ଆଉ ଏକ ତୈଳ ଟ୍ୟାଙ୍କର ଜବତ କଲା ଆମେରିକା, ଟ୍ରମ୍ପ-ମାଚାଡୋ ବୈଠକ ପୂର୍ବରୁ ବଡ଼ କାର୍ଯ୍ୟାନୁଷ୍ଠାନ

NEWS7
pak-declare-national-emergency-to-counter-locusts

ନୂଆଦିଲ୍ଲୀ: ଆମେରିକା ଭେନେଜୁଏଲାର ଆଉ ଏକ ତେଲ ଟ୍ୟାଙ୍କର୍ ଜବତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭେନେଜୁଏଲାର ବିରୋଧୀ ନେତା ମାରିଆ କୋରିନା ମାଚାଡୋଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ପୂର୍ବରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆମେରିକାର ଅଧିକାରୀମାନେ ରଏଟର୍ସକୁ କହିଛନ୍ତି ଯେ, କ୍ୟାରିବିଆନ୍ ସାଗରରେ ଟ୍ୟାଙ୍କର୍ ଜବତ କରାଯାଇଛି ।

ଏହା ଆମେରିକା ଦ୍ୱାରା ଜବତ ହୋଇଥିବା ଷଷ୍ଠ ଜାହାଜ । ଏହା ଭେନେଜୁଏଲାରରୁ ଆସୁଥିଲା ନା ଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ । ଆମେରିକାର ସୈନ୍ୟବାହିନୀର ଦକ୍ଷିଣ କମାଣ୍ଡ ତେଲ ଟ୍ୟାଙ୍କର ଜବତ ନେଇ ସୂଚନା ଦେଇଛି । ଦକ୍ଷିଣ କମାଣ୍ଡ ଅନୁଯାୟୀ, ଏକ ଅପରେସନରେ ମୋଟର ଟ୍ୟାଙ୍କର୍ ଭେରୋନିକାକୁ ଜବତ କରାଯାଇଛି । ଆମେରିକା କହିଛି ଯେ, ଜାହାଜଟି ପରିବହନ ନିର୍ଦ୍ଦେଶ ଉଲ୍ଲଂଘନ କରୁଥିଲା।

ଗତ ସପ୍ତାହରେ, ଆମେରିକା ମଧ୍ୟ ଏକ ରୁଷ ପତାକା ଥିବା ତୈଳ ଟ୍ୟାଙ୍କର୍ ଜବତ କରିଥିଲା। ଆଟଲାଣ୍ଟିକ୍ ମହାସାଗରରେ ଦୁଇ ସପ୍ତାହ ଧରି ଜାହାଜଟି ଟ୍ରାକ୍ କରାଯାଇଥିଲା ଏବଂ ଏହାକୁ ଏକ ରୁଷୀୟ ବୁଡ଼ାଜାହାଜ ସୁରକ୍ଷା ଦେଉଥିଲା। ଏହି ଘଟଣା ପରେ, ରୁଷ ଆମେରିକାର କାର୍ଯ୍ୟାନୁଷ୍ଠାନକୁ କଡ଼ା ସମାଲୋଚନା କରିଥିଲା।

ଗୁରୁବାର ରାତିରେ ଟ୍ରମ୍ପ ଏବଂ ମାରିଆ କୋରିନା ମାଚାଡୋଙ୍କ ସାକ୍ଷାତ ପୂର୍ବରୁ ଏହି ନୂତନ କାର୍ଯ୍ୟାନୁଷ୍ଠାନ ନେଇଛି ଆମେରିକା। ଉଭୟେ ବିଳମ୍ବିତ ରାତିରେ ହ୍ୱାଇଟ୍ ହାଉସରେ ସାକ୍ଷାତ କରିବେ। ମାଦୁରୋଙ୍କ ଗାଦିଚ୍ୟୁତ ପରେ ଏହା ସେମାନଙ୍କର ପ୍ରଥମ ସାକ୍ଷାତ ହେବ। ଟ୍ରମ୍ପ ପୂର୍ବରୁ ମାଚାଡୋଙ୍କୁ ଜଣେ ସ୍ୱାଧୀନତା ସଂଗ୍ରାମୀ ବୋଲି କହିଥିଲେ। ତଥାପି, ଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ, ସେ ତାଙ୍କୁ ଭେନେଜୁଏଲାର ପରବର୍ତ୍ତୀ ନେତା କରିବା ସପକ୍ଷରେ ନାହାନ୍ତି । ତାଙ୍କୁ ଦେଶ ଭିତରେ ଆବଶ୍ୟକ ସମର୍ଥନର ଅଭାବ ରହିଛି ବୋଲି ଟ୍ରମ୍ପ କହିଥିଲେ।