ଆକାଶରେ ଦୃଶ୍ୟମାନ ହେବ ବର୍ଷର ପ୍ରଥମ ସୁପରମୁନ୍; ଏ ବର୍ଷ ୩ ସୁପରମୁନ୍ ଓ ମାଇକ୍ରୋମୁନ୍

NEWS7
pak-captain-sarfaraj-ahmad-wife-cried-when-fan-call-him-fat-pig

ନୂଆଦିଲ୍ଲୀ ୦୩।୦୧; ଆଜି ଦୃଶ୍ୟମାନ ହେବ ଶତାବ୍ଦୀର ବିରଳ ସୁପରମୁନ୍ । ଦୀର୍ଘ ୧୧୩ ବର୍ଷ ପରେ ଘଟିବ ବିରଳ ସଂଯୋଗ । ଆଜି ପୌଷ ପୂର୍ଣ୍ଣିମାରେ ଚଳିତ ବର୍ଷର ପ୍ରଥମ ସୁପରମୁନ୍ ଦୃଶ୍ୟମାନ ହେବ। ତେବେ  ଅନ୍ୟ ସୁପରମୁନ୍ ଅପେକ୍ଷା ଏହା ଖୁବ୍ ବିରଳ । କାରଣ ଆଜି ଚନ୍ଦ୍ର ପୃଥିବୀର ନିକଟତର ହେବା ସହ ପୃଥିବୀ ମଧ୍ୟ ସୂର୍ଯ୍ୟର ସବୁଠୁ ନିକଟତର ହେବ । ତେଣୁ ୨୦୨୬ରେ ମୋଟ ୩ଟି ସୁପରମୁନ୍ ଦେଖାଯିବାକୁ ଥିଲେ ମଧ୍ୟ, ଆଜି ଜହ୍ନ ସବୁଠୁ ଅଧିକ ଉଜ୍ଜ୍ୱଳ ଦେଖାଯିବ ।

​​​​​​​

ଚଳିତ ବର୍ଷ ୩ଟି ସୁପରମୁନ୍ ଓ ମାଇକ୍ରୋମୁନ୍ ଦୃଶ୍ୟମାନ ହେବ । ଚଳିତ ବର୍ଷ ଏହି ମହାଜାଗତିକ ସୁପରମୁନ୍ ଆଜି ପ୍ରଥମ ଥର ଦୃଶ୍ୟମାନ ହେବାକୁ ଯାଉଛି । ଯାହାକୁ ଖାଲି ଆଖିରେ ରାତି ସାରା ଦେଖାଯାଇ ପାରିବ । ଜ୍ୟୋତିଷଙ୍କ ଭାଷାରେ ଯଦି ଚନ୍ଦ୍ର ଆମଠାରୁ ୩.୬୩ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ ତା’ହେଲେ ସେ ଚନ୍ଦ୍ରକୁ ସୁପରମୁନ କୁହାଯାଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ୨ରୁ ୪ ଥର ଘଟିଥାଏ ।  ଶନିବାର ଦିନ ପୌଷ ପୂର୍ଣ୍ଣମୀର ଚନ୍ଦ୍ର ୨୦୨୬ ମସିହାର ପ୍ରଥମ ‘ସୁପରମୁନ’ ଭାବରେ ଦୃଶ୍ୟମାନ ହେବ । ସେହିଦିନ ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ଲକ୍ଷ ୬୨ ହଜାର କିମି ନିକଟରେ ରହିବ । ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ର ଠାରୁ ପ୍ରାୟ ୧୪ ପ୍ରତିଶତ ବଡ଼ ସହ ୩୦ ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ ।

ସେହିପରି ୨୦୨୬ର ଦ୍ୱିତୀୟ ସୁପରମୁନ୍ ନଭେମ୍ବର ୨୪ ଓ ଶେଷ ସୁପରମୁନ୍ ଡିସେମ୍ବର ୨୩ ତାରିଖରେ ଦେଖାଯିବ । ଚନ୍ଦ୍ର ପୃଥିବୀଠାରୁ ଦୂରରେ ଥିବା ବେଳେ ୩ଟି ପୂର୍ଣ୍ଣିମା ପଡ଼ୁଥିବାରୁ ମେ ୧, ମେ ୩୧ ଓ ଜୁନ୍ ୨୯ତାରିଖରେ ‘ମାଇକ୍ରୋମୁନ ଦେଖାଯିବ’ । ଏଗୁଡ଼ିକ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ । ଆକାଶ ମେଘ ବା କୁହୁଡି ମୁକ୍ତ ରହିଲେ ଜାନୁଆରୀ ୩ ତାରିଖ ଅର୍ଥାତ୍ ଆସନ୍ତାକାଲି ସୂର୍ଯ୍ୟାସ୍ତ ପରଠାରୁ ସାରା ରାତି ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ ।