କୂଅରେ ୪ ଝିଅଙ୍କୁ ଫିଙ୍ଗି ମାରିଲା ମା’; ବେକରେ ରଶି ଲଗାଇ କଲା ଆତ୍ମହତ୍ୟା

NEWS7
pakistan-stopped-flights-to-kabul-afghanistan

ଭୋପାଳ: ଗୋଟିଏ ପରିବାରର ୪ ଝିଅଙ୍କ ମୃତଦେହ ଘର ପାଖ କୂଅରୁ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି । ତାଠୁ ଅଧିକ ବିଚଳିତ କରିଛି, ସେମାନଙ୍କ ମା’ ହିଁ ୪ ନାବାଳିକାଙ୍କ ହତ୍ୟାକାରୀ । ଝିଅମାନଙ୍କ ବୟସ ୫ ମାସରୁ ୭ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି । ସ୍ବାମୀ ହାତ ଛାଡ଼ି ଦେବା ପରେ, ଅସହାୟ ହୋଇପଡ଼ିଥିଲେ ମହିଳା । ଶେଷରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି ।

ମଧ୍ୟପ୍ରଦେଶର ଘଟଣା
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଜଣେ ମା’ ତାଙ୍କର ଚାରି ନିର୍ଦ୍ଦୋଷ ଝିଅଙ୍କୁ କୂଅରେ ଫିଙ୍ଗି ଦେବା ପରେ ଆତ୍ମହତ୍ୟା କରିଛି । ମହିଳାଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ତାଙ୍କ ସ୍ୱାମୀ ଗୋଟିଏ ବର୍ଷ ଧରି ଘରକୁ ଫେରି ନଥିଲେ । ଫଳରେ ମହିଳା ଜଣକ ଦୁଃଖରେ ଥିଲେ। ଘଟଣାଟି କେସଲି ଥାନା ଅଞ୍ଚଳରେ ଘଟିଛି।

ମୃତକମାନେ...
ପୋଲିସ ଅନୁସାରେ, ମୃତକଙ୍କ ନାମ ସବିତା ବାଈ (୨୮) । ଚନ୍ଦ୍ରଭାନ ଲୋଧିଙ୍କ ସ୍ତ୍ରୀ। ମୃତକଙ୍କ ମଧ୍ୟରେ ଚାରି ଝିଅ ଅଂଶିକା (୭), ରକ୍ଷା (୫), ଦୀକ୍ଷା (୩) ଏବଂ ପାଞ୍ଚ ମାସର ମନୀଷା ସାମିଲ । ଝିଅମାନଙ୍କ ମୃତଦେହ ଘରଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଏକ କ୍ଷେତରେ ଥିବା ୨୦ ଫୁଟ ଗଭୀର କୂଅରୁ ଉଦ୍ଧାର କରାଯାଇଛି ।

ରାତିରେ ଶୋଇଥିଲେ, ସକାଳେ ଗାଏବ
ପରିବାର ଲୋକଙ୍କ କହିବା ଅନୁଯାୟୀ, ବୁଧବାର ରାତିରେ ରାତ୍ରୀ ଭୋଜନ ପରେ ସମସ୍ତେ ଭିନ୍ନ ଭିନ୍ନ କୋଠରୀକୁ ଶୋଇବାକୁ ଯାଇଥିଲେ। ସବିତାଙ୍କ ଶ୍ୱଶୁର ଏବଂ ତାଙ୍କ ଭଉଣୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସକାଳେ ଯେତେବେଳେ ସେମାନେ ଉଠିଲେ, ସବିତା ଏବଂ ତାଙ୍କ ଚାରି ଝିଅ ନିଖୋଜ ଥିଲେ। ପ୍ରଥମେ ପରିବାର ଲୋକ ଭାବିଥିଲେ ଯେ, ସେମାନେ ପାଖାପାଖି କୌଣସି ସ୍ଥାନକୁ ଯାଇଥିବେ । କିନ୍ତୁ ଦୀର୍ଘ ସମୟ ପରେ ସେମାନଙ୍କ ଖୋଜ ଖବର ମିଳିନଥିଲା । ତା'ପରେ ଗାଁ ଲୋକଙ୍କୁ ଖବର ଦିଆଯାଇଥିଲା।

ଫାର୍ମ ପାଖରୁ ମିଳିଲା ମୃତଦେହ
ଖୋଜାଖୋଜି ସମୟରେ ସବିତାଙ୍କ ମୃତଦେହ ଫାର୍ମ ପାଖରେ ଥିବା ଏକ ଗଛରେ ଝୁଲିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ତା'ପରେ ଝିଅମାନଙ୍କୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ସେମାନଙ୍କ ମୃତଦେହ କିଛି ଦୂରରେ ଥିବା ଏକ କୂଅରୁ ମିଳିଥିଲା ।ଗାଁ ଲୋକଙ୍କ ମତରେ, ମା’ ଏବଂ ୪ ଝିଅ ମଧ୍ୟବିତ୍ତ ପରିବାରର। ପ୍ରାୟ ନଅ ବର୍ଷ ପୂର୍ବେ ସବିତାର ବିବାହ ହୋଇଥିଲା। ପରିବାରରେ ଚାରି ଝିଅ, ସବିତା, ତାଙ୍କ ଶ୍ୱଶୁର ଏବଂ ତାଙ୍କ ସାନ ଭଉଣୀ ଏକାଠି ରହୁଥିଲେ । ମୃତକଙ୍କ ଦୁଇ ଭାଇ ଗାଁରେ ରହୁଛନ୍ତି। ଚାରି ଝିଅଙ୍କ ମଧ୍ୟରୁ ଦୁଇଜଣ ସ୍କୁଲରେ ପଢ଼ୁଥିଲେ।

ମୃତକଙ୍କ ମୋବାଇଲ୍ ଫୋନ୍ ଜବତ
କେସଲି ଥାନା ପ୍ରଭାରୀ ଲୋକେଶ ପଟେଲ କହିଛନ୍ତି, ‘ଗ୍ରାମବାସୀଙ୍କଠାରୁ ସୂଚନା ପାଇବା ପରେ ଆମର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣାସ୍ଥଳରେ କୌଣସି ଆତ୍ମହତ୍ୟା ନୋଟ୍ ମିଳିନାହିଁ । ମୃତକଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି।’

ଘରକୁ ଆସୁନଥିଲେ ସ୍ବାମୀ
କେସଲି ପୋଲିସ ଷ୍ଟେସନ୍ ଇନଚାର୍ଜଙ୍କ ଅନୁଯାୟୀ, ମୃତକଙ୍କ ସ୍ୱାମୀ ଚନ୍ଦ୍ରଭାନ ଲୋଧି ଜଣେ ଶ୍ରମିକ ଭାବରେ ବହାରେ ରହି କାମ କରନ୍ତି। ସେ ପ୍ରାୟ ଗୋଟିଏ ବର୍ଷ ଧରି ଘରକୁ ଆସି ନଥିଲେ। ସେ ଜବଲପୁରରେ ବସ୍ ହେଲପର ଭାବରେ କାମ କରୁଥିଲେ ଏବଂ ପରିବାର ସହିତ ଯୋଗାଯୋଗ କରୁନଥିଲେ।

ମାନସିକ ଚାପରେ ଥିଲେ ସବିତା
ସ୍ୱାମୀଙ୍କ ସହ ସମ୍ପର୍କ ନଥିବାରୁ ସବିତା ମାନସିକ ଚାପରେ ଥିଲେ । ଫଳରେ ନିଜର ୪ ଝିଅଙ୍କୁ ହତ୍ୟା କରିବା ପରେ ନିଜକୁ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିଲା ସବିତା । ପୋଲିସ ବିଭିନ୍ନ ଦିଗ ଉପରେ ନଜର ରଖି ତଦନ୍ତ କରୁଛି ।