LIVE TV

କମିବ ଦୁର୍ଘଟଣା, ଜାତୀୟ ରାଜପଥରୁ ହଟିବେ ବୁଲା କୁକୁର-ଗାଈ

NEWS7
opposiotion-party-meet-in-delhi-bjd-didnot-joined

ନୂଆଦିଲ୍ଲୀ, ୦୭|୧୧  : ରାସ୍ତାରୁ ହଟିବେ ବୁଲା କୁକୁର ଏବଂ ଗାଈ । ଏନେଇ ସରକାର ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସାରା ଦେଶରେ ଏହା କାର୍ଯ୍ୟକାରୀ କରିବାକୁ କୋର୍ଟ କହିଛନ୍ତି । ଏହାସହ ସବୁ ରାଜ୍ୟର ସରକାରୀ ପ୍ରତିଷ୍ଠାନରେ ବାଡ କିମ୍ବା ପାଚେରୀ ନିର୍ମାଣ ପାଇଁ କହିଛନ୍ତି କୋର୍ଟ । ଏପରିକି ଧରିବା ପରେ ବୁଲା ପଶୁଙ୍କୁ ନଛାଡିବାକୁ କୁହାଯାଇଛି ।

ଏକ ମାମଲାର ଶୁଣାଣି କରି ଜଷ୍ଟିସ ବିକ୍ରମ ନାଥ, ସନ୍ଦିପ ମେହେତା ଏବଂ ଏନଭି ଅନଜାରିଆ ସମସ୍ତ ରାଜ୍ୟ ସରକାରଙ୍କୁ ସରକାରୀ ପ୍ରତିଷ୍ଠାନ ଚାରିପାଖେ ବାଡ ବା ପାଚେରୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା ବୁଲା ପଶୁ ସରକାରୀ ପ୍ରତିଷ୍ଠାନକୁ ଆସିପାରିବେ ନାହିଁ । ଏହି ନିର୍ଦ୍ଦେଶ ଦେଶର ସମସ୍ତ ଜିଲ୍ଲା ହସ୍ପିଟାଲ, ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ରେଳ ଷ୍ଟେସନରେ ଲାଗୁ ହେବ । ଯେଉଁ ଜାଗାରୁ ବୁଲା ପଶୁଙ୍କୁ ଧରାଯାଇଥିବ ସେଠାରେ ପୁନର୍ବାର ଛଡାଯିବ ନାହିଁ ।

ଜଷ୍ଟିସ ମେହଟା ଶୁଣାଣି ବେଳେ କହିଛନ୍ତି ଯେ, ତୁରନ୍ତ ରାସ୍ତା, ଜାତୀୟ ରାଜପଥରୁ ବୁଲା ପଶୁଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏଥିରେ କୁକୁର ସହ ଗାଈ-ଗୋରୁଙ୍କୁ ସାମିଲ କରାଯିବ । ଏହି ପ୍ରକ୍ରିୟାର ଚୂଡାନ୍ତ ରୂପ ଦେବା ପାଇଁ ସମସ୍ତ ମୁଖ୍ୟ ଶାସନ ସଚିବ ଦାୟୀ ରହିବେ । ନଚେତ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡିବ ।

ସୂଚନାଯୋଗ୍ୟ, କିଛି ମାସ ତଳେ ଦିଲ୍ଲୀରେ ବୁଲା କୁକୁରଙ୍କୁ ନେଇ ଏକ ମାମଲା ସୁପ୍ରିମକୋର୍ଟରେ ପହଁଚିଥିଲା । ଯାହାକୁ ଅନେକ ପଶୁପ୍ରେମୀ ବିରୋଧ କରିଥିଲେ । ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ରାସ୍ତା କଡରୁ ବୁଲା ଗାଈ-ଗୋରୁ ଏବଂ କୁକୁର ହଟିବେ । ଯାହା ଦ୍ୱାରା ଦୁର୍ଘଟଣା ମଧ୍ୟ ହ୍ରାସ ପାଇବ ।