LIVE TV

ସ୍ତନ୍ୟପାନ କରାଉଥିବା ମହିଳାଙ୍କ କ୍ଷୀରରେ ଝରୁଛି ‘ୟୁରାନିୟମ’, ମିଳିଲାଣି ୪୦ କେସ୍, ଜାଣନ୍ତୁ କ’ଣ କହୁଛନ୍ତି ବୈଜ୍ଞାନିକ?

NEWS7
oscars-2022-94th-academy-awards-postponed-earlier-set-for-february-27-will-now-be-held-on-march-27

ପାଟନା ୨୩।୧୧: ବିହାରରୁ ଆସୁଥିବା ଏକ ବୈଜ୍ଞାନିକ ରିପୋର୍ଟ ସାରା ଦେଶକୁ ଚକିତ କରିଛି। ଗବେଷଣାରେ ଦାବି କରାଯାଇଛି ଯେ ରାଜ୍ୟର ୬ ଜିଲ୍ଲାରେ ସ୍ତନ୍ୟପାନ କରାଉଥିବା ୪୦ ମହିଳାଙ୍କ ବ୍ରେଷ୍ଟ ମିଲ୍କ ସାମ୍ପଲରୁ ୟୁରାନିୟମ ମିଳିଛି। ପ୍ରଥମ ନଜରରେ ଏହା ବହୁତ ଡରାଇବା ଭଳି ଲାଗୁଛି ଓ ନବଜାତକଙ୍କ ସ୍ୱାସ୍ଥ୍ୟକୁ ନେଇ ଲୋକେ ଚିନ୍ତିତ ହେବା ସ୍ୱଭାବିକ। ହେଲେ ଏଥି ମଧ୍ୟରେ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଅର୍ଥାତ ଏନଡିଏମଏ ବୈଜ୍ଞାନିକ ଓ ନ୍ୟୁକ୍ଲିୟର ଏକ୍ସପର୍ଟ ଡା. ଦିନେଶ କେ. ଅସ୍ୱାଲ ଆଶ୍ୱସ୍ତିକର ବୟାନ ଦେଇଛନ୍ତି।

ଡା.ଅସ୍ୱାଲ କହିଛନ୍ତି ଯେ ଏହି ରିପୋର୍ଟରେ ମିଳିଥିବା ୟୁରାନିୟମ ସ୍ତର ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ସୀମାରୁ ଅନେକ ଗୁଣା କମ। ଏଣୁ ବେତିବ୍ୟସ୍ତ ହେବାର କୌଣସି କାରଣ ନାହିଁ ଓ ସ୍ତନ୍ୟପାନ ସୁରକ୍ଷିତ। ତେବେ ଆସନ୍ତୁ ଜାଣିବା ପୁରା ମାମଲା କ’ଣ?

‘ନେଚର ଜର୍ଣ୍ଣାଲ’ରେ ପ୍ରକାଶିତ ଗବେଷଣାରେ ପାଟନାର ମହାବୀର କ୍ୟାନସର ଇନିଷ୍ଟେଚ୍ୟୁଟ୍, ଏମସ୍ ଦିଲ୍ଲୀ ଓ ଅନ୍ୟ ସଂସ୍ଥାଙ୍କ ବୈଜ୍ଞାନିକମାନେ ୨୦୨୧ରୁ ୨୦୨୪ ମଧ୍ୟରେ ବିହାରର ଭୋଜପୁର, ସମସ୍ତିପୁର, ବେଗୁସରାୟ, ଖଗଡିୟା, କଟିହାର ଓ ନାଳନ୍ଦା ଜିଲ୍ଲାରେ ସ୍ତନ୍ୟପାନ କରାଉଥିବା ୪୦ ମହିଳାଙ୍କ ବ୍ରେଷ୍ଟ ମିଲ୍କ ସାମ୍ପଲ ନେଇଥିଲେ। ଗବେଷଣାରୁ ଜଣାପଡିଥିଲା ଯେ ସବୁ ମହିଳାଙ୍କ ଦୁଗ୍ଧରେ ୟୁରାନିୟମ-୨୪୮ ରହିଛି, ଯାହାର ମାତ୍ରା ୦ରୁ ୫.୨୫ g/L ମଧ୍ୟରେ ରହୁଛି। ଏଣୁ ରିପୋର୍ଟରେ ଚେତାବନୀ ଦିଆଯାଇଥିଲା ଯେ ୭୦%ନବଜାତକଙ୍କ ଠାରେ ସମ୍ଭାବିତ ‘ନନ୍-କାର୍ସିନୋଜେନିକ’ ରିସ୍କ ଥାଇପାରେ । ତେବେ ଏହି ବିପଦକୁ ଏବେ କେବଳ ସୈଦ୍ଧାନ୍ତିକ ବୋଲି କୁହାଯାଇଛି।

ଭୂତଳ ଜଳରେ ବଢୁଛି ୟୁରାନିୟମ
ଅଧ୍ୟୟନରେ କୁହାଯାଇଛି ଯେ ବିହାର ସମେତ ଦେଶର ୧୮ ରାଜ୍ୟ ଓ ୧୫୧ ଜିଲ୍ଲାର ଭୂତଳ ଜଳରେ ୟୁରାନିୟମ ସମସ୍ୟା ବଢୁଛି। ଗବେଷକ ଏହା ମଧ୍ୟ କହିଛନ୍ତି ଯେ ନବଜାତ ଶିଶୁ ମା ତୁଳନାରେ ଅଧିକ ସମ୍ବେଦନଶୀଳ, କାରଣ ସେମାନଙ୍କ ଶରୀରରେ ରିୟଲ ଟାଇମ ୟୁରାନିୟମ ଏଲିମିନେସନ କ୍ଷମତା କମ୍। ରିପୋର୍ଟରେ ଏହା ବି ପରାମର୍ଷ ଦିଆଯାଇଛି ଯେ ପ୍ରାଭାବିତ ଜିଲ୍ଲାମାନଙ୍କରେ ବ୍ୟାପକ ସ୍ତରରେ ବାୟୋ-ମନିଟରିଂ ଜରୁରି।

ଏନଡିଏମଏ ବୈଜ୍ଞନିକ କହିଲେ ଚିନ୍ତାର କୌଣସି କାରଣ ନାହିଁ
ଏହି ରିପୋର୍ଟ ଯେବେ ଚର୍ଚ୍ଚାକୁ ଆସିଲା ଲୋକଙ୍କ ମଧ୍ୟରେ ଭୟ ବଢିଗଲା। ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ପ୍ରକାରର କଥା ପ୍ରସାରିତ ହେଲା। ଏଥି ମଧ୍ୟରେ ନ୍ୟୁକ୍ଲିୟର ବୈଜ୍ଞାନିକ ତଥା ଏନଡିଏମଏ ସଦସ୍ୟ ଡା. ଦିନେଶ କେ. ଅସ୍ୱାଲ ଏନଡିଟିଭି ସହ ଆଲୋଚନାରେ ବଡ଼ ତଥ୍ୟ ସାମ୍ନାରେ ରଖିଛନ୍ତି। ସେ କହିଛନ୍ତି ୟୁରାନିୟମର ଏହି ସ୍ତର ବିଲକୁଲ ସୁରକ୍ଷିତ ସୀମା। ପିଇବା ପାଣିରେ ଡବ୍ଲୁଏଚଓ ଅନୁମତି ସୀମା 30ppB ଥିବା ବେଳେ ବିହାର ସାମ୍ପଲରେ ମାତ୍ର 5ppB ମିଳିଛି। ଏହା ନିର୍ଦ୍ଧାରିତ ସୀମାରୁ ପାଖାପାଖି ୬ ଗୁଣା କମ୍।

ଡ.ଅସ୍ୱାଲ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହା କୌଣସି ରୂପେ ଜନସ୍ୱାସ୍ଥ୍ୟ ନେଇ ଚିନ୍ତାଜନକ ନୁହେଁ। ଏଣୁ ଏହାକୁ ନେଇ ଏତେ ବେତିବ୍ୟସ୍ତ ହେବାରକୌଣସି କାରଣ ନାହିଁ। ଏଣୁ ମା ମାନେ ବିନା ଭୟରେ ସେମାନଙ୍କ ଶିଶୁଙ୍କୁ ସ୍ତନ୍ୟପାନ କରାଇ ପାରିବେ।

ଏମସ୍ ବୈଜ୍ଞାନିକ ମଧ୍ୟ କହୁଛନ୍ତି ସମାନକଥା
ଏହି ଅଧ୍ୟୟନର ସହ ଲେଖକ ଡା. ଅଶୋକ ଶର୍ମା (ଏମସ୍ ଦିଲ୍ଲୀ) କହିଛନ୍ତି ଯେ ୟୁରାନିୟମ ମାତ୍ରା ଅନୁମତି ସୀମାରେ ରହିଛି। ଏଣୁ ଏହା ଯୋଗୁ ବାସ୍ତବିକ୍ ସ୍ୱାସ୍ଥ୍ୟ ପ୍ରଭାବ ‘ବହୁତ କମ’। ଏଣୁ ମା ମାନେ ସ୍ତନ୍ୟପାନ ବନ୍ଦ କରନ୍ତୁନି। ଡା. ଶର୍ମା କହିଛନ୍ତି ଯେ ଯଦିଓ ୭୦% ପିଲାଙ୍କ ଠାରେ ସମ୍ଭାବିତ ରିସ୍କ ରହୁଛି,ତେବେ ଏହା କେବଳ ଏକ ବୈଜ୍ଞାନିକ ଆକଳନ। ତୁରନ୍ତ ବିପଦର କୌଣସି ସଂକେତ ନୁହେଁ।

ସାରା ବିଶ୍ୱର ମାଟି ଓ ପାଣିରେ ମିଶୁଛି ୟୁରାନିୟମ
ଏନଡିଏମଏ ବୈଜ୍ଞାନିକ ଡା. ଅସ୍ୱାଲ କହିଛନ୍ତି ଯେ ୟୁରାନିୟମ ସ୍ୱଭାବିକ ଭାବେ ମାଟି ଓ ପଥରରେ ଥାଏ। ଏହା ଖାଇବା, ପିଇବା ଓ ପବନରେ ଖୁବ କମ ମାତ୍ରାରେ ଶରୀରକୁ ପହଞ୍ଚିଥାଏ। ହେଲେ ଏହା ଅଧିକାଂଶ ମୁତ୍ରରେ ନିଷ୍କାସିତ ହୋଇଯାଏ ଓ ବ୍ରେଷ୍ଟ ମିଲ୍କରେ ବହୁତ କମ ଥାଏ। ଅଧ୍ୟୟନର ଉଦ୍ଦେଶ୍ୟ ଥିଲା ବ୍ରେଷ୍ଟ ମିଲ୍କରେ ୟୁରାନିୟମର ଉପସ୍ଥିତିକୁ ବୁଝିବା, ମା ଓ ଶିଶୁଙ୍କ ପ୍ରତି ସମ୍ଭାବିତ ବିପଦର ଆକଳନ କରିବା ଓ ସେହି ସବୁ ଅଞ୍ଚଳକୁ ଚିହ୍ନଟ କରିବା ଯେଉଁଠିକାର ଭୂତଳ ଜଳରେ ଅଧିକ ୟୁରାନିୟମ ଆସୁଛି।ଏହି ଗବେଷଣା ଆଗକୁ ନୀତି ନିର୍ଦ୍ଧାରଣ ଓ ଗ୍ରାଉଣ୍ଡ ୱାଟର କ୍ୱାଲିଟି ସୁଧାରରେ ସହାୟତା କରିବ।

କ’ଣ କହୁଛନ୍ତି ବିଶେଷଜ୍ଞ?
ପ୍ରାୟ ସବୁ ବିଶେଷଜ୍ଞ ଗୋଟିଏ କଥାରେ ଏକମତ ଯେ ଏହା ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ନୁହେଁ। ଏଥିରେ ନବଜାତକଙ୍କ ପାଇଁ ଏଥିଲାଗି ବାସ୍ତବିକ କୌଣସି ବିପଦ ନାହିଁ। ତେବେ ସ୍ତନ୍ୟପାନ୍ୟ ରୋକିଦେବା ସବୁଠୁ ବଡ଼ ଭୁଲ ହେବ। ବୈଜ୍ଞାନିକମାନେ କହିଛନ୍ତିଯେ ମା ମାନଙ୍କୁ ଘାବରେଇବାର କୌଣସି ଆବଶ୍ୟକତା ନାହିଁ, ତେବେ ସଚେତନ ରହିବା ଆବଶ୍ୟକ। ଡବ୍ଲୁଏଚଓ ଏବଂ ୟୁନିସେଫ ‘ସ୍ତନ୍ୟପାନ’କୁ ସର୍ବଶ୍ରେଷ୍ଠ ମାନୁଛନ୍ତି ଓ ଏଥିରୁ ଦୂରେଇ ରହିବା ଶିଶୁ ସ୍ୱାସ୍ଥ୍ୟ ଲାଗି ବିପଦଜନକ ହୋଇପାରେ।