Share Market Crash: ସେୟାର ମାର୍କେଟରେ ହାହାକାର, ନିବେଶକଙ୍କ ୭.୫ ଲକ୍ଷ କୋଟି ଟଙ୍କା ସ୍ୱାହା

NEWS7
pakistan-to-release-air-force-pilot-abhinandan-varthaman-today

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ସୋମବାର ଡିସେମ୍ୱର ୮ରେ ଗତ କିଛି ମାସ ମଧ୍ୟରେ ସବୁଠୁ ବଡ଼ ହ୍ରାସ ଦେଖିଛି । ସେନ୍‌ସେକ୍ସ ୬୦୦ ଅଙ୍କରୁ ଅଧିକ କ୍ରାସ୍ ହୋଇ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ରସାତଳକୁ ଖସି ୨୬,୦୦୦ ତଳେ ବନ୍ଦ ହୋଇଛି । ବ୍ରଡର୍ ମାର୍କେଟ୍‌ରେ ଏହାଠାରୁ ବି ଅଧିକ ହ୍ରାସ ଦେଖିବାକୁ ମିଳିଛି । ବିଏସ୍‌ଇ ମିଡ୍‌କ୍ୟାପ୍ ଇଣ୍ଡେକ୍ସ ୧.୭୩ ପ୍ରତିଶତ ଓ ବିଏସ୍‌ଇ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ୨.୨୦ ପ୍ରତିଶତ ହ୍ରାସ ପାଇଛି । ଏହି ହ୍ରାସ ଏତେ ବଡ଼ ଥିଲା ଯେ ନିବେଶକ ଗୋଟିଏ ଦିନରେ ହିଁ ପ୍ରାୟ ୭.୫ ଲକ୍ଷ କୋଟି ଟଙ୍କା ହରାଇ ବସିଲେ ।

କାରବାର ଶେଷରେ ବିଏସ୍‌ଇ ସେନ୍‌ସେକ୍ସ ୬୦୯.୬୮ ଅଙ୍କ ବା ୦.୭୧ ପ୍ରତିଶତ ହ୍ରାସ ପାଇ ୮୫,୧୦୨.୬୯ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୨୫.୯୦ ଅଙ୍କ ବା ୦.୮୬ ପ୍ରତିଶତ ହ୍ରାସ ପାଇ ୨୫,୯୬୦.୫୫ ସ୍ତରରେ ବନ୍ଦ ହୋଇଛି ।

ସେୟାର ବଜାରରେ ଆଜିର ଏହି ହ୍ରାସ ଚାରିଆଡ଼ୁ ହୋଇଥିଲା । ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ହ୍ରାସ ଡିଫେନ୍ସ, ରିୟଲ୍ଟି, କ୍ୟାପିଟାଲ୍ ଗୁଡ୍ସ, ୟୁଟିଲିଟି ଓ ଇଣ୍ଡଷ୍ଟ୍ରିଆଲ୍ ସେୟାରରେ ଦେଖିବାକୁ ମିଳିଛି । ଆଇଟି ଓ ବ୍ୟାଙ୍କି ସେୟାର ଇଣ୍ଡେକ୍ସ ମଧ୍ୟ ଲାଲ୍ ସଂକେତରେ ବନ୍ଦ ହୋଇଛି ।

​​​​​​​

ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ୍ ମାର୍କେଟ୍ କ୍ୟାପ୍ ଆଜି ହ୍ରାସ ପାଇଁ ୪୬୩.୬୫ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଏହା ୪୭୦.୯୬ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ପ୍ରାୟ ୭.୩୧ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୭.୩୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

ଘରୋଇ ପୁଞ୍ଜି ବଜାରରେ ଆଜିର ହ୍ରାସ ଏତେ ଅଧିକ ଥିଲା ଯେ ସେନ୍‌ସେକ୍ସର ୩୦ରୁ ୨୯ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ହ୍ରାସ ଭାରତ ଇଲେକ୍ଟ୍ରୋନିକ୍ସର ସେୟାରରେ ଦେଖିବାକୁ ମିଳିଛି, ଯାହା ପ୍ରାୟ ୪.୮୮ ପ୍ରତିଶତ ଖସି ବନ୍ଦ ହୋଇଛି । ଅନ୍ୟପଟେ ଇଟରନଲ, ଟ୍ରେଣ୍ଟ, ଟାଟା ଷ୍ଟିଲ୍ ଓ ବଜାଜ ଫାଇନାନ୍ସ ସେୟାରରେ ୨.୧୪ ପ୍ରତିଶତରୁ ୨.୫୩ ପ୍ରତିଶତ ଯାଏ ହ୍ରାସ ଦେଖିବାକୁ ମିଳିଛି । ଅନ୍ୟପଟେ କେବଳ ଟେକ୍ ମହିନ୍ଦ୍ରାର ସେୟାର ଆଜି ୧.୩୨ ପ୍ରତିଶତ ବୃଦ୍ଧି ସହ ସବୁଜ ସଂକେତରେ ବନ୍ଦ ହୋଇଛି ।