ସହକର୍ମୀ ସାଙ୍ଗ ମାନଙ୍କ ସହ ପିକନିକ ଯାଇଥିବାବେଳେ ହତ୍ୟା !

NEWS7
people-spent-85-bn-hours-in-whatsapp-in-3-months

ବଡ଼ବିଲ୍: ଯୋଡ଼ାରେ ଯୁବକକୁ ନିର୍ମମ ହତ୍ୟା। ସହକର୍ମୀ ସାଙ୍ଗମାନଙ୍କ ସହ ପିକନିକ ଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି । ମୃତକ ଯୋଡ଼ା ଥାନା ବାଚୁ ହଟିଙ୍ଗର ମିହିର ଦାସ । ସେ ଟେଗା ନାମକ ଏକ ଖଣି ଠିକା ସଂସ୍ଥାରେ କାମକରୁଥିଲେ ।

ସୂଚନା ଅନୁଯାୟୀ, ଆଜି ଛୁଟି ଥିବାରୁ ଅନ୍ୟ ସହକର୍ମୀଙ୍କ ସହିତ ପିକନିକ କରିବାକୁ ଲହଣ୍ଡା ସ୍ଥିତ ସୁନା ନଦୀ କୂଳକୁ ଯାଇଥିଲେ । ମୃତକଙ୍କ ସାନଭାଇ ସୌରଭଙ୍କ କହିବା ଅନୁସାରେ ସନ୍ଧ୍ୟା ପ୍ରାୟ ୫ ଟା ୧୩ ମିନିଟ ସମୟରେ ମିହିର ତାଙ୍କୁ କଲ୍ କରି ତାଙ୍କୁ କେହି ବାଡଉଛନ୍ତି ବୋଲି କହିଥିଲେ । ଏହାର କିଛି ସମୟ ପରେ ସୌରଭ ବଡ଼ଭାଇ ମିହିରକୁ କଲ୍ କରିଥିଲେ, ମାତ୍ର ସେ ଫୋନ୍ ରିସିଭ କରି ନଥିଲେ । ସନ୍ଧ୍ୟାରେ ଖୋଜାଖୋଜି ପରେ ଲହଣ୍ଡା ସୁନା ନଦୀ ରାସ୍ତା କଡ଼ରେ ମିହିରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ କରିଥିଲେ । ସେଠାରେ ତାଙ୍କର ବାଇକ୍ ମଧ୍ୟ ପଡ଼ିଥିଲା ।

ଏନେଇ ଯୋଡ଼ା ପୋଲିସ ସୂଚନା ପାଇବା ପରେ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ୪ ଜଣଙ୍କୁ ଥାନାରେ ଅଟକ ରଖି ପଚର ଉଚରା ଚଳାଇଛି ପୋଲିସ୍ । ତେବେ କିଏ ଓ କାହିଁକି ମିହିରକୁ ହତ୍ୟା କଲା ସେନେଇ କାରଣ ଅସ୍ପଷ୍ଟ ରହିଛି।