LIVE TV

ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି, ୮ ବର୍ଷର ସର୍ବନିମ୍ନ ସ୍ତରରେ ସେପ୍ଟେମ୍ୱର ଖୁଚୁରା ମୁଦ୍ରାସ୍ଫୀତି

NEWS7
people-strike-for-bridze-at-boudh-harabhanga

ନୂଆଦିଲ୍ଲୀ: ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି । ଖୁଚୁରା ମୁଦ୍ରାସ୍ଫୀତି ସେପ୍ଟେମ୍ୱରରେ ୮ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଖୁଚୁରା ମୁଦ୍ରାସ୍ଫୀତି ସେପ୍ଟେମ୍ୱରରେ ହ୍ରାସ ପାଇ ୧.୫୪ ପ୍ରତିଶତ ରହିଛି, ଅଗଷ୍ଟରେ ଏହା ୨.୦୭ ପ୍ରତିଶତ ଥିଲା । ସୋମବାର ଜାରି ସରକାରୀ ଡାଟା ଅନୁସାରେ ଏହି ହ୍ରାସ ପନିପରିବା ଓ ଡାଲି ସହ ଅନ୍ୟ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ଯୋଗୁଁ ହୋଇଛି । ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଅନୁସାରେ ବାର୍ଷିକ ଆଧାରରେ ସେପ୍ଟେମ୍ୱରରେ ମୁଦ୍ରାସ୍ଫୀତି ହାର ୧.୫୪ ରହିଛି, ଯାହା ୨୦୧୭ ଜୁନ୍ ପରେ ସର୍ବନିମ୍ନ । ଏହା ପୂର୍ବରୁ ୨୦୨୫ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ହାର ୨.୦୪ ପ୍ରତିଶତ ରେକର୍ଡ କରାଯାଇଥିଲା । ଏହି ସମୟରେ ଫୁଡ୍ ଇନଫ୍ଲାସନ ଶୂନରୁ ୨.୨୮ ପ୍ରତିଶତ ତଳେ ରହିଛି, ଯାହା ୨୦୧୮ ଡିସେମ୍ୱର ପରେ ସବୁଠୁ କମ୍ । ଅଗଷ୍ଟରେ ଏହା ଶୂନରୁ ୦.୬୪ ପ୍ରତିଶତ ତଳେ ରହିଥିଲା ।

ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ବୟାନରେ କୁହାଯାଇଛି, ୨୦୨୫ ସେପ୍ଟେମ୍ୱରରେ ଅନୁକୂଳ ପ୍ରଭାବ ଯୋଗୁ ପନିପରିବାର, ତେଲ, ଫଳ, ଖାଦ୍ୟାନ୍ନ, ଅଣ୍ଡା, ଇନ୍ଧନ ସାମଗ୍ରୀ ମୂଲ୍ୟ ହ୍ରାସ କାରଣରୁ ମୁଦ୍ରାସ୍ଫୀତି ଓ ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ହୋଇଛି । ସେପ୍ଟେମ୍ବର ୨୦୨୫ରେ ବାର୍ଷିକ ଆଧାରରେ ଖାଦ୍ୟ ମୁଦ୍ରାସ୍ଫୀତି (-) ୨.୨୮ ପ୍ରତିଶତ ଥିଲା, ଯାହା ଅଗଷ୍ଟରେ (-) ୦.୬୪ ପ୍ରତିଶତ ଏବଂ ଗତ ବର୍ଷ ସେପ୍ଟେମ୍ବରରେ ୯.୨୪ ପ୍ରତିଶତ ଥିଲା ।

ଅକ୍ଟୋବର ଦ୍ୱିମାସିକ ମୁଦ୍ରା ନୀତିରେ, ରିଜର୍ଭ ବ୍ୟାଙ୍କ ୨୦୨୫-୨୬ ପାଇଁ ଏହାର ମୁଦ୍ରାସ୍ଫୀତି ଆକଳନକୁ ଅଗଷ୍ଟରେ ଆକଳନ କରାଯାଇଥିବା ୩.୧ ପ୍ରତିଶତରୁ ୨.୬ ପ୍ରତିଶତକୁ ହ୍ରାସ କରିଛି । ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧ ପାଇଁ ମୁଦ୍ରାସ୍ଫୀତି ଆକଳନକୁ ନେଇ ଆରବିଆଇ କହିଥିଲା ଯେ ଦକ୍ଷିଣ-ପଶ୍ଚିମ ମୌସୁମୀର ଭଲ ଅଗ୍ରଗତି, ଖରିଫରେ ଅଧିକ ବୁଣା, ଜଳଭଣ୍ଡାରରେ ପର୍ଯ୍ୟାପ୍ତ ସ୍ତର ଏବଂ ଖାଦ୍ୟ ଶସ୍ୟର ପର୍ଯ୍ୟାପ୍ତ ବଫର ଷ୍ଟକ୍ ଖାଦ୍ୟ ମୂଲ୍ୟକୁ ସ୍ଥିର ରଖିବ ।