ଉଛୁଳିଲା ବୈଦେଶିକ ମୁଦ୍ରାଭଣ୍ଡାର, ପୁଣି ଛୁଇଁଲା ରେକର୍ଡ ସ୍ତର

NEWS7
pak-weather-forecast-for-bordering-india-states-trolled-by-users

ମୁମ୍ବାଇ ୨୦।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୧୩ ଫେବୃଆରୀରେ ସମାପ୍ତ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାରର ଫଳାଫଳ ଶୁକ୍ରବାର ଘୋଷଣା କରିଛନ୍ତି। ଏହି ସମୟରେ ମୁଦ୍ରାଭଣ୍ଡାର ୮.୬୬ ବିଲିୟନ ଡଲାର ବଢି ୭୨୫.୭୨ ବିଲିୟନ ଡଲାରକୁ ପହଞ୍ଚି ଯାଇଥିବା ସୂଚିତ କରିଛନ୍ତି। ବୈଦେଶିକ ମୁଦ୍ରାଭଣ୍ଡାରର ଏହା ଏ ପର୍ଯ୍ୟନ୍ତ ର ଶୀର୍ଷ ସ୍ତର । ଜାନୁୟାରୀରେ ଏହି ଭଣ୍ଡାର ଏହାର ପୁରୁଣା ରେକର୍ଡ ୭୨୩.୭୭୪ ବିଲିୟନ ଡଲାରରେ ଥିଲା। ଆରବିଆଇ ତଥ୍ୟ ଅନୁସାରେ ବିଦେଶୀ ମୁଦ୍ରା ଆସେଟ୍ (ପରିସମ୍ପତ୍ତି) ୩.୫୫ ବିଲିୟନ ଡଲାର ବଢି ୫୭୩.୬୦ ବିଲିୟନ ଡଲାର ହୋଇଯାଇଛି।

ବିଶେଷଜ୍ଞ କହିଛନ୍ତି ଯେ ଏହି ଅଭିବୃଦ୍ଧି ଅନ୍ତର୍ଜାତୀୟ ବଜାରରେ ଟଙ୍କା ମଜଭୁତ ହେବାର ଲକ୍ଷଣ। ସେହିପରି ଏଥିରୁ ରପ୍ତାନୀ ଓ ଆମଦାନୀରେ ସୁଧାରର ମଧ୍ୟ ଏହା ସଂକେତ। ସମୀକ୍ଷାଧୀନ ସପ୍ତାହରେ ଭାରତର ସ୍ୱର୍ଣ୍ଣ ଭଣ୍ଡାର ୪.୯୯ ବିଲିୟନ ଡଲାରରୁ ବଢି ୧୨୮.୪୬ ବିଲିୟନ ଡଲାର ହୋଇଯାଇଛି। ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ବଜାରରେ ଆସିଥିବା ପରିବର୍ତ୍ତନ ତଥା ଆରବିଆଇଙ୍କ ଦ୍ୱାରା ସକ୍ରିୟତାର ସହ ସ୍ୱର୍ଣ୍ଣ କ୍ରୟ ପାଇଁ ହୋଇଛି। ଦେଶର ଆର୍ଥିକ ସୁରକ୍ଷା ଓ ଅନ୍ତର୍ଜାତୀୟ ପୈଠରେ ସ୍ୱର୍ଣ୍ଣକୁ ମଜଭୁତ ଆଧାର ମନେ କରାଯାଏ।

ବୈଦେଶିକ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଯୋଗୁ ଭାରତର ବିଶେଷ ଆହରଣ ଅଧିକାର(ଏସଡିଆର)ରେ ୧୦.୩କୋଟି ଡଲାର ବୃଦ୍ଧି ହୋଇଛି। ଫଳରେ ଏହା ୧୮.୯୨ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ସେହିପରି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ରେ ଭାରତର ସଂରକ୍ଷିତ ଅଂଶରେ ମଧ୍ୟ ୧.୯ କୋଟି ଡଲାର ବୃଦ୍ଧି ହୋଇଛି, ଯାହା ଏବେ ୭.୭୩୪ ବିଲିୟନ ଡଲାର ହୋଇଯାଇଛି। ବିଶେଷଜ୍ଞଙ୍କ ଅନୁସାରେ ଏହି ବୃଦ୍ଧି ଆର୍ଥିକ ସ୍ଥିରତା ଓ ନିବେଶକଙ୍କ ଭରସାର ସଂକେତ। ବୈଦେଶିକ ମୁଦ୍ରା ଭଣ୍ଡାରର ଆକାର ବଢିବା ଯୋଗୁ ଆରବିଆଇଙ୍କୁ ମୁଦ୍ରା ଓ ବିଦେଶୀ ନେଣଦେଣର ଉଠାପକା ମୁକାବିଲାରେ ସହାୟତା ମିଳିବ।

ଏଥିରେ ଆରବିଆଇ ଅଧିକାରୀ କହିଛନ୍ତି ଯେ ଯଦିଓ ଭଣ୍ଡାର ବଢିଛି ତଥାପି ବୈଶ୍ୱିକ ବଜାରରେ ଅସ୍ଥିରତା ଓ ଡଲାରର ଚାଲ ଉପରେ ନଜର ରଖିବା ଜରୁରି। ଭବିଷ୍ୟତରେ ରପ୍ତାନୀ, ଆମଦାନୀ ଓ ଅନ୍ତର୍ଜାତୀୟ ନିବେଶ ତଥ୍ୟ ଅନୁସାରେ ଭଣ୍ଡାର ତଳ ଉପର ହୋଇପାରେ। ମୋଟ ଉପରେ ଫେବୃଆରୀ ୧୩ ତାରିଖ ସୁଦ୍ଧା ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ତାର ରେକର୍ଡ ସ୍ତରକୁ ପହଞ୍ଚି ଯାଇଛି, ଯାହା ଦେଶର ଆର୍ଥିକ ସୁରକ୍ଷା ଓ ଅନ୍ତର୍ଜାତୀୟ ଆର୍ଥିକ ସ୍ଥିତିକୁ ଦୃଢ କରିଛି।

ଏହା ବି ପଢନ୍ତୁ :-ଘର କ୍ରେତାଙ୍କ ହାରାହାରି ବୟସ ୩୮ ରୁ ୩୪ ବର୍ଷକୁ ହ୍ରାସ: ୭୪% ଘର କିଣିଛନ୍ତି ମିଲେନିଆଲ୍ସ ଓ ଜେନ-ଜି