ଯାତ୍ରୀଙ୍କୁ ହନ୍ତସନ୍ତ କରିଥିବା Indigoଏୟାର ଲାଇନ୍ସ ବିରୋଧରେ ହେବ ଯାଞ୍ଚ, ଆଦେଶ ଦେଲେ CCI

NEWS7
opposiotion-party-meet-in-delhi-bjd-didnot-joined

ନୂଆଦିଲ୍ଲୀ ୪।୨: କମ୍ପିଟେସନ କମିଶନ ଅଫ ଇଣ୍ଡିଆ (ସିସିଆଇ) ପରିଚାଳନା ତ୍ରୁଟି କାରଣରୁ ଡିସେମ୍ବର ମାସରେ ଶହଶହ ଉଡାଣ ରଦ୍ଦ କରାଯିବା ମାମଲାରେ ଦେଶର ସବୁଠୁ ବଡ଼ ଏୟାରଲାଇନ ଇଣ୍ଡିଗୋ ବିରୋଧରେ ବୁଧବାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ମାସରେ ଇଣ୍ଡିଗୋର ଶହଶହ ଉଡାଣ ବାତିଲ ହୋଇଥିଲା। ଏଣୁ ହଜାର ହଜାର ଯାତ୍ରୀ ସମସ୍ୟାରେ ପଡିଥିଲେ। ଏହି ଘଟଣାର ପାଖାପାଖି ୨ ମାସ ପରେ ସିସିଆଇ ଏହି ତଦନ୍ତ ନିର୍ଦ୍ଦେଶ ଜାରି କରିଛନ୍ତି।

ସିସିଆଇ କହିଛନ୍ତି ଯେ ଇଣ୍ଡିଗୋ ବହୁ ସଂଖ୍ୟାରେ ଉଡାଣ ବାତିଲ କରି ନିଜ ନିର୍ଦ୍ଧାରିତ କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ବଜାରରୁ ହଟେଇ ନେଇଥିଲା। ଏଣୁ ଅଭାବ ପରିସ୍ଥିତି ଉପୁଜିବା ସହ ଚାହିଦା ସମୟରେ ଯାତ୍ରୀଙ୍କ ବିମାନଯାତ୍ରା ସୁବିଧା ସଂକୁଚିତ ହୋଇଥିଲା। ସିସିଆଇଙ୍କ ଅନୁସାରେ ‘କୌଣସି ପ୍ରଭାବଶାଳୀ କମ୍ପାନୀ ପକ୍ଷରୁ ଏପରି ଆଚରଣକୁ ପ୍ରତିଯୋଗୀତା ଅଧିନିୟମର ଧାରା 4(2)(B)(I) ଅନୁସାରେ ସେବା ଯୋଗାଣ ସୀମିତ ରୂପେ ଦେଖା ଯାଇ ପାରିବ’।

କମ୍ପିଟେସନ ଅଧିନିୟମର ଧାରା ୪ବଜାରରେ ପ୍ରଭାବର ଦୂରୁପଯୋଗ ସମ୍ପର୍କିତ। ସିସିଆଇ କହିଛନ୍ତି ଯେ ଇଣ୍ଡିଗୋର ଏହି ଆଚରଣ ପ୍ରତିଯୋଗୀତା ଉପରେ ପ୍ରଭାବ ପକାଇବା ବଳି ପ୍ରତୀତ ହେଉଛି।ଏଣୁ ଆୟୋଗ ମାମଲାର ବିସ୍ତୃତ ଯାଞ୍ଚ ନିମନ୍ତେ ମହାନିର୍ଦ୍ଦେଶକଙ୍କୁ ଆଦେଶ ଦେଇଛନ୍ତି। ଆୟୋଗ ଆଦେଶରେ ଏହା ବି କହିଛନ୍ତି ଯେ ଡିସେମ୍ବର ଆରମ୍ଭରେ ଇଣ୍ଡିଗୋକୁ ଗୁରୁତର ପରିଚାଳନା ବାଧାର ସମ୍ମୁଖୀନ ହେବାକୁ ପଡିଥିଲା।

ଏହା ପରେ ବେସାମରିକ ବିମାନ ସେବା ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଲାଇନ୍ସର ଶୀତକାଳୀନ ଉଡାଣ କାର୍ଯ୍ୟକ୍ରମକୁ ୧୦% ହ୍ରାସ କରିଥିଲେ। ସିସିଆଇଙ୍କ ଅନୁସାରେ ୩ରୁ ୫ ଡିସେମ୍ବର ମଧ୍ୟରେ ଇଣ୍ଡିଗୋର ୨,୫୦୭ ଉଡାଣ ବାତିଲ କରାଯାଇଥିଲା। ଏହାଛଡା ୧,୮୫୨ ଉଡାଣ ବିଳମ୍ବିତ ହୋଇଥିଲା। ଏହି ସମୟରେ ସାରା ଦେଶର ବିଭିନ୍ନ ବିମାନ ବନ୍ଦରରେ ୩ ଲକ୍ଷରୁ ଅଧିକ ଯାତ୍ରୀ ହନ୍ତସନ୍ତ ହୋଇଥିଲେ।