ମଙ୍ଗଳବାର ବାରବାଟୀ ଫାଇଟ୍, ଦୁଇ ଦଳ ବେଶ ଶକ୍ତିଶାଳୀ; ଟସ୍ ନେଇପାରେ ନିର୍ଣ୍ଣାୟକ ଭୂମିକା

NEWS7
pak-investors-meet-now-trolls-in-social-media

କଟକ: ମଙ୍ଗଳବାର ବାରବାଟୀ ଫାଇଟ୍ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ ଏଠାରେ ଖେଳାଯିବ । ପ୍ରଥମ ମ୍ୟାଚକୁ ନିଜ ସପକ୍ଷକୁ ନେଇ ସିରିଜରେ ଆଗକୁ ବଢିବାକୁ ଉଭୟ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି । ମଧ୍ୟାହ୍ନରେ ଟିମ୍ ଇଣ୍ଡିଆ ସଂଧ୍ୟାରେ ଦକ୍ଷିଣ ଆଫ୍ରିକା ଦଳ ବାରବାଟୀରେ ଝାଲ ବୁହାଇଛନ୍ତି । ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି ସୂର୍ଯ୍ୟ କୁମାର ଯାଦବ କହିଥିବା ବେଳେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ କହିଛନ୍ତି ସେମାନେ ବି ଭାରତକୁ କଡା ଟକ୍କର ଦେବେ । ତେବେ ବାରବାଟୀ ସବୁ ବେଳେ ଦକ୍ଷିଣ ଆଫ୍ରିକା ସପକ୍ଷରେ ଯାଇଛି । ହେଲେ ଭାରତ ଟି-ଟ୍ବେଣ୍ଟିଂରେ ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ ଏଥର ବାରବାଟୀରେ ଫାଇଟ୍ ଜୋରଦାର ହେବ ବୋଲି ଆଶା କରାଯାଉଛି ।

କିଏ କରିବ ବାରବାଟୀ ଦଖଲ ? ଦକ୍ଷିଣ ଆଫ୍ରିକା ନା ଭାରତ । ଆସନ୍ତାକାଲି ଦୁଇ ଦେଶ ମଧ୍ୟ ଖେଳାଯିବ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ୍ର ପ୍ରଥମ ମ୍ୟାଚ୍ । ଏଥିପାଇଁ ଦୁଇ ଦଳ ପଡ଼ିଆରେ ଆଜି ବେଶ ଝାଳ ବୁହାଇଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଦଳ । ପୂର୍ବରୁ ଟେଷ୍ଟ ସିରିଜରେ ଭାରତ ୨-୦ ରେ ହାରିଥିବା ବେଳେ ୱାନଡେ ସିରିଜକୁ କିନ୍ତୁ ୨-୧ ରେ ଜିତି ନେଇଛି। ଏବେ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚକୁ ଜିତି ସିରିଜରେ ଆଗକୁ ବଢିବାକୁ ଦୁଇ ଦଳ ଚେଷ୍ଟା କରିବେ । ଟି-ଟ୍ବେଣ୍ଟିରେ ଦୁଇ ଦଳ କିନ୍ତୁ ଖୁବ୍ ଶକ୍ତିଶାଳୀ ।

ଭାରତୀୟ ଟିମର କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ୍ , ଅଭିଷେକ ଶର୍ମା, ତିଲକ ବର୍ମା, ସଞ୍ଜୁ ସାମସନ୍ଙ୍କ ଭଳି ବ୍ୟାଟର ଥିବା ବେଳେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ ଦୁବେ, ୱାସିଂଟନ୍ ସୁନ୍ଦରଙ୍କ ଭଳି ଅଲରାଉଣ୍ଡର ଅଛନ୍ତି । ସେହିଭଳି ବୁମରା , ଅର୍ଶଦୀପ, ହର୍ଷିତ ରାଣାଙ୍କ ଭଳି ସିମର, ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ସ୍ପେଶାଲିଷ୍ଟ ସ୍ପିନର ଦକ୍ଷିଣ ଆଫ୍ରିକା ଉପରେ ଚାପ ସୃଷ୍ଟି କରିବେ । କ୍ୟାପଟେନ୍ ସୂର୍ଯ୍ୟକୁମାର କହିଛନ୍ତି ଟି-ଟ୍ବେଣ୍ଟି ମୁକାବିଲା ପାଇଁ ଆମେ ପ୍ରସ୍ତୁତ । ଟିମ ଏବେ ଭଲ ଫର୍ମରେ ଅଛି, ତେଣୁ ବାରବାଟୀ ମୁକାବିଲା ଖୁବ ରୋମାଞ୍ଚକର ହେବ ।

ଘରୋଇ ବାରବାଟୀରେ କିନ୍ତ ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତର ପ୍ରଦର୍ଶନ ଭଲ ନାହିଁ । ପୂର୍ବରୁ ଏଠାରେ ଭାରତ -ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟ୍ବେଣ୍ଟି ଖେଳାଯାଇଛି । ହେଲେ ସବୁ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସପକ୍ଷରେ ଯାଇଛି । ଏଠାରେ କେବଳ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଟି-ଟ୍ବେଣ୍ଟି ମ୍ୟାଚ୍ ଜିତି ପାରିଛି ଭାରତ । କିନ୍ତୁ ବର୍ତ୍ତମାନର ଟିମ ଇଣ୍ଡିଆ ପୂର୍ବ ଭଳି ନାହିଁ। ଟି-ଟ୍ବେଣ୍ଟି ଫର୍ମାଟରେ ଟିମ ଇଣ୍ଡିଆ ବେଶ ଶକ୍ତିଶାଳୀ । କିନ୍ତୁ ଚଳିତ ସିଜିନରେ ଦକ୍ଷିଣ ଆଫ୍ରିକାର ପରଫର୍ମାନ୍ସ ମଧ୍ୟ ଚମତ୍କାର ରହିଛି ।

ଏଡେନ୍ ମାର୍କରାମଙ୍କ ନେତୃତ୍ବାଧୀନ ଦକ୍ଷିଣ ଆଫ୍ରିକା ଦଳରେ ରିଜା ହେଣ୍ଡରିସ୍, କ୍ବିଣ୍ଟନ୍ ଡିକକ୍, ଟ୍ରିଷ୍ଟନ୍ ଷ୍ଟବସ୍, ମାର୍କରାମ, ଡେଭିଡ ମିଲରଙ୍କ ଭଳି ବ୍ୟାଟର, କାର୍ବିନ୍ ବସ୍କ, ଡୋନଭନ୍ ଫେରିରା,ଜର୍ଜ ଲିଣ୍ଡେଙ୍କ ଭଳି ଅଲରାଉଣ୍ଡର ଖେଳାଳି ଅଛନ୍ତି । ଯେଉଁମାନେ କି କୌଣସି ସମୟରେ ମ୍ୟାଚକୁ ନିଜ ଅକ୍ତିଆରକୁ ନେଇ ଯାଇପାରନ୍ତି । ଓଟୋନିଲ ବାର୍ଟମାନ୍, ମାର୍କୋ ଜାନସେନ୍ , କେଶବ ମହାରାଜଙ୍କ ଭଳି ବୋଲର ଭାରତୀୟ ଟିମ୍ ଉପରେ ଚାପ ପକାଇ ପାରନ୍ତି । ସାଉଥ ଆଫ୍ରିକା କ୍ୟାପଟେନ୍ କହିଛନ୍ତି ସେମାନେ ଏଠାରେ ଭଲ ପ୍ରଦର୍ଶନ କରିବେ । ଟସ୍ ବି ବାରବାଟୀରେ ଏକ ନିର୍ଣ୍ଣାୟକ ଭୂମିକା ନେବ । ଆସନ୍ତାକାଲି ବାରବାଟୀରେ ଜୋରଦାର ଫାଇଟ୍ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ ।