ଆମେରିକାର ୨୫% ଟାରିଫ୍ ଧମକ : ଭାରତ କହିଲା ପଡିବନି ପ୍ରଭାବ, କାରଣ...

NEWS7
piear-cherpin-no-more-said-dakar-motor-sports

ନୂଆଦିଲ୍ଲୀ ୧୪/୦୧: ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଇରାନ ସହ ବାଣିଜ୍ୟ କରୁଥିବା ଦେଶ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୨୫ ପ୍ରତିଶତ ଟାରିଫ୍ ଲଗାଇବାକୁ ଧମକ ଦେଇଛନ୍ତି । ଭାରତ ଏବଂ ଚୀନ ଭଳି ଅନେକ ଦେଶ ଇରାନ ସହ ବ୍ୟବସାୟ କରିଥାନ୍ତି । ଯାହାର ପ୍ରଭାବ ଭାରତ ଉପରେ ପଡିବ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସରକାର ।

ଭାରତ ଇରାନ ସହ ପ୍ରାୟ ୧.୬ ବିଲିୟନ ଡଲାରର ବାଣିଜ୍ୟ କାରବାର କରିଥାଏ । ଯାହା ଇରାନର ଆମଦାନୀ ବଜାରରେ ଏକ କ୍ଷୁଦ୍ର ଅଂଶ । ତେହେରାନ ୨୦୨୪ରେ ୬୮ ବିଲିୟନ ଡଲାରର ଆମଦାନୀ କରିଥିଲା । ସେଥିରୁ ଭାରତର ଯୋଗଦାନ ଥିଲା ୧.୬ ପ୍ରତିଶତ । ତେଣୁ ଟ୍ରମ୍ପଙ୍କ ଧମକ ଭାରତ ଉପରେ ସେତେଟା ପ୍ରଭାବୀ ହେବ ନାହିଁ ବୋଲି କେନ୍ଦ୍ର କହିଛି ।

ଇରାନର ମୁଖ୍ୟ ଆମଦାନୀ ଦେଶ ହେଲା ୟୁଏଇ । ଏହାପରେ ରହିଛି ଚାଇନା । ପଛକୁ ପଛ ତୁର୍କୀ, ୟୁରୋପିୟନ ୟୁନିଅନ ରହିଛନ୍ତି । ଏହାକୁ ଦେଖିଲେ ଭାରତ ଖୁବ୍ ପଛରେ ରହିଛି ।

ଟ୍ରମ୍ପଙ୍କ ଘୋଷଣା ପରେ ଅନେକ ଭାରତୀୟ ବ୍ୟବସାୟୀଙ୍କୁ ଝଟକା ଲାଗିଥିଲା । ଧାନ ଏବଂ ଚାଉଳ ବ୍ୟବସାୟୀମାନେ ଇରାନକୁ ଚାଉଳ ପଠାଇବେ ନା ନାହିଁ ତାକୁ ନେଇ ଆଶଙ୍କାରେ ରହିଥିଲେ । କାରଣ ଇରାନ ପ୍ରାୟ ଦୁଇ ତୃତୀୟାଂଶ ଚାଉଳ ଭାରତରୁ ଆମଦାନୀ କରିଥାଏ ।

ଚାଉଳ ବ୍ୟବସାୟୀଙ୍କ କହିବା କଥା ହେଲା, ଏବେ ସେମାନଙ୍କୁ ଠିକ୍ ଭାବେ ଅର୍ଥ ମିଳୁନି । ଇରାନ ଅଶାନ୍ତ ଥିବାରୁ ଦୁଇମାସ ହେଲା ବକେୟା ରହିଛି ।ଅନେକ ମାମଲାରେ ସେଠାକାର ବ୍ୟବସାୟୀ ଚାଉଳ ପାଇନଥିବା କହୁଛନ୍ତି । ଯାହା ଭାରତୀୟ ବ୍ୟବସାୟୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।