ଇରାନର ୧୮ ଲକ୍ଷ ଟଙ୍କାର ଡ୍ରୋନ୍ ଖସାଇବାକୁ ୩୭ କୋଟିର ମିସାଇଲ୍ ବ୍ୟବହାର କରୁଛି ଆମେରିକା !

NEWS7
players-will-come-to-stadium-in-4-phase

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ । ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିଥିଲେ । ଇରାନ୍ ଖୁବଶୀଘ୍ର ଆତ୍ମସମର୍ପଣ କରିପାରେ ବୋଲି ଭାବିଥିଲେ ଟ୍ରମ୍ପ ଏବଂ ନେତାନ୍ୟାହୁ। କିନ୍ତୁ ଇରାନ୍ ମଧ୍ୟପ୍ରାଚ୍ୟରେ ଧ୍ବଂସ ଲୀଳା ଚଳାଇଛି। ଆମେରିକା ଏବଂ ଇରାନର ନିୟନ୍ତ୍ରଣରେ ଆସୁନାହିଁ ତେହେରାନ । ଇରାନ ପ୍ରତିଜବାବ ତୀବ୍ରତର ହେବାରେ ଲାଗିଛି । ଗଲ୍ଫ ଦେଶଗୁଡ଼ିକ ଏବେ ଇରାନ୍ ଆକ୍ରମଣରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ତେବେ ଆମେରିକା ବିଛାଇଥିବା ଜାଲରେ ନିଜେ ଛନ୍ଦି ହୋଇଥିବା କୁହାଯାଉଛି ।

ଇରାନ୍ ପ୍ରତିଆକ୍ରମଣ ଲାଗି ବ୍ୟବହାର କରୁଥିବା ମିସାଇଲଗୁଡ଼ିକର ଦାମ୍‌ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ହେଲେ ଏହାକୁ ପ୍ରତିହତ କରିବାକୁ ଆମେରିକା କୋଟି କୋଟି ଟଙ୍କାର ମିସାଇଲ୍ ବ୍ୟବହାର କରୁଛି । ଇରାନର ଶସ୍ତା ଡ୍ରୋନକୁ ନଷ୍ଟ କରିବାକୁ ଆମେରିକା ପାଟ୍ରିଅଟ କ୍ଷେପଣାସ୍ତ୍ର ବ୍ୟବହାର କରୁଥିବା ଜଣାପଡ଼ିଛି । ଗୋଟିଏ ପାଟ୍ରିଅଟ ମିସାଇଲ୍ର ଦାମ ୪ ନିୟୁତ ଡଲାର ବା ପ୍ରାୟ ୩୭ କୋଟି ଟଙ୍କା ।

ବର୍ତ୍ତମାନର ପରିସ୍ଥିତି ଆମେରିକା, ଇସ୍ରାଏଲ ଏବଂ ଉପସାଗରୀୟ ଦେଶମାନଙ୍କ ପାଇଁ ଚିନ୍ତାର କାରଣ । ସବୁଠାରୁ ବଡ଼ ଭୟ ହେଉଛି ଯେ, ଇରାନ ପାଖରେ ଏବେ ବି ବହୁ ସଂଖ୍ୟକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ରହିଛି। ଏସବୁକୁ ପ୍ରତିହତ କରିବାକୁ ଆମେରିକା ଏବଂ ଏହାର ସହଯୋଗୀ ଦାମୀ ଇଣ୍ଟରସେପ୍ଟର, ପାଟ୍ରିଅଟ୍ କ୍ଷେପଣାସ୍ତ୍ର ପ୍ରଣାଳୀ ବ୍ୟବହାର କରୁଛନ୍ତି । ଇସ୍ରାଏଲ ମଧ୍ୟ ଦୂରଗାମୀ ଆରୋ ଇଣ୍ଟରସେପ୍ଟର ବ୍ୟବହାର କରୁଛି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଏହି ଇଣ୍ଟରସେପ୍ଟର ସଂଖ୍ୟା କମି କମି ଆସୁଛି ।

ଏହି ସିଷ୍ଟମଗୁଡ଼ିକ ମଧ୍ୟରୁ ଅନେକ ୟୁକ୍ରେନକୁ ଯୋଗାଇ ଦିଆଯାଇଛି । ରୁଷିଆ ଆକ୍ରମଣର ସମ୍ମୁଖୀନ ହେଉଥିବା ୟୁକ୍ରେନ ଏବେ ଏହି ସବୁ ଇଣ୍ଟରସେପ୍ଟର ବ୍ୟବହାର କରୁଛି । କିଛି ସିଷ୍ଟମକୁ ଲାଲ ସାଗରରେ ଜାହାଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ନିୟୋଜିତ କରାଯାଇଛି । ସେଠାରେ ହୁତି ଗୋଷ୍ଠୀ ଆକ୍ରମଣ କରିଆସୁଛି। ଦକ୍ଷିଣ କୋରିଆ ଏବଂ ତାଇୱାନକୁ ଉତ୍ତର କୋରିଆ ଏବଂ ଚୀନର ସମ୍ଭାବ୍ୟ ବିପଦରୁ ରକ୍ଷା କରିବା ପାଇଁ କିଛି ବାୟୁ ପ୍ରତିରକ୍ଷା ସିଷ୍ଟମକୁ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମଧ୍ୟ ନିୟୋଜିତ କରାଯାଇଛି।

ଗଲ୍ଫ ଦେଶଗୁଡ଼ିକ ପାଇଁ ବେଶି ବିପଦ ରହିଛି । ଇରାନର ନିକଟତର ହୋଇଥିବାରୁ ଏହି ସବୁ ଦେଶରେ ଇରାନ୍ର ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅତି ସହଜରରେ ପହଞ୍ଚିପାରୁଛି । ଇରାନର ଶାହେଦ ଡ୍ରୋନଗୁଡ଼ିକ ଅଧିକ ବିପଦ ସୃଷ୍ଟି କରୁଛନ୍ତି। ଏହି ଡ୍ରୋନଗୁଡ଼ିକ କ୍ଷେପଣାସ୍ତ୍ର ଅପେକ୍ଷା ନିକ୍ଷେପ କରିବା ସହଜ । ଇରାନ ପାଖରେ ଏଭଳି ପ୍ରାୟ ୮୦,୦୦୦ ଏପରି ଡ୍ରୋନ ଅଛି ବୋଲି କୁହାଯାଉଛି ।