ନୁଡୁଲ୍ସ ଖାଉଥିଲେ ସାବଧାନ, ମୂଷା ଖିଆ ଅଟାରେ ହେଉଛି ତିଆରି...

NEWS7
pawan-kalyan-talked-about-sai-dharam-tej-health-update-says-he-is-still-lying-in-coma

ଭୁବନେଶ୍ୱର ୩୧।୦୧ : କାରଖାନାରେ ମୂଷା ଖିଆ ଅଟାରେ ତିଆରି ହେଉଥିଲା ନୁଡୁଲ୍ସ । ପ୍ରସ୍ତୁତି ପରେ ଜରିପ୍ୟାକ୍ କରି ସହର ଏବଂ ଆଖାପାଖର ବିଭିନ୍ନ ହୋଟେଲ, ଫାଷ୍ଟଫୁଡ୍ ସେଣ୍ଟରକୁ ଯୋଗାଇ ଦିଆଯାଉଥିଲା। ନିମ୍ନମାନର କଞ୍ଚାମାଲ୍ରେ ପ୍ରସ୍ତୁତି ହେଉଥିବା ଖବରପାଇ ସହର ଉପକଣ୍ଠ ତେଲିଗୁଡ଼ାରେ ଚାଲିଥିବା ଏକ କାରଖାନାରେ ଚଢଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ। କାରଖାନା ମାଲିକଙ୍କୁ ୬୦ ହଜାର ଟଙ୍କା ଫାଇନ୍ ପକାଯାଇଛି। ଲ୍ୟାବ୍ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ବିକ୍ରି ବନ୍ଦ ନୋଟିସ ଜାରି କରାଯାଇଛି। ଏଥିସହ ବିଭିନ୍ନ କାରଣ ଲାଗି ଅନ୍ୟ ୫ ବ୍ୟବସାୟ ପ୍ରତିଷ୍ଠାନକୁ ମଧ୍ୟ ନୋଟିସ୍ ଜାରି କରାଯାଇଛି।

ଶନିବାର ମଧ୍ୟାହ୍ଣରେ ଆରମ୍ଭ ହୋଇଥିଲା ବିଭାଗୀୟ ଯାଞ୍ଚ । ଟିମ୍ରେ ସାମିଲ ହୋଇଥିଲେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପଙ୍କଜିନୀ ବେଉରିଆ, ଭେଷଜ ନିରୀକ୍ଷକ, ସଦରଥାନା ଏଏସ୍ଆଇ ପଙ୍କଜିନୀ ଶବର, ପିଏସ୍ଆଇ ଅମରେଶ ନାହାକ, ଖାଦ୍ୟ ସୁରକ୍ଷା ବିଭାଗ କର୍ମଚାରୀ ତ୍ରିଲୋଚନ ବେନିୟା, ବିନତ ସୁନା ଏବଂ ପୁଲିସ । ତେଲିଗୁଡ଼ାର ଏକ ଘରେ ଚଢଉ କରାଯାଇଥିଲା । ବିଭାଗୀୟ ସୂଚନା ଅନୁଯାୟୀ, ଘରେ ଚାଲିଥିଲା ନୁଡୁଲ୍ସ କାରଖାନା । ପରିସର ଅପରିଷ୍କାର ଥିଲା । ଯାଞ୍ଚ ବେଳେ ଜଣାପଡ଼ିଥିଲା କାରଖାନାର ଲାଇସେନ୍ସ ନାହିଁ । ପ୍ୟାକେଟ ଉପରେ କେବଳ ଲେଖାଯାଇଥିଲା ଏମଏସ୍ବି ଫୁଡ୍ ପ୍ରଡକ୍ଟସ୍ । କୌଣସି ଠିକଣା ନଥିଲା । ମୂଷା ଖାଇଯାଇଥିବା ଅଟାରେ ନୁଡୁଲ୍ସ ତିଆରି କରାଯାଉଥିଲା । ଚଟାଣରେ ସାମଗ୍ରୀ ଗଦା କରାଯାଇଥିଲା । କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସାର୍ଟିଫିକେଟ୍ ନଥିଲା । ଦାୟିତ୍ୱରେ ଥିବା କର୍ମଚାରୀ ଆବଶ୍ୟକ ଦସ୍ତାବିଜ ଦେଖାଇ ପାରି ନଥିଲେ । କାରଖାନାରୁ ନମୁନା ସଂଗ୍ରହ କରାଯାଇଥିଲା । ୬୦ ହଜାର ଟଙ୍କାର ଚାଲାଣ କଟାଯାଇଥିଲା । ପରୀକ୍ଷା ରିପୋର୍ଟ ନଆସିବା ପର୍ଯ୍ୟନ୍ତ ବିକ୍ରି ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ୭ ଦିନ ମଧ୍ୟରେ ଜୋରିମାନା ଟଙ୍କା ଦାଖଲ ସହ ତାଗିଦ କରାଯାଇଥିଲା । ପରେ ଟିମ୍ ପହଞ୍ଚିଥିଲା ରେଲୱେ ଷ୍ଟେସନ୍-ପେପରମିଲ୍ ରାସ୍ତାରେ ଥିବା ଓମଫେଡ୍ କାରଖାନାରେ । ପରିସରରୁ ଗନ୍ଧ ବାହାରୁଥିଲା । ସଫେଇ ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଉ ନଥିବା ଜଳଜଳ ଦିଶିଥିଲା । ବଳକା ସବୁ ଠିକ୍ ଥିଲା ।

ଜାତୀୟ ରାଜପଥ-୩୨୬ ବାଇପାସ୍ ରୋଡ୍ର ଏକ ହୋଟେଲ୍ରେ ଯାଞ୍ଚ କରାଯାଇଥିଲା । କାଗଜପତ୍ର ଠିକ ଥିବା ବେଳେ ହୋଟେଲ୍ର ପାଣି ଯାଞ୍ଚ(ୱାଟର ଟେଷ୍ଟିଂ) ରିପୋର୍ଟ ନଥିଲା । କୁମ୍ଭାରସାହି ବାଇପାସ୍ରେ ଥିବା ଏକ ଚର୍ଚ୍ଚିତ ହୋଟେଲ୍ରୁ ବାସିଖାଦ୍ୟ ଠାବ କରାଯାଇଥିଲା । ସେଗୁଡ଼ିକୁ ନଷ୍ଟ କରାଯିବା ସହ ଫ୍ରିଜର୍ରେ ବଳକା ବାସିଖାଦ୍ୟ ନରଖିବାକୁ ମାଲିକଙ୍କୁ ଚେତାବନୀ ଦିଆଯାଇଥିଲା। ଓଆରଏସ୍, ଥଣ୍ଡାପାନୀୟ ହୋଲେସେଲ୍ ଦୋକାନରେ ଅବଧି ସରଥିବା ସାମଗ୍ରୀ ଥିବା ଦେଖିବାକୁ ମିଳିଥିଲା । ଏହା କମ୍ପାନିକୁ ଫେରାଇବା ଲାଗି ରଖାଯାଇଥିବା ମାଲିକ କହିଥିଲେ । ତୁରନ୍ତ ଷ୍ଟକ ରିର୍ଟନ କରିବା ଲାଗି ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ରଜାନଅର ଛକ ପାଖ ଏକ ଅଣ୍ଡା, ଥଣ୍ଡାପାନୀୟ ହୋଲସେଲ୍ ଦୋକାନରେ ଯାଞ୍ଚ କରାଯାଇଥିଲା । ଦୋକାନର ଫୁଡ୍ ଲାଇସେନ୍ସ ନଥିଲା । ଲାଇସେନ୍ସ ନମିଳିବା ପର୍ଯ୍ୟନ୍ତ ବିକ୍ରି ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ଉପରୋକ୍ତ ସମସ୍ତ ପ୍ରତିଷ୍ଠାନକୁ ବିଭାଗୀୟ ନୋଟିସ୍ ଜାରି କରାଯାଇଥିଲା । ପ୍ରଶାସନର ଯାଞ୍ଚକୁ ସାଧାରଣରେ ସ୍ୱାଗତ କରାଯାଇଛି । ନିୟମିତ ଯାଞ୍ଚ ସହ ଖିଲାପିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବୁଦ୍ଧିଜୀବୀ ଦାବି କରିଛନ୍ତି ।