ସୁଲଭ ବାସଗୃହ ପ୍ରକଳ୍ପର ସମୀକ୍ଷା, ସମ୍ପୂର୍ଣ୍ଣ ହୋଇଥିବା ଗୃହଗୁଡ଼ିକର ବଣ୍ଟନ ପାଇଁ ନିଷ୍ପତ୍ତି

NEWS7
pcc-prsident-health-condition

ଭୁବନେଶ୍ଵର: ସୁଲଭ ବାସଗୃହ ପ୍ରକଳ୍ପଗୁଡ଼ିକର (AHP) ସ୍ଥିତି ସମୀକ୍ଷା କରିବା ସହ ନିର୍ମାଣ ସରିଥିବା ଗୃହଗୁଡ଼ିକର ସଠିକ୍ ବଣ୍ଟନ ଓ ବ୍ୟବହାର ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାସଗୃହ ବଣ୍ଟନ ପ୍ରକ୍ରିୟାକୁ ସରଳ କରିବା ଏବଂ ଯୋଜନାବଦ୍ଧ ସହରୀ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।

ବୈଠକରେ ଚନ୍ଦ୍ରଶେଖରପୁର ସୁଲଭ ବାସଗୃହ ପ୍ରକଳ୍ପ (ବୁଦ୍ଧ ବିହାର), ନୀଳମାଧବ ଆବାସ ଯୋଜନା, ଶାନ୍ତିପଲ୍ଲୀ ଆବାସ ଯୋଜନା ଏବଂ ସୁବୁଦ୍ଧିପୁର ସୁଲଭ ବାସଗୃହ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସମ୍ପୂର୍ଣ୍ଣ ହୋଇଥିବା ଗୃହଗୁଡ଼ିକ ଯେପରି ଖାଲି ପଡ଼ି ନରହେ, ସେଥିପାଇଁ ହିତାଧିକାରୀଙ୍କୁ ତୁରନ୍ତ ବଣ୍ଟନ କରିବା ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ଘାଟିକିଆ ଏବଂ ଗଡ଼କଣାଠାରେ ଚାଲିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ କୁହାଯାଇଛି।

ଆବାସ ପ୍ରକଳ୍ପଗୁଡ଼ିକର ସୂଚାରୁ ପରିଚାଳନା ପାଇଁ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ 'କ୍ଷମତାପ୍ରାପ୍ତ କମିଟି' ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କମିଟି ବାସଗୃହ ବଣ୍ଟନ ନୀତି, ଭଡ଼ା ଘରକୁ ପ୍ରାଥମିକତା ଏବଂ ଆନ୍ତଃ-ବିଭାଗୀୟ ସମସ୍ୟାର ସମାଧାନ କରିବ।

ନୂତନ ନିୟମ ଅନୁଯାୟୀ, ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମେ ୬ ମାସ ପାଇଁ 'ଅସ୍ଥାୟୀ ବଣ୍ଟନ' (Provisional Allotment) କରାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖାଯିବ। ସଫଳତାର ସହ ଏହି ସମୟ ଅତିବାହିତ ହେବା ପରେ ହିଁ ସ୍ଥାୟୀ ଆବଣ୍ଟନ ପତ୍ର ପ୍ରଦାନ କରାଯିବ। ବଣ୍ଟନ କରାଯାଇଥିବା ଘରକୁ କେହି ହସ୍ତାନ୍ତର କରିପାରିବେ ନାହିଁ କିମ୍ବା ଅନ୍ୟକୁ ଭଡ଼ାରେ ଦେଇପାରିବେ ନାହିଁ।

ସୁଲଭ ବାସଗୃହ ପ୍ରକଳ୍ପଗୁଡ଼ିକୁ 'ଆମ ବସ' (AMA BUS) ସେବା ସହିତ ଯୋଡ଼ାଯିବ, ଯାହାଫଳରେ ଲୋକମାନେ ସହଜରେ ଯାତାୟାତ କରିପାରିବେ। "କୌଣସି ନୂଆ ବସ୍ତି କିମ୍ବା ନୂଆ ଜବରଦଖଲ ନୁହେଁ" ନୀତିକୁ କଡ଼ାକଡ଼ି ପାଳନ କରାଯିବ। ପ୍ରବାସୀ ଶ୍ରମିକ ଓ ସହରୀ ଗରିବଙ୍କ ପାଇଁ ଭଡ଼ା ସୂତ୍ରରେ ରହିବା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯିବ। ଏହି ପ୍ରକ୍ରିୟାରେ ସ୍ୱେଚ୍ଛାସେବୀ ସଂଗଠନ (NGO) ମାନଙ୍କ ସହାୟତା ନିଆଯିବ।

ଏହି ସମୀକ୍ଷା ବୈଠକରେ ବିଡିଏ ଉପାଧ୍ୟକ୍ଷ ତଥା ବିଏମସି କମିଶନର ଚଞ୍ଚଳ ରାଣା, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ , ଅତିରିକ୍ତ ସଚିବ ସୁଭାନନ୍ଦ ମହାପାତ୍ର,ଅତିରିକ୍ତ କମିଶନର ବି ଡି ଏ ମନୋଜ ସ୍ୱାଇଁ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ସହରୀ ଜୀବନଶୈଳୀରେ ଉନ୍ନତି ଆଣିବା ଏବଂ ସମସ୍ତଙ୍କୁ ବାସଗୃହ ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ବୈଠକରେ ଦୋହରାଯାଇଛି।