ଭାରତରେ ଟୋୟୋଟାର ପ୍ରଥମ ଇଭି କାର୍ ଲଞ୍ଚ୍, ଥରେ ଚାର୍ଜ ହେଲେ ଯିବ ୫୪୩ କିଲୋମିଟର

NEWS7
one-student-of-bjb-collage-tested-corona-positive

ନୂଆଦିଲ୍ଲୀ: ଟୋୟୋଟା କିର୍ଲୋସ୍କର ମୋଟର ମଙ୍ଗଳବାର ଭାରତରେ ଏହାର ପ୍ରଥମ ଇଲେକ୍ଟ୍ରିକ୍ କାର୍ Urban Cruiser Ebella EVକୁ ଲଞ୍ଚ କରିଛି। ଏହା ଏକ ମିଡ୍- ସାଇଜ ଇଲେକ୍ଟ୍ରିକ ଏସୟୁଭି ହୋଇଥିବା ବେଳେ, ଏହି କାର୍‌କୁ ମାରୁତି ଇ- ଭିଟାରା ପ୍ଲାଟଫର୍ମରେ ପ୍ରସ୍ତୁତ କରାଯାଇଛି। ଭାରତରେ ଏହି କାର୍ ଟାଟା କର୍ଭ ଇଭି, ଏମଜି ଜେଏସଡବ୍ଲୁ ଇଭିର ଅପକମିଂ ହ୍ୟୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ ସହ ପ୍ରତିଯୋଗିତା କରିବ।

ଇବେଲାର ପୂରା ଡିଜାଇନ ପ୍ରାୟତଃ ମାରୁତିର ଇ-ଭିଟାରା ଭଳି ହୋଇଥିଲେବି, ଟୋୟୋଟା ଏହାର ଫ୍ରଣ୍ଟରେ ଖୁବ୍ ପରିବର୍ତ୍ତନ କରିଛି। କମ୍ପାନି ଫ୍ରଣ୍ଟରେ ସ୍ଲିକ୍ ଏଲଇଡି ହେଡଲାଇଟ ଏବଂ ମସ୍କୁଲାର ଫ୍ରଣ୍ଟ ବମ୍ପର ଦେଇଛି। କାର୍‌ରେ ୧୮ ଇଞ୍ଚର ଏରୋ- ଅପ୍ଟିମାଇଜ୍ଡ ଆଲଏ ହ୍ବିଲ୍ସ ଏବଂ ବ୍ଲାକ୍ ବଡି କ୍ଲାଡିଂ ଦିଆଯାଇଛି। ଯାହା କାର୍‌କୁ ଏକ ରଫ୍ ଆଣ୍ଡ୍ ଟଫ୍ ଲୁକ୍ ଦେଉଛି। ପଛ ପାର୍ଶ୍ବରେ କନେକ୍ଟେଡ ଏଲଇଡି ଟେଲ୍‌ଲ୍ୟାମ୍ପ ଏବଂ ରୁଫ ସ୍ପଏଲର ରହିଛି। କାର୍ର ଲମ୍ବ ୪,୨୮୫ ଏମଏମ ଏବଂ ହ୍ବିଲବେସ ୨,୭୦୦ ଏମଏମ ରହିଛି। ଫଳରେ ଏହା ଯୋଗୁ କାରରେ ଅଧିକ ସ୍ପେସ ମିଳିବ।

କାର୍‌ର ଫିଚର୍ସ କଥା କହିଲେ, Toyota Urban Cruiser Ebellaର କ୍ୟାବିନ୍ ବେଶ୍ ଅତ୍ୟାଧୁନିକ ରଖାଯାଇଛି। ଏଥିରେ ୧୦.୨୫ ଇଞ୍ଚର ଟଚ୍‌ସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ଏବଂ ଡିଜିଟାଲ ଡ୍ରାଇଭର ଡିସପ୍ଲେ ଦିଆଯାଇଛି। ସେହିଭଳି ସନରୁଫ୍, ଓ୍ବାୟାରଲେସ ଚାର୍ଜିଂ, ଭେଣ୍ଟିଲେଟେଡ ଫ୍ରଣ୍ଟ ସିଟ୍, ଆମ୍ବିଏଣ୍ଟ ଲାଇଟିଂ ଏବଂ ଡୁଆଲ- ଜୋନ କ୍ଲାଇମେଟ କଣ୍ଟ୍ରୋଲ ଭଳି ଲଗଜୁରୀ ଫିଚର୍ସ ରହିଛି। ଡ୍ରାଇଭରଙ୍କ ସୁବିଧା ପାଇଁ ଏଥିରେ ରୋଟାରୀ ଡାଏଲ ଗିୟର ସିଲେକ୍ଟର ଏବଂ ଟୁ- ସ୍ପୋକ ଷ୍ଟୟରିଂ ହ୍ବିଲ ଭଳି ଅନେକ ଫିଚର୍ସ ରହିଛି।

ଟୋୟୋଟା ଇବେଲାକୁ ଦୁଇ ବ୍ୟାଟେରୀ ପ୍ୟାକ୍ ଅପ୍ସନ ସହ ଲଞ୍ଚ କରାଯାଇଛି। ପ୍ରଥମଟି ୪୯kWhର ବ୍ୟାଟେରୀ ପ୍ୟାକ ଯାହା ୧୪୪hpର ପାଓ୍ବାର ଜେନେରେଟ୍ କରିଥାଏ। ଅନ୍ୟଟି ୬୧kWhର ବ୍ୟାଟେରୀ ପ୍ୟାକ୍। ଯାହା ୧୭୪ ଏଚପି ପାଓ୍ବାର ଜେନେରେଟ କରିଥାଏ। ଦୁଇଟି ଯାକ ମଡେଲ ୧୮୯Nmର ଟର୍କ ଜେନେରେଟ୍ କରିଥାନ୍ତି। କମ୍ପାନିର କହିବା ଅନୁସାରେ, ଏହାର ବଡ଼ ବ୍ୟାଟେରୀ ପ୍ୟାକ୍ ସହ ୫୪୩ କିଲୋମିଟର ରେଞ୍ଜ ମିଳିବ। ଏହି ମଡେଲରେ ଫ୍ରଣ୍ଟ ହ୍ବିଲ୍ ଡ୍ରାଇଭ ଏବଂ ଅଲ୍ ହ୍ବିଲ୍ ଡ୍ରାଇଭ ଦୁଇଟି ବିକଳ୍ପରେ ଲଞ୍ଚ କରାଯାଇଛି।

ସେହିଭଳି ସେଫ୍ଟି ପାଇଁ ଇବେଲାରେ ଲେବୁଲ-୨ ADAS ସିଷ୍ଟମ ଦିଆଯାଇଛି। ଯେଉଁଥିରେ ଆଡାପ୍ଟିଭ କ୍ରୁଜ କଣ୍ଟ୍ରୋଲ ଏବଂ ଲେନ କିପ୍ ଆସିଷ୍ଟ ଭଳି ଫିଚର୍ସ ରହିଛି। ଏହା ବାଦ ୬ ଏୟାରବ୍ୟାଗ୍, ABS ସହ EBD, 360 ଡିଗ୍ରୀ କ୍ୟାମେରା, ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ (ESC) ଏବଂ ଟାୟାର ପ୍ରେସର ମନିଟରିଂ ସିଷ୍ଟମ (TPMS) ଭଳି ସେଫ୍ଟି ଫିଚର୍ସ ଷ୍ଟାଣ୍ଡାର୍ଡ ଭାବରେ ରହିଛି।

ତେବେ ବର୍ତ୍ତମାନ କମ୍ପାନି ଏହାର ମୂଲ୍ୟ ନେଇ ଘୋଷଣା କରିନାହିଁ। କିନ୍ତୁ ରିପୋର୍ଟ ଅନୁସାରେ ଏହାର ଏକ୍ସ- ଶୋରୁମ ଦାମ୍ ୧୮ ଲକ୍ଷରୁ ୨୫ ଲକ୍ଷ ଟଙ୍କା ମଧ୍ୟରେ ରହିପାରେ। ଟୋୟୋଟା ଏହା ଉପରେ ୮ ବର୍ଷର ବ୍ୟାଟେରୀ ଓ୍ବାରେଣ୍ଟି ଦେଉଛି। ଏହା ସହ ୬୦% ଆସୟୋର୍ଡ ବାଏବ୍ୟାକ୍ ଏବଂ ବ୍ୟାଟେରୀ ଆଜ୍ ଏ ସର୍ଭିସ ଅପ୍ସନ ମଧ୍ୟ ଦେଉଛି।