ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମନିଲଣ୍ଡ୍ରିଂ ମାମଲାରୁ କ୍ରିଷ୍ଟିୟାନ ମିସେଲ ମୁକ୍ତ, ଏବେ ରହିବେ CBI ହାଜତରେ

NEWS7
oxygen-level-testing-at-ganjam-odisha

ନୂଆଦିଲ୍ଲୀ ୨୦।୧୨: ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ଶନିବାର ବ୍ରିଟିଶ ନାଗରିକ କ୍ରିଷ୍ଟିୟାନ ମିସେଲ ଜେମସଙ୍କୁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରୁ ମୁକ୍ତ କରିଦେଇଛନ୍ତି। ତେବେ ସମ୍ପର୍କିତ ମାମଲାରେ ସେ ଏବେବି ସିବିଆଇ ହାଜତରେ ରହିବେ। କୋର୍ଟ କହିଛନ୍ତି ଯେ ଯଦି ଅନ୍ୟ କୌଣସି ମାମଲା ନାହିଁ ତେବେ ତାଙ୍କୁ ଡିସେମ୍ବର ୨୧ରେ ମୁକ୍ତ କରିଦିଆଯାଉ। ସିବିଆଇ ସ୍ପେଶାଲ ଜଜ୍ ଜଷ୍ଟିସ୍ ସଞ୍ଜୟ ଜିନ୍ଦଲ ସିଆରିପିସିର ଧାରା ୪୩୬ (ଏ)ରେ ଏହି ଆଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ଏହି ଧାରାର ଅନ୍ୟ ପ୍ରାବଧାନ ଅନୁସାରେ ଅଭିଯୁକ୍ତକୁ ୨୧ ଡିସେମ୍ବର ୨୦୨୫ରୁ ଆଗକୁ ହାଜତରେ ରଖି ହେବ ନାହିଁ।ଉଲ୍ଲେଖଯୋଗ୍ୟ ଯେ ସିଆରପିସି ଧାର ୪୩୬(ଏ) ର ଅନ୍ୟ ପ୍ରାବଧାନ ଅନୁସାରେ ଯାଞ୍ଚ, ପଚରା ଉଚରା ଅଥବା ଟ୍ରାୟଲ କାଳରେ କୌଣସି ବ୍ୟକ୍ତିଙ୍କୁ ଅପରାଧର ଅଧିକତମ ଦଣ୍ଡରୁ ଅଧିକ ସମୟ ପର୍ଯ୍ୟନ୍ତ ହାଜତରେ ରଖା ଯାଇ ପାରିବନି। ମିସେଲ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ସେ ମନିଲଣ୍ଡ୍ରିଂ ମାମଲାରେ ଅଧିକତମ ୭ ବର୍ଷ ଦଣ୍ଡ ପୁରା କରିସାରିଛନ୍ତି ଓ ଏହି ମାମଲାରେ ସେ ୭ ବର୍ଷ ହେଲା ହାଜତରେ ଅଛନ୍ତି। ଏଣୁ କୋର୍ଟ କହିଛନ୍ତି ଯେ ଯଦି ଅନ୍ୟ ମାମଲାରେ ଆବଶ୍ୟକତା ନଥାଏ ତେବେ ତାଙ୍କୁ ମୁକ୍ତ କରିଦିଆଯାଉ।

ଏହା ପୂର୍ବରୁ ମିସେଲଙ୍କୁ ଏହି ଅନିୟମିତତା ସମ୍ପର୍କିତ ସିବିଆଇ ମାମଲାରେ ଓ ଦିଲ୍ଲୀ ହାଇକୋର୍ଟ ଇଡି ମାମଲାରେ ଜାମିନ ମଞ୍ଜୁର କରିଛନ୍ତି। ଜାମିନ ସର୍ତ୍ତ ଅନୁସାରେ ପ୍ରତ୍ୟେକ ମାମଲାରେ ତାଙ୍କୁ ୫ ଲକ୍ଷ ଟଙ୍କା ଓ ପାସପୋର୍ଟ ସରେଣ୍ଡର କରିବାର ଥିଲା। ତେବେ ସେ ବଣ୍ଡ ଜମା କରିନଥିଲେ ଓ ହାଜତରେ ରହିବା କାଳରେ ତାଙ୍କ ପାସପୋର୍ଟ ଇନଭାଲିଡ ହୋଇଯାଇଛି। ସିବିଆଇ ମାମଲାରେ ମଧ୍ୟ ମିସେଲଙ୍କ ଆବେଦନର ଶନିବାର ଶୁଣାଣି ହୋଇଛି। କୋର୍ଟ ମାମଲାରେ ସିବିଆଇକୁ ଜବାବ ମାଗିଥିବା ବେଳେ ପରବର୍ତ୍ତି ଶୁଣାଣି ଡିସେମ୍ବର ୨୨ ତାରିଖକୁ ସୂଚୀବଦ୍ଧ କରିଛନ୍ତି।

କୋର୍ଟ ବାହାରେ ମିସେଲ ଗଣମାଧ୍ୟମ ସହ କଥାବାର୍ତ୍ତାରେ ଭାରତୀୟ ନ୍ୟାୟ ପ୍ରଣାଳୀକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଦେଶରେ ଅନେକ ଭଲଭଲ ଜଜ ଅଛନ୍ତି, ଏଣୁ ମୁଁ ମୋତେ ଭାଗ୍ୟବାନ ମନେ କରୁଛି। ଦେଶର ସମ୍ବିଧାନକୁ ମଧ୍ୟ ସେ ଉତ୍କୃଷ୍ଟ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମିସେଲଙ୍କୁ ଦୁବାଇରୁ ୪ଡିସେମ୍ବର ୨୦୧୮ରେ ପ୍ରତ୍ୟାର୍ପିତ କରାଯାଇଥିଲା। ଭାରତରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଏହା ପରେ ଇଡି ତାଙ୍କୁ ୨୨ ଡିସେମ୍ବର ୨୦୧୮ରେ ଗିରଫ କରିଥିଲା।

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣାରେ ମିସେଲ ମଧ୍ୟସ୍ଥ ହୋଇଥିବାର ଅଭିଯୋଗ ରହିଛି। ଏହି ମାମଲା ୩,୬୦୦ କୋଟି ଟଙ୍କା ହେଲିକପ୍ଟର କିଣା ସମ୍ପର୍କିତ। ସିବିଆଇ ୨୦୧୩ ମସିହାରେ ଏ ନେଇ ମାମଲା ରୁଜୁ କରିଥିଲା ଓ ଇଡି ମଧ୍ୟ ଯାଞ୍ଚ ଆରମ୍ଭ କରିଥିଲା। କୁହାଯାଇଥିଲା ସପ୍ଲାୟରଙ୍କୁ କଣ୍ଟ୍ରାକ୍ଟ ଦେବା ପାଇଁ ହେଲିକପ୍ଟରର ଉଡାଣ ଉଚ୍ଚତା ସର୍ତ୍ତକୁ କୋହଳ କରାଯାଇଥିଲା ଓ ଏଥିରେ ୨୦୦ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା।