ଭାରତର ପୁତୁଲରୁ ବାଂଲାଦେଶର ବେଗମ ଖାଲିଦା ଜିଆ ପର୍ଯ୍ୟନ୍ତ ଯାତ୍ରା: ଜନ୍ମମାଟି ପ୍ରତି ଘୃଣା, ପାକିସ୍ତାନ ଓ ଚୀନ ପ୍ରତି ପ୍ରେମ

NEWS7
p-chidambarams-first-night-spent-in-cbi-remand

ଢାକା: Khaleda Zia born in india : ବାଂଲାଦେଶ ରାଜନୀତିରେ ପ୍ରତିଷ୍ଠିତ ଚେହେରା...ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କର ୮୦ ବର୍ଷ ବୟସରେ ମଙ୍ଗଳବାର(୩୦ ଡିସେମ୍ବର ୨୦୨୫) ପରଲୋକ ହୋଇଛି। ସକାଳ ନମାଜ ପରେ ତାଙ୍କର ବିୟୋଗ ହୋଇଥିବା ତାଙ୍କ ଦଳ ବାଂଲାଦେଶ ନ୍ୟାସ୍ନାଲ ପାର୍ଟି ପକ୍ଷରୁ ଫେସବୁକରେ ସୂଚନା ଦିଆଯାଇଥିଲା। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ପୂର୍ବତନ ଅଧ୍ୟକ୍ଷା ଖାଲିଦା ଜିଆ ଦୀର୍ଘକାଳୀନ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।

ତାଙ୍କ ବିୟୋଗରେ ବାଂଲାଦେଶ ରାଜନୈତିକ ମାହୋଲ ଦୁଃଖରେ ବୁଡ଼ିଛି। ବିଭିନ୍ନ ନେତା ସୋସିଆଲ୍ ମିଡିଆରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି। ଏମିତିକି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି।

ସ୍ୱାମୀ ତଥା ତତ୍କାଳୀନ ବାଂଲାଦେଶ ରାଷ୍ଟ୍ରପତି ଜିଆଉର ରେହମାନଙ୍କ ହତ୍ୟା ପରେ ଲାଇମଲାଇଟ୍କୁ ଆସନ୍ତି ବେଗମ ଖାଲିଦା। ଆଉ ୧୯୯୧ ମସିହାରେ ବାଂଲାଦେଶ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇ ଆରମ୍ଭ କରନ୍ତି ତାଙ୍କ ସଫଳ ରାଜନୈତିକ ଯାତ୍ରା। ତାଙ୍କର ସଫଳ ରାଜନୈତିକ ଯାତ୍ରାରେ ସେ ୩ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ଆସନ୍ତା ଫେବ୍ରୁଆରୀରେ ମଧ୍ୟ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡ଼ିଥିଲେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା।

ଖାଲିଦା ଜିଆଙ୍କର ରାଜନୈତିକ ଆଭିମୁଖ୍ୟ ସବୁବେଳେ ଭାରତ ବିରୋଧୀ ରହିଥିଲା। ଭାରତ ବିରୋଧରେ ବିଷୋଦଗାର କରି ସାମ୍ପ୍ରଦାୟିକ ନିଶାରେ ବୁଡ଼ିଥିବା ବାଂଲାଦେଶରେ ସେ ହୋଇପାରିଥିଲେ ଲୋକପ୍ରିୟ। ଗଙ୍ଗା ଜଳ ବଣ୍ଟନ ଚୁକ୍ତି ହେଉ କିମ୍ବା ଅନ୍ୟ କୌଣସି ଘଟଣାର ଖାଲିଦା ସବୁବେଳେ ଭାରତକୁ ଦାୟୀ କରି ଆସିଛନ୍ତି। ବାଂଲାଦେଶର ଲୋକଙ୍କୁ ଭାରତ ବିରୋଧରେ ମତାଇ ସେ ରାଜନୀତିରେ ରୋଟି ସେକିଛନ୍ତି।

ସବୁବେଳେ ଭାରତ ବିରୋଧରେ ବିଷୋଦଗାର କରୁଥିବା ଖାଲିଦା ଜିଆଙ୍କର କିନ୍ତୁ ଭାରତ ସହିତ ରହିଛି ପୁରୁଣା ଓ ଗଭୀର ସମ୍ପର୍କ। କାରଣ ଅବିଭକ୍ତିତ ଭାରତ ମାଟିରେ ଜନ୍ମ ହୋଇଥିଲେ ଏହି ବାଂଲାଦେଶୀ ନେତ୍ରୀ। ୧୯୪୫ ମସିହାରେ ଅବିଭକ୍ତ ଭାରତର ଗ୍ରେଟର ଦିନାଜପୁରର ଅଂଶ ଜଲପାଇଗୁଡ଼ିରେ ଜନ୍ମଗ୍ରହଣ କରିଥିଲେ ଖାଲିଦା ଜିଆ। ଭାରତ ବିଭାଜନ ପରେ ଖାଲିଦା ତାଙ୍କ ପରିବାର ସହିତ ତତ୍କାଳୀନ ପୂର୍ବ ପାକିସ୍ତାନ ବା ଏବର ବାଂଲାଦେଶକୁ ଚାଲିଯାଇଥିଲେ।

ଖାଲିଦାଙ୍କ ବାପା ଇସ୍କନ୍ଦର ଅଲି ମଜୁମଦାର ଜଣେ ଚା ବ୍ୟବସାୟୀ ଥିଲେ ଏବଂ ସେ ଫେନି (ବର୍ତ୍ତମାନର ବାଂଲାଦେଶ ଚିଟ୍ଟାଗୋଙ୍ଗ ଡିଭିଜନରେ) ଅଞ୍ଚଳର ବାସିନ୍ଦା ଥିଲେ। ତାଙ୍କ ମାଆ ତୈୟାବା ମଜୁମଦାର କିନ୍ତୁ ପଶ୍ଚିମ ଦିନାଜପୁର (ବର୍ତ୍ତମାନ ଭାରତର ପଶ୍ଚିମବଙ୍ଗରେ)ର ଚାନ୍ଦବାରି ଗ୍ରାମର ବାସିନ୍ଦା ଥିଲେ। ଖାଲିଦା ଜିଆଙ୍କର ଶ୍ରଧେୟ ନାଁ ଥିଲା ପୁତୁଲ, ମାନେ କଣ୍ଢେଇ। ସାର୍ଟିଫିକେଟ ନାଁ ଖାଲିଦା ଖାନମ।

ଖାଲିଦା ଜିଆଙ୍କ ସ୍ୱାମୀ ଓ ପରିବାରଦେଶ ବିଭାଜନ ପରେ ସବୁକିଛି ବଦଳିଗଲା। ଭାରତରେ ଜନ୍ମ ହୋଇଥିଲେ ବି ତାଙ୍କ ଆଭିମୁଖ୍ୟ ହେଲା ଭାରତ ବିରୋଧୀ। ଖଲିଦା ଜିଆ ଜିଆଉର ରେହମାନ (୧୯୩୬-୧୯୮୧) ଙ୍କୁ ୧୯୬୦ରେ ବିବାହ କରିଥିଲେ। ବିବାହ ପରେ ଖାଲିଦା ତାଙ୍କ ନାଁ ବଦଳାଇ ଖାଲିଦା ଜିଆ କରିଦେଇଥିଲେ। ତାଙ୍କ ସ୍ୱାମୀ ଜିଆଉର ରେହମାନ ଜଣେ ଉଚ୍ଚପଦସ୍ଥ ସାମରିକ ଅଧିକାରୀ ଥିଲେ। ବଙ୍ଗ ବନ୍ଧୁ ଶେଖ ବୁଜିବୁର ରେହମାନଙ୍କ ହତ୍ୟା ପରେ ୧୯୭୭ ରୁ ୧୯୮୧ ମସିହା ପର୍ଯ୍ୟନ୍ତ ସେ ବାଂଲାଦେଶ ରାଷ୍ଟ୍ରପତି ବି ହୋଇଥିଲେ। ୧୯୭୮ ମସିହାରେ ଜିଆଉର ବାଂଲାଦେଶ ନ୍ୟାସନାଲ ପାର୍ଟି ଗଠନ କରିଥିଲେ। ୧୯୮୧ ମସିହାରେ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଖାଲିଦା ଜିଆ ଦଳର ନେତୃତ୍ୱ ନେଇଥିଲେ।

ସେ ପ୍ରଥମ ଥର ୧୯୯୧ ମସିହାରେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ ଫେବୃଆରୀ ୧୯୯୬ ମସିହାରେ କିଛି ସପ୍ତାହ ପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହାପରେ ୨୦୦୧ ରୁ ୨୦୦୬ ପର୍ଯ୍ୟନ୍ତ ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ତାଙ୍କର ସବୁଠାରୁ ପ୍ରଭାବଶାଳୀ ଓ ବିବାଦୀୟ କାର୍ଯ୍ୟକାଳ ରହିଥିଲା।

ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ଭାରତ ସହିତ ବାଂଲାଦେଶର ସମ୍ପର୍କ ପ୍ରାୟତଃ ଉତ୍ତେଜନାପୂର୍ଣ୍ଣ ଏବଂ ରାଜନୈତିକ ଗରମାଗରମି ମଧ୍ୟରେ ରହିଥିଲା। କାରଣ ସେ ନୂଆଦିଲ୍ଲୀ ସହିତ ସମ୍ପର୍କ ଅପେକ୍ଷା ପାକିସ୍ତାନ ଏବଂ ଚୀନ୍ ସହିତ ସମ୍ପର୍କକୁ ପ୍ରାଥମିକତା ଦେଉଥିଲେ।

୧୯୭୨ ମସିହାର ଭାରତ-ବାଂଲାଦେଶ ବନ୍ଧୁତା ଚୁକ୍ତିକୁ "ଦାସତ୍ୱ ଚୁକ୍ତି" ବୋଲି କହିଥିଲେ। ସେ ୧୯୯୬ ମସିହାର ଗଙ୍ଗା ଜଳ ବଣ୍ଟନ ଚୁକ୍ତିକୁ "ଦାସତ୍ୱ ଚୁକ୍ତି" ବୋଲି ମଧ୍ୟ କହିଥିଲେ। ଚିଟାଗଙ୍ଗ ପାର୍ବତ୍ୟାଞ୍ଚଳ ଶାନ୍ତି ଚୁକ୍ତିନାମାକୁ ବିରୋଧ କରିଥିଲେ। ୨୦୦୬ ମସିହାରେ ଜିଆ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତ ଗସ୍ତ କରିଥିଲେ। ଏହି ସମୟରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ଭେଟିଥିଲେ। ହେଲେ କୌଣସି ଚୁକ୍ତି ଉପରେ ଆଲୋଚନା ହୋଇନଥିଲା।

ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଖାଲିଦାଙ୍କ କାର୍ଯ୍ୟକାଳ ସମୟରେ ଭାରତ ବିରୋଧୀ ଉପାଦାନଗୁଡ଼ିକୁ ପ୍ରୋତ୍ସାହନ ମିଳିଥିଲା। ISI ଢାକାରେ ଏକ ଦୃଢ଼ ଉପସ୍ଥିତି ସ୍ଥାପନ କରିଥିଲା। ଏହା ବ୍ୟତୀତ ଭାରତର ଉତ୍ତର-ପୂର୍ବ ଆତଙ୍କବାଦୀ ଗୋଷ୍ଠୀ ଯେପରିକି ULFA ଏବଂ NSCNକୁ ମଧ୍ୟ ବାଂଲାଦେଶରେ ଆଶ୍ରୟ ଦିଆଯାଇଥିଲା।

ସୂଚନା ଥାଉକି, ଖାଲିଦାଙ୍କର ସାନ ପୁଅ ଆରାଫାତ ରେହମାନଙ୍କର ୨୦୧୫ରେ ମାତ୍ର ୪୫ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ବଡ଼ ପୁଅ ତାରିଖ ରେହମାନ ବର୍ତ୍ତମାନ ବିଏନ୍ପିର ନେତୃତ୍ୱ ନେଉଛନ୍ତି ଓ ବାଂଲାଦେଶ ରାଜନୀତିରେ ସକ୍ରିୟ ଅଛନ୍ତି।