାର ଐତିହ୍ୟ ଉପରେ ଏହି ବାଟାଲିୟନ ପ୍ରସ୍ତୁତ ହୋଇଛି ଏବଂ ଏହା ଆମର ସବୁଠାରୁ ବଡ଼ ଶକ୍ତି । ମରୁଭୂମି କ୍ଷେତ୍ରରେ ଯେକୌଣସି ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ।’ ସେ ଆହୁରି କହିଛନ୍ତି ଯେ, ଆସନ୍ତା ଜାନୁଆରୀ ୧୫ରେ ଜୟପୁରରେ ହେବାକୁ ଥିବା ଆର୍ମି ଡେ’ ପରେଡରେ ଡେଜର୍ଟ ଫାଲକନ୍ସ ନାଁରେ ପରିଚିତ ଭୈରବ ବାଟାଲିୟନ ଯୋଗ ଦେବ ।