ବିଜେପି ମହିଳା କର୍ମୀଙ୍କ ପୋଷାକ ଚିରିଦେଲା କର୍ଣ୍ଣାଟକ ପୋଲିସ ! ଅଭିଯୋଗକୁ ଖଣ୍ଡନ କଲେ କମିଶନର

NEWS7
paradip-port-handles-record-number-of-29-ships-run-in-24-hours

ବେଙ୍ଗାଲୁରୁ, ୦୭/୦୧: ବିଜେପି ମହିଳା କର୍ମୀଙ୍କୁ ଆକ୍ରମଣ । ପୋଷାକ ଚିରିଦେଇଛି ପୋଲିସ । ସୀମା ଟପିଲା କର୍ଣ୍ଣାଟକ ପୋଲିସ । କିଛି ଏପରି ଅଭଯୋଗ ଆଣିଛି ଭାରତୀୟ ଜନତା ପାର୍ଟି । ଜଣେ ମହିଳା କର୍ମୀଙ୍କୁ ଗିରଫ ବେଳେ ପୋଲିସ ଅତ୍ୟାଚାରର ସୀମା ଟପିଥିବା ଦଳ ଅଭିଯୋଗ କରିଛି । କର୍ଣ୍ଣାଟକର ହୁବ୍ବାଲିରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାନୁସାରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ ଏକାଧିକ ମହିଳା ଏବଂ ପୁରୁଷ ପୋଲିସ ଘେରି ରହିଛନ୍ତି । କୌଣସି ଅଭିଯୋଗରେ କର୍ମୀଙ୍କ ସହ ଏପରି ବ୍ୟବହାର ପ୍ରଦର୍ଶନ କରାଯାଉଛି । ଯାହାର ପ୍ରତିବାଦ କରିବା ପରେ ପୋଲିସ ତାଙ୍କୁ ଗିରଫ କରିନେଉଛି । ତେବେ ସମସ୍ତ ଅଭିଯୋଗକୁ ହୁବ୍ବାଲି ପୋଲିସ କମିଶନର ଶଶି କୁମାର ଖଣ୍ଡନ କରିଛନ୍ତି । ଏହାସହ ମହିଳାଜଣଙ୍କ ନିଜେ ତାଙ୍କ ପୋଷାକ ଚିରିବା ସହ ପୋଲିସକୁ ଆକ୍ରମଣ କରିଥିବା କମିଶନର କହିଛନ୍ତି ।

କମିଶନରଙ୍କ କହିବାନୁସାରେ, ପୋଲିସ ଏବଂ ପ୍ରଶାସନର ଏକ ଟିମ୍ ସର୍ଭେ ପାଇଁ ଚାଲୁକ୍ୟ ନଗରକୁ ଯାଇଥିଲେ । ଏହି ସମୟରେ ସେଠାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏପରିକି ପରସ୍ପରକୁ ସେମାନେ ଗାଳି ଗୁଲଜ କରିବା ସହ ମାରପିଟ୍ କରିଥିଲେ । ଯାହାକୁ ଭିତ୍ତି କରି ତିନୋଟି ମାମଲା ରୁଜୁ ହୋଇଥିଲା । ତେବେ ଗତ ୫ ତାରିଖରେ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଥିଲା । ହତ୍ୟା ଷଡଯନ୍ତ୍ର ମାମଲାରେ ତାଙ୍କୁ ଥାନାକୁ ଅଣାଯାଇଥିଲା । କିନ୍ତୁ ଗିରଫ ବେଳେ ସେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ । କିଛି ସ୍ଥାନୀୟ ଲୋକେ ମଧ୍ୟ ମହିଳାଙ୍କ ସମର୍ଥନରେ ପୋଲିସକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଖାଲି ଏତିକି ନୁହେଁ ମହିଳାଜଣଙ୍କ ଜଣେ ସବ୍ ଇନ୍ସପେକ୍ଟରଙ୍କୁ କାମୁଡି ଦେଇଥିଲେ ।

ତେବେ କଥା ଏତିକିରେ ଅଟକି ନଥିଲା । ମହିଳା ଏବଂ ତାଙ୍କ ସହଯୋଗୀଙ୍କ ଆକ୍ରମଣରେ କିଛି ପୋଲିସ କର୍ମୀ ଆହତ ହୋଇଛନ୍ତି । ତେବେ ଥାନାକୁ ଯିବା ବେଳେ ମହିଳା ନିଜେ ତାଙ୍କ ପୋଷାକକୁ ଚିରି ଖୋଲିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା ମହିଳା ପୋଲିସ ଅଧିକାରୀ ମହିଳାଙ୍କୁ ପୋଷାକ ପିନ୍ଧାଇବାକୁ ପ୍ରୟାସ କରିଥିଲେ । ଗିରଫ ମହିଳାଙ୍କ ବିରୋଧରେ 9ଟି ମାମଲା ରହିଛି । ତେବେ ପୋଲିସ ବିରୋଧରେ ଯେଉଁ ଅଭିଯୋଗ ଆସୁଛି ତାହା ମିଛ ବୋଲି କମିଶନର କହିଛନ୍ତି ।