୧୮୭ ବିଲିୟନ ଡଲାର ଋଣ କରିବେ ସରକାର, ଗତବର୍ଷଠୁ ୧୭% ଅଧିକ

NEWS7
paks-demand-of-5th-august-now-confirms-by-china

ନୂଆଦିଲ୍ଲୀ,୦୧|୦୨ : କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଗୃହରେ ବଜେଟ୍ ଉପସ୍ଥାପନା କରିଛନ୍ତି । ଏଥିରେ ବିକଶିତ ଭାରତକୁ ଫୋକସ୍ କରାଯାଇଛି । କିପରି ଆଗାମୀ ଦିନରେ ଭାରତ ସବୁ କ୍ଷେତ୍ରରେ ଉନ୍ନତିର ଶିଖର ଛୁଇଁବ ସେନେଇ ଅନେକ ଯୋଜନା ଅଣାଯାଇଛି । ତେବେ ଏହି ସବୁ ଯୋଜନା ସହ ଅନେକ ପ୍ରକଳ୍ପ ପାଇଁ ବାହାରୁ ଋଣ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ରିପୋର୍ଟ ଅନୁସାରେ,କେନ୍ଦ୍ର ସରକାର ପ୍ରାୟ ୧୭.୨ ଟ୍ରିଲିୟନ ଟଙ୍କା ବା ୧୮୭ ବିଲିୟନ ଡଲାର ଅର୍ଥ ଋଣ କରିବେ । ଯାହା ୨୦୨୫-୨୦୨୬ ତୁଳନାରେ ପ୍ରାୟ ୧୭ ପ୍ରତିଶତ ଅଧିକ । ଚଳିତ ଆର୍ଥିକ ବର୍ଷରେ ସରକାର ୧୪.୬୧ ଲକ୍ଷ କୋଟି ଟଙ୍କା ଋଣ କରିବା ଲକ୍ଷ୍ୟ ରଖିଥିଲେ । ଆସନ୍ତା ବର୍ଷ ଅର୍ଥାତ ୨୦୨୬-୨୭ରେ ଦେଶର ନେଟ୍ ବଜାର ଋଣ ୧୧.୭୩ ଟ୍ରିଲିୟନ ଟଙ୍କା ହେବ ।

ଗତ କିଛି ଦିନ ହେଲା ଦେଶର ବଣ୍ଡ୍ କାରବାର ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟ ସରକାରଙ୍କ ସମେତ ଅନ୍ୟ ସଂସ୍ଥା ବଣ୍ଡ୍ ସାହାଯ୍ୟରେ ଅନେକ ଅର୍ଥ ଋଣ ଆକାରରେ ନେଇଛନ୍ତି । ବଜେଟ୍ ପୂର୍ବରୁ ବିଶେଷଜ୍ଞମାନେ ଅନୁମାନ କରୁଥିଲେ ଯେ,ସରକାର ୧୬ ଟ୍ରିଲିୟନ ଟଙ୍କାରୁ ୧୭.୫୦ ଟ୍ରିଲିୟନ ଟଙ୍କାର ଋଣ କରିବେ । ୩୫ରୁ ଅଧିକ ଅର୍ଥଶାସ୍ତ୍ରୀ ସରକାର ୧୬.୩ ଟ୍ରିଲିୟନ ଅର୍ଥ ଋଣ କରିବା ନେଇ ଅନୁମାନ କରୁଥିଲେ ।

ସୂଚନାଯୋଗ୍ୟ,୨୦୨୬-୨୭ରେ ଋଣ-ପ୍ରତି-ଜିଡିପି ହାରାହାରି ଜିଡିପିର ୫୫.୬% ହେବ ବୋଲି ଆକଳନ କରାଯାଇଛି । ଯାହା ପୂର୍ବ ଆର୍ଥିକ ବର୍ଷ,୨୦୨୫-୨୬ରେ ୫୬.୧% ଥିଲା । ବଜେଟ୍ ୨୦୨୬-୨୭ରେ ଆର୍ଥିକ ନିଅଣ୍ଟ ଜିଡିପିର ୪.୩ ପ୍ରତିଶତ ଆକଳନ କରାଯାଇଛି । ଏହା ୨୦୨୫-୨୬ ଆର୍ଥିକ ବର୍ଷରେ ୪.୪% ଥିଲା । ୨୦୨୬-୨୭ରେ ଅଣ-ଋଣ ପ୍ରାପ୍ତି ୩୬.୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।