ଅବସର ବେଳକୁ ଆକ୍ସନରେ ସିଜେଆଇ, ମାମଲାରେ ଶୁଣାଣି ବେଳେ ଚିନ୍ତା ପ୍ରକଟ କଲେ

NEWS7
people-spent-85-bn-hours-in-whatsapp-in-3-months

ନୂଆଦିଲ୍ଲୀ, ୧୯/୧୨: ନ୍ୟାୟପାଳିକାରେ ଭ୍ରଷ୍ଟ ଆଚରଣକୁ ନେଇ ସୁପ୍ରିମକୋର୍ଟ ପରୋକ୍ଷ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଭ୍ରଷ୍ଟାଚାର ନାଁ ନ ନେଇ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ବିପୁଲ ଏମ୍ ପଞ୍ଚୋଲିଙ୍କ ଖଣ୍ଡପୀଠ କହିଥିଲେ, ଅବସରର ଠିକ୍ ପୂର୍ବରୁ ବାହ୍ୟ କାରଣରୁ ପ୍ରଭାବିତ ହୋଇ ବିଚାରପତିମାନେ ଘନଘନ ଫଇସଲା ଶୁଣାଇବା ଦୁର୍ଭାଗ୍ୟଜନକ । କେତେଜଣ ବିଚାରପତିଙ୍କ ଅବସର ନେବାର କିଛି ଦିନ ପୂର୍ବରୁ ବହୁ ଅଧିକ ଆଦେଶ ଦେବା ପ୍ରବୃତ୍ତି ବଢ଼ୁଛି ।

ସେମାନେ ଏପରି ଆଦେଶ ଶୁଣାଉଛନ୍ତି, ଲାଗୁଛି ଯେପରି ମ୍ୟାଚ୍ର ଶେଷ ଓଭରରେ ଛକା ମାରୁଛନ୍ତି । ନ୍ୟାୟିକ ଅଧିକାରୀଙ୍କ ଏପରି ପ୍ରବୃତ୍ତି ଚିନ୍ତାଜନକ ବୋଲି ସିଜେଆଇ କହିଛନ୍ତି । ମଧ୍ୟପ୍ରଦେଶର ଜଣେ ପ୍ରମୁଖ ଜିଲ୍ଲା ଜଜ୍‌ଙ୍କ ପିଟିସନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ବୁଧବାର ତାଙ୍କ ଉଦ୍ଦେଶ୍ୟରେ ଏହି ଟିପ୍ପଣୀ ଦେଇଛନ୍ତି । ଜଜ୍ ଜଣକ ହାଇକୋର୍ଟଙ୍କ ଏକ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଅବସରର ମାତ୍ର ୧୦ ଦିନ ପୂର୍ବରୁ ତାଙ୍କୁ ସସ୍ପେଣ୍ଡ କରିଦିଆଯାଇଥିଲା । ଜଜ୍ ଜଣକ ୨ଟି ଆଦେଶ ପାରିତ କରିଥିଲେ ।

ସେହି ଆଦେଶ ସନ୍ଦେହଜନକ ଥିବା ଜଣାପଡିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସୂଚନା ଅନୁସାରେ, ପିଟିସନ କରିଥିବା ଜଜ୍ ନଭେମ୍ବର ୩୦ରେ ଅବସର ନେଇଥାନ୍ତେ । ନ୍ୟାୟିକ ଆଦେଶ ଆଧାରରେ ନଭେମ୍ବର ୧୯ରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ତାଙ୍କ ଓକିଲ ବିପିନ ସାଂଘି କହିଥିଲେ, ଜଜ୍ଙ୍କ ପୂରା କ୍ୟାରିୟର ଦାଗହୀନ ରହିଥିଲା । ଜଜ୍‌ଙ୍କ ବାର୍ଷିକ ରିପୋର୍ଟରେ ତାଙ୍କୁ ଉଚ୍ଚ ରେଟିଂ ମିଳିଛି । ତାଙ୍କର ଯେଉଁ ଆଦେଶ ଉପରେ ଆପତ୍ତି ଥିଲା ତାହାକୁ ହାଇକୋର୍ଟରେ ଅପିଲ ଜରିଆରେ ସୁଧାର କରାଯାଇପାରିଥାନ୍ତା ।

କିନ୍ତୁ ଏହା ବଦଳରେ ଜଣେ ନ୍ୟାୟିକ ଅଧିକାରୀଙ୍କ କିପରି ନିଲମ୍ବନ କରାଯାଇପାରିବ । ସାଂଘି ଆହୁରି କହିଥିଲେ, ଆବେଦନକାରୀ ଜଜ୍ ୨୦୨୫ ନଭେମ୍ବର ୩୦ରେ ଅବସର ନେଇଥାନ୍ତେ । କିନ୍ତୁ ମଧ୍ୟପ୍ରଦେଶ ସରକାର ସରକାରୀ କର୍ମଚାରୀଙ୍କ ଅବସର ବୟସ ୬୦ରୁ ୬୨ ବର୍ଷ କରିଦେଇଛନ୍ତି । ତେଣୁ ଏକଥା ଜାଣିବା ପରେ ସୁପ୍ରିମକୋର୍ଟ ନଭେମ୍ବର ୨୦ରେ ସମ୍ପୃକ୍ତ ଜଜ୍‌ଙ୍କ ଅବସର ଆଉ ୧ ବର୍ଷ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ । ଏହି ଆଦେଶ ଅନୁସାରେ ଜଜ୍ ୨୦୨୬ ନଭେମ୍ବର ୩୦ରେ ଅବସର ନେବେ ।

ଏହା ଉପରେ ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ, ଆବେଦନକାରୀ ଜଜ୍ ଜଣକ ଅବସର ପୂର୍ବରୁ ବଡ ସଟ୍ ଖେଳିବା ଆରମ୍ଭ କରିଥିଲେ । ଏହା ଏକ ଭୁଲ ଅଭ୍ୟାସ । ମୁଁ ଏହା ଉପରେ ଅଧିକ କିଛି କହିବାକୁ ଚାହୁଁନାହିଁ । ଯେତେବେଳେ ଜଜ୍ ଛକା ମାରିବା ଆରମ୍ଭ କଲେ ସେତେବେଳେ ତାଙ୍କୁ ଜଣା ନ ଥିଲା ଯେ ଅବସର ବୟସ ବଢ଼ାଯିବ । ଏହା ଏକ ଦୁର୍ଭାଗ୍ୟଜନକ ପ୍ରବୃତ୍ତି ବୋଲି ସବୁ ବିଚାରପତିଙ୍କ ନିକଟରେ ବାର୍ତ୍ତା ପହଞ୍ଚିବା ଉଚିତ । ଭୁଲ୍ ରାୟ ଶୁଣାଇବା ପାଇଁ ଜଜ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବନି । କିନ୍ତୁ ଯଦି ସେହି ଆଦେଶକୁ ବେଇମାନି ଭାବେ କିମ୍ବା ବାହ୍ୟ କାରଣ ଆଧାରରେ ଦିଆଯାଏ ତେବେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ନୁହେଁ କି ବୋଲି ସିଜେଆଇ ପ୍ରଶ୍ନ କରିଥିଲେ ।

ସାଂଘୀଙ୍କ ଦଲିଲ ଉପରେ ସିଜେଆଇ କହିଥିଲେ, ଯଦି ଆଦେଶ ସ୍ପଷ୍ଟ ରୂପରେ ବେଇମାନି ଭାବେ ଦିଆଯାଇଛି ତେବେ କାର୍ଯ୍ୟାନୁଷ୍ଠାନ ହୋଇପାରିବ । ସେହିପରି ନ୍ୟାୟିକ ଅଧିକାରୀ ଜଣକ ନିଲମ୍ବନ ଆଦେଶକୁ ପ୍ରଥମେ ହାଇକୋର୍ଟରେ କାହିଁକି ଚ୍ୟାଲେଞ୍ଜ କଲେନାହିଁ ବୋଲି ସିଜେଆଇ ସୂର୍ଯ୍ୟକାନ୍ତ ପଚାରିଥିଲେ । ଜଜ୍‌ଙ୍କ ଓକିଲ ସାଂଘୀ କହିଥିଲେ, ନିଲମ୍ବନ ନିଷ୍ପତ୍ତି ପୂର୍ଣ୍ଣାଙ୍ଗ କୋର୍ଟର ଥିଲା । ତେଣୁ ନିରପେକ୍ଷ ଶୁଣାଣି ପାଇଁ ସିଧାସଳଖ ସୁପ୍ରିମକୋର୍ଟ ଆସିବା ଠିକ୍ ଲାଗିଥିଲା ।

କିନ୍ତୁ ସୁପ୍ରିମକୋର୍ଟ କହିଥିଲେ, ଅନେକ ମାମଲାରେ ହାଇକୋର୍ଟ ନ୍ୟାୟ ଆଧାରରେ ପୂର୍ଣ୍ଣାଙ୍ଗ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି । ସୁପ୍ରିମକୋର୍ଟ ନିଲମ୍ବନର ଆଧାର ଜାଣିବା ପାଇଁ ସମ୍ପୃକ୍ତ ଜଜ୍‌ଙ୍କ ପକ୍ଷରୁ ଆର୍ଟିଆଇ ଆବେଦନ ଦାଖଲ କରାଯିବା ଉପରେ ମଧ୍ୟ ଆପତ୍ତି ଉଠାଇଥିଲେ । କହିଥିଲେ, ଜଣେ ବରିଷ୍ଠ ନ୍ୟାୟିକ ଅଧିକାରୀଙ୍କଠାରୁ ଏହା ଆଶା କରାଯାଏନାହିଁ ଯେ ସେ ତଥ୍ୟ ପାଇଁ ଆର୍ଟିଆଇର ସାହାରା ନିଅନ୍ତୁ । ଏହା ବଦଳରେ ସେ ଏକ ରିପ୍ରେଜେଣ୍ଟେସନ ଦାଖଲ କରିପାରିଥାନ୍ତେ ।