LIVE TV

ଆମେରିକୀୟ ICBM ‘ମିନିଟ୍ ମ୍ୟାନ-୩’ର ପରୀକ୍ଷଣ ସଫଳ

NEWS7
parliament-passed-bill-to-reduce-salaries-of-mps-by-30-percent

କାଲିଫର୍ଣ୍ଣିୟା ୫।୧୧: ଆମେରିକୀୟ ସ୍ପେସ୍ ଫୋର୍ସ ଅନୁସାରେ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିଜାଇଲ (ଆଇସିବିଏମ) ‘ମିନିଟ୍ ମ୍ୟାନ-୩’ର ପରୀକ୍ଷଣ ସଫଳ ହୋଇଛି। ଏହି ମିଜାଇଲକୁ କାଲିଫର୍ଣ୍ଣିୟାର ଭେଣ୍ଡେନବର୍ଗ ଏୟାରଫୋର୍ସ ବେସ୍ ରୁ ନିକ୍ଷେପ କରାଯାଇଥିଲା। ଆମେରିକା ସ୍ପେସ୍ ଫୋର୍ସର ଏହି ପରୀକ୍ଷଣ ଜିଟି-୨୫୪ ମିସନର ଅଂଶବିଶେଷ ଥିଲା।  ଏଥିରୁ ଆଇସିବିଏମ ପ୍ରଣାଳୀର ବିଶ୍ୱସନୀୟତା, ସଞ୍ଚାଳନ କ୍ଷମତା ଓ ସଠିକତା ଆକଳନ କରାଯାଇଛି।

ଏହାକୁ ୬୨୫ତମ ଷ୍ଟ୍ରାଟେଜିକ୍ ଅପରେସନ ସ୍କ୍ୱାଡ୍ରନ ଟିମ୍ ର ଏୟାରବର୍ଣ୍ଣ ଲଞ୍ଚ କଣ୍ଟ୍ରୋଲ ସିଷ୍ଟମ ମାଧ୍ୟମରେ ପରୀକ୍ଷଣ କରାଯାଇଛି। ଏହି ସିଷ୍ଟମ ମିଜାଇଲ କମାଣ୍ଡ ଓ କଣ୍ଟ୍ରୋଲ ଲାଗି ବ୍ୟାକଅପ ରୂପେ କାମ କରିଥାଏ। କମାଣ୍ଡର ଲେଫ୍ଟନାଣ୍ଟ କ୍ୟାରି ରେ କହିଛନ୍ତି ଯେ ଏହି ଟେଷ୍ଟ କେବଳ ମିଜାଇଲ ଲଞ୍ଚ କରିବାକୁ ନଥିଲା ବରଂ ପୁରା ଆଇସିବିଏମ ସିଷ୍ଟମର କ୍ଷମତା ଓ ବିଶ୍ୱସନୀୟତା ଯାଞ୍ଚ କରିବାକୁ କରାଯାଇଥିଲା। ମିନିଟ୍ ମ୍ୟାନ -୩ ମିଜାଇଲ ପାଖାପାଖି ୪,୨୦୦ ମାଇଲ (୬,୭୫୯ କିଲୋମିଟର) ଦୂରତା ଅତିକ୍ରମ କରି ମାର୍ଶଲ ଆଇଲ୍ୟାଣ୍ଡସ୍ଥିତ ରୋନାଲ୍ଡ ରେଗନ ବାଲିଷ୍ଟିକ ମିଜାଇଲ ଡିଫେନ୍ସ ଟେଷ୍ଟ ସାଇଟରେ ଥିବା ଲକ୍ଷକୁ ସଫଳତା ପୂର୍ବକଭେଦ କରିଛି।

ଏଠାରେ ଥିବା ରାଡାର ଓ ସେନସର ସିଷ୍ଟମ ମାଧ୍ୟମରେ ମିଜାଇଲର ଉଡାଣ ଓ ପ୍ରଦର୍ଶନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏକତ୍ର କରାଯାଇଛି। ଏହି ପରୀକ୍ଷଣ ଅଭିଯାନରେ ଆମେରିକା ଏୟାରଫୋର୍ସର ସମସ୍ତ ୩ଟି ଜାକ ମିଜାଇଲ ୱିଙ୍ଗ ଅଂଶଗ୍ରହଣ କରିଥିଲେ। ଜେନେରାଲ ଏସ.ଏଲ ଡେଭିସ୍ କହିଛନ୍ତି ଯେ ଆମେରିକା ଯେପରି ତାର ପୁରୁଣା ମିଜାଇଲ ପ୍ରଣାଳୀକୁ ନୂଆ ଏଲଜିଏମ ୩୫ଏ ସେଣ୍ଟିନଲ ସିଷ୍ଟମରେ ରୂପାନ୍ତରିତ କରିବାରେ ଲାଗିଛି ସେଥି ଲାଗି ମିନିଟ୍ ମ୍ୟାନ-୩ର ପରୀକ୍ଷଣ ଜରୁରି ହୋଇପଡିଥିଲା। ଏଥିରୁ ମିନିଟ୍ ମ୍ୟାନ-୩ ନା କେବଳ ନିର୍ଭରଯୋଗ୍ୟ ବରଂ ସମ୍ପୂର୍ଣ୍ଣ ସକ୍ଷମ ବୋଲି ପ୍ରମାଣିତ ହୋଇଛି।

ଆମେରିକା ନିକଟରେ ପାଖାପାଖି ୪ହଜାର ଆଇସିବିଏମ ମିଜାଇଲ ରହିଛି। ଏହା ଋଷିଆ ଓ ଚୀନ୍ ଭଳି ପ୍ରତିଦ୍ୱନ୍ଦ୍ୱୀ ଦେଶଙ୍କ ବିରୋଧରେ ଆମେରିକା ରଣନୈତିକ ରକ୍ଷା ପ୍ରଣାଳୀର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ମିଜାଇଲକୁ ଏଥି ପାଇଁ ମିନଟ୍ ମ୍ୟାନ ନାମ ଦିଆଯାଇଛି ଯେହେତୁ ଏହାକୁ ମାତ୍ର ୧ ମିନିଟ୍ ରେ ଲଞ୍ଚ ପାଇଁ ପ୍ରସ୍ତୁତ କରାଯାଇ ପାରୁଛି। ଆମେରିକା ୨୦୩୦ ସୁଦ୍ଧା ଏହି ମିଜାଇଲଗୁଡିକୁ ନୂଆ ପିଢୀର ମିଜାଇଲରେ ରୂପାନ୍ତରିତ କରିବାର ଯୋଜନା କରିଛି। ତେବେ ସେ ପର୍ଯ୍ୟନ୍ତ ଏ ଗୁଡିକ ନିୟମିତ ପରୀକ୍ଷଣ ଜାରି ରହିବ ବୋଲି ଡେଭିସ୍ କହିଛନ୍ତି।