ଫ୍ରାନ୍ସ କ୍ରିସମାସ୍ ବଜାରରେ ପଶିଗଲା ଅନିୟନ୍ତ୍ରିତ କାର, ୧୦ ମୃତ, ୧୯ ଆହତ

NEWS7
plus-2-science-and-commerce-result-declared-on-31-july

ପ୍ୟାରିସ୍ ୭।୧୨: ବଡ଼ ଦିନ ପ୍ରସ୍ତୁତିରେ ବ୍ୟସ୍ତ ଫ୍ରାନ୍ସର ଗ୍ୱାଡେଲୁପ୍ ସେଣ୍ଟ ଏନ୍ନ ସହରରେ ଏକ ଅନିୟନ୍ତ୍ରି କାର ଜନଗହଳି ଭିତରକୁ ପଶି ଯାଇଛି। ଫଳରେ ଦ୍ରୁତଗାମୀ କାର ଧକ୍କାରେ ଅନୁନ୍ୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ବିଶ୍ୱର ଧନାଢ୍ୟ ବ୍ୟବସାୟୀ ଏଲନ ମସ୍କ ଏହି ଘଟଣାରେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ଏ ନେଇ ସେ ଏକ୍ସ ଏକ ପୋଷ୍ଟ କରିଥିବା ବେଳେ ଅନ୍ୟ ୟୁଜରଙ୍କ ଭିଡିଓ ସେୟାର କରି ‘ପୁଣି..’ ବୋଲି ଉଲ୍ଲେଖ କରିଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ଓ ଅଧିକାରୀଙ୍କ ଅନୁସାରେ ଏହି ଘଟଣା ସ୍କୋଏଲଚର ସ୍କୋୟାରରେ ଘଟିଛି, ଯାହା ସହରର ଟାଉନ ହଲ ଓ ଚର୍ଚ୍ଚର ଠିକ୍ ସାମ୍ନାରେ ଥିବା ଏକ ଫୁଟପାଥରେ ହୋଇଛି। ଏଠାରେ ଲୋକେ କ୍ରିସମାସ ଆଲୋକମାଳା ଓ ସାଜସଜ୍ଜା ଲାଗି ଚୂଡ଼ାନ୍ତ ପ୍ରସ୍ତୁତି କରୁଥିଲେ। ରେଡିଓ କ୍ୟାରେବସ୍ ଇଣ୍ଟରନ୍ୟାସନାଲ ଗ୍ୱାଡେଲୁପ (ଆରସିଆଇ)ର ରିପୋର୍ଟ ଅନୁସାରେ ଘଟଣାରେ ମୋଟ ୧୯ ଜଣ ପ୍ରଭାବିତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ବାକି ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କିଛି ପିଲା ମଧ୍ୟ ଅଛନ୍ତି। କାରଣ କିଛି ପରିବାର ଷ୍ଟଲ ଲଗାଇ ସାଜସଜ୍ଜା କରୁଥିଲେ।

କାର ଚାଳକ ଘଟଣାସ୍ଥଳରେ ଆତ୍ମସମର୍ପଣ କରି ଦେଇଛି। ଘଟଣା ୪ ଡିସେମ୍ବର ଶୁକ୍ରବାର ସନ୍ଧ୍ୟା ସାଢେ ୭ଟା ବେଳେ ଘଟିଥିଲା। ମେୟର ଏହାକୁ ଭୟାନକ ‘ବିଭିଷିକା’ ବୋଲି କହିଛନ୍ତି ଓ ସମୂଦାୟଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଘଟଣା ପରେ ପୋଲିସ ଯାଞ୍ଚ ଜାରି ରହିଛି। ପ୍ରାରମ୍ଭିକ ଯାଞ୍ଚରୁ ଏହା ଜାଣିଶୁଣି କରାଯାଇଥିବା କାଣ୍ଡ ନା ଏକ ଦୁର୍ଘଟଣା ଥିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ। ଗ୍ୱାଡେଲୁପ କ୍ୟାରବିୟାନ ସାଗରରେ ଫ୍ରାନ୍ସର ଏକ ବିଦେଶୀ କ୍ଷେତ୍ର, ଯାହା ପର୍ଯ୍ୟଟକଙ୍କ ଲାଗି ଏକ ଆକର୍ଷଣୀୟ ସ୍ଥଳ। ଏହାର ସମୁଦ୍ର କୂଳ ଓ ବଜାର ବେଶ୍ ପ୍ରସିଦ୍ଧ। ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ସାରା ସହର ବଡ଼ ଦିନ ପ୍ରସ୍ତୁତିରେ ମଗ୍ନ ଥିଲା।

ଏହି ଘଟଣା ଗତବର୍ଷ ଜର୍ମାନର ମ୍ୟାଗଡେବର୍ଗରେ ହୋଇଥିବା ଘଟଣାର ସ୍ମୃତିକୁ ପୁଣି ତାଜା କରିଦେଇଛି। ଏକ ଦ୍ରୁତଗାମୀ କାର କ୍ରିସମାସ ବଜାରରେ ପଶିଯିବା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୮ ଜଣ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିକୁ ଗିରଫ କରାଯାଇଥିଲା ଓ ତଦନ୍ତକାଳରେ ଏହା ପଛରେ ଆତଙ୍କବାଦୀ ମାନସିକତା ଥିବାର ଜଣାପଡିଥିଲା। ଗ୍ୱାଡେଲୁପ ଘଟଣା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହା ସାଧାରଣ ଏକ ଦୁର୍ଘଟଣା ନା ଆଉ କିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି।

ଏହି ଦୁର୍ଘଟଣାକୁ ନେଇ ସୋସିଆଲ ମିଡିଆରେ ଏବେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଲୋକେ ଏହାକୁ ‘କାର ରାମିଂ ଆଟାକ୍’ ବୋଲି କହୁଛନ୍ତି। ଏଥିରେ ଆଉ କେତେକ ୟୁଜର ଏହାକୁ ‘ଇସ୍ଲାମିଷ୍ଟ ଜେହାଦ’ ସହ ଯୋଡି ଦେଖୁଛନ୍ତି। ତେବେ ଏହା ଏକ ଆତଙ୍କବାଦୀ ଘଟଣା ତାହା ଏ ପର୍ଯ୍ୟନ୍ତ ପୁଷ୍ଟି ହୋଇ ନାହିଁ। ପ୍ରମୁଖ ଗଣମାଧ୍ୟମମାନେ ଏହାକୁ ଏବେବି ‘ଦୁର୍ଘଟଣା’ ବୋଲି ଉଲ୍ଲେଖ କରୁଛନ୍ତି। ତେବେ ଫରାସୀ ଅଧିକାରୀମାନେ ଯାଞ୍ଚକୁ ପ୍ରାଥମିକତା ଦେଉଛନ୍ତି। ପୀଡିତ ପରିବାରଙ୍କ ପ୍ରତି ସମବେଦନା ଜଣାଇ ସାରା ବିଶ୍ୱରୁ ଶୋକ ବାର୍ତ୍ତା ଆସିବାରେ ଲାଗିଛି।