LIVE TV

ଭାରତୀୟଙ୍କ ଥାଳିରେ କମୁଛି ପ୍ରୋଟିନ ବଢୁଛି କାର୍ବୋହାଇଡ୍ରେଟ, ସତର୍କ କଲେ ICMR

NEWS7
one-more-corona-patient-recovered

ନୂଆଦିଲ୍ଲୀ ୧୫।୧୦: ଭାରତୀୟ ଖାଦ୍ୟ ବାସ୍ତବିକ ସ୍ୱାଦିଷ୍ଟ, ହେଲେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବେଳକୁ ବେଳ ଅନୁପଯୁକ୍ତ ହୋଇପଡୁଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଙ୍କ ଏକ ସଦ୍ୟ ଅଧ୍ୟୟନରୁ ଏହା ଜଣାପଡିଛି। ଏହି ଅଧ୍ୟୟନ ଅନୁସାରେ ଏବେ ଭାରତୀୟଙ୍କ ଥାଳିରେ ପ୍ରୋଟିନ ପରିମାଣ କମୁଥିବା ବେଳେ କାର୍ବୋହାଇଡ୍ରେଟ୍ ବଢିବଢି ଚାଲିଥିବା ଜଣାପଡିଛି। ଏହି କାରଣରୁ ଦେଶରେ ମେଦବହୂଳତା, ଡାୟବେଟିଜ୍, ହାଇବ୍ଲଡପ୍ରେସର ଓ ମାଂସପେଶୀ ଦୁର୍ବଳତା ଅଭିଯୋଗ ମଧ୍ୟ  ବଢୁଛି।

ଦେଶର ସବୁ ରାଜ୍ୟର ଖାଦ୍ୟ ଓ ପାନୀୟ ଅଲଗା, ଲୋକଙ୍କ ଖାଦ୍ୟ ପାନୀୟ ଅଭ୍ୟାସ ମଧ୍ୟ ଅଲଗା। ହେଲେ ପ୍ରାୟ ରାଜ୍ୟର ଲୋକଙ୍କ ଥାଳିକୁ ଭାତ, ରୁଟି ଓ ଆଳୁ ଭଳି ହାଇ କାର୍ବୋ ଫୁଡ ମାଡି ବସିଛି। ଆଇସିଏମଆରଙ୍କ କହିବା କଥା ହେଉଛି ଯଦି ଖାଦ୍ୟ ପାନୀୟରେ ସନ୍ତୁଳନ ଅଣା ନ ଯାଇ ପାରିଲା ତେବେ ଆଗାମୀ ବର୍ଷମାନଙ୍କରେ ଭାରତରେ ଜୀବନ ଶୈଳୀ ଜନିତ ରୋଗର ପ୍ରାଦୁର୍ଭାବ ବଢିଯିବ। ଆଇସିଏମଆର ଓ ନ୍ୟାସନନାଲ ଇନିଷ୍ଟିଚ୍ୟୁସନ ଅଫ ନ୍ୟୁଟ୍ରିସନ (ଏନଆଇଏନ) କରାଯାଇଥିବା ମିଳିତ ଅଧ୍ୟୟନରେ ଭାରତର ଅଲଗା ଅଲଗା ରାଜ୍ୟର ଡାୟେଟ ପ୍ୟାଟର୍ଣ୍ଣ ବିଶ୍ଲେଷଣ କରାଯାଇଥିଲା।

 ରିପୋର୍ଟରୁ ଜଣାପଡିଛି ଯେ ଭାରତୀୟଙ୍କ ଖାଦ୍ୟ ପେୟରେ ୬୦-୭୦% ଭାଗ କାର୍ବୋହାଇଡ୍ରେଟ ରହୁଛି ଓ ଏଥିରେ ପ୍ରୋଟିନର ମାତ୍ରା ମାତ୍ର ୧୦% ଆଖପାଖରେ ରହୁଛି। ଏହାର ଅର୍ଥ ହେଉଛି ଲୋକେ ତ ପେଟ ପୁରା ଖାଦ୍ୟ ଖାଉଛନ୍ତି, ହେଲେ ଏଥିରୁ ଶରୀରକୁ ଜରୁରି ପୋଷଣ ମିଳୁ ନାହିଁ। ଏଣୁ ଆଇସିଏମଆର କହିଛନ୍ତି ଭାରତୀୟଙ୍କୁ ଖାଦ୍ୟରୁ ଏନର୍ଜୀ ତ ମିଳୁଛି ହେଲେ ଏହା ସନ୍ତୁଳିତ ନୁହେଁ। ଏପରି ଅସନ୍ତୁଳିତ ଖାଦ୍ୟ ଦୀର୍ଘ ସମୟରେ ରୋଗର କାରଣ ପାଲଟୁଛି।

ରିପୋର୍ଟ ଅନୁସାରେ ଭାରତୀୟ ଲୋକେ ହାରାହାରି ସେତିକି ପରିମାଣର ପ୍ରୋଟିନ ଗ୍ରହଣ କରିପାରୁ ନାହାନ୍ତି ଯେତିକି ଶରୀରକୁ ଆବଶ୍ୟକ। ଜଣେ ଲୋକକୁ ଦିନକରେ ହାରାହାରି ୬୦ ଗ୍ରାମ ପ୍ରୋଟିନର ଆବଶ୍ୟକତା ପଡିଥାଏ। ହେଲେ ଅଧିକାଂଶ ଭାରତୀୟ ମାତ୍ର ୩୦-୪୦% ହିଁ ଗ୍ରହଣ କରନ୍ତି। ଡାଲି, ଅଣ୍ଡା, ଦୁଗ୍ଧ ଓ ସୋୟା ଭଳି ପ୍ରୋଟିନ ଆମ ଥାଳିରେ ରହୁ ନାହିଁ। ଏହାର ପ୍ରଭାବ ଆମର ଇମ୍ୟୁନିଟି, ମସଲସ, ହେଲଥ୍ ଓ ଏନଜର୍ଜୀ ଉପରେ ପଡୁଛି।

ଆଇସିଏମଆରଙ୍କ ଅଧ୍ୟୟନରୁ ଏହା ଜଣାପଡିଛି ଯେ ଦକ୍ଷିଣ ଭାରତରେ ଲୋକେ ଭାତ ଉପରେ ଅତ୍ୟଧିକ ନିର୍ଭରଶୀଳ। ସେହିପରି ଉତ୍ତର ଭାରତୀଟ ରୁଟି ଉପରେ ନିର୍ଭର କରୁଛନ୍ତି। ପୂର୍ବୋତ୍ତର ଓ ଉପକୂଳ ଅଞ୍ଚଳର ଲୋକେ ଖାଦ୍ୟରେ ମାଛ ଓ ନଡିଆ ଉପଯୋଗ କରୁଛନ୍ତି। ମାଛ ଓ ନଡିଆରୁ କିଛି ମାତ୍ରାରେ ପ୍ରୋଟିନ ମିଳି ଯାଉଛି ତେବେ ମୋଟ ଉପରେ ଦେଶରେ ସନ୍ତୁଳିତ ଡାୟେଟର ଅଭାବ ଦେଖାଯାଇଛି। ଏଣୁ ଆଇସିଏମଆର ଲୋକଙ୍କୁ ନିଜ ଡାୟେଟ ତୁରନ୍ତ ସୁଧାରିବାକୁ ପରାମର୍ଶ ଦେଇଛନ୍ତି।

ରିପୋର୍ଟ ଅନୁସାରେ ଲୋକେ ଯଦି ଖାଦ୍ୟ ସହିତ ପ୍ରୋଟିନ ଓ ସ୍ୱାସ୍ଥ୍ୟକର ଫ୍ୟାଟକୁ ସାମିଲ ନ କରନ୍ତି ତେବେ ଜୀବନ ଶୈଳୀ ରୋଗ ଯେପରିକି ମୋଟା ହେବା, ଡାୟବେଟିଜ୍ ଓ ବ୍ଲଡ ପ୍ରେସର ଭଳି ସମସ୍ୟା ଭୋଗିବେ। ଏଣୁ ସଂସ୍ଥା ପ୍ରତି ବ୍ୟକ୍ତିକୁ ତା ଦୈନିକ ଥାଳିରେ ୨୫% ପ୍ରୋଟିନ, ୫୦% କାର୍ବସ ଓ ୨୫% ସ୍ୱାସ୍ଥ୍ୟକର ଫ୍ୟାଟସ୍ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି। ଆଇସିଏମଆର ବିଶେଷଜ୍ଞଙ୍କ ଅନୁସାରେ ଯଦି ଲୋକେ ଦୈନିକ ଖାଦ୍ୟରେ ଡାଲି, ଅଣ୍ଡା, ଖୀର, ଦହି ଓ ପନିର ଆଦି ସାମଲ କରନ୍ତି ତେବେ ଏହି ସନ୍ତୁଳନକୁ ସହଜରେ ସୁଧାର କରାଯାଇ ପାରିବ।

ଏହା ସହିତ ଲୋକଙ୍କୁ ସେମାନଙ୍କ ଥାଳିରୁ ଭାତ ଓ ରୁଟିକୁ ସାମାନ୍ୟ ହ୍ରାସ କରି ଫାଇବର ଓ ପନିପରିବାକୁ ସାମାନ୍ୟ ବଢାଇଲେ ଶରୀର ମଜଭୁତ ହେବା ସାଙ୍ଗକୁ ଭବିଷ୍ୟତରେ ବଡ଼ ବଡ଼ ରୋଗରୁ ମଧ୍ୟ ମୁକ୍ତି ମିଳିପାରିବ ବୋଲି କହିଛନ୍ତି । ଆଇସିଏମଆରଙ୍କ ଏହି ରିପୋର୍ଟ ସବୁ ଭାରତୀୟଙ୍କ ଲାଗି ଏକ ଚେତାବନୀ ବୋଲି ଏବେ ବୁଝାଯାଉଛି। କେବଳ ପେଟ ପୁରିଗଲେ ଯେ କହି ସ୍ୱାସ୍ଥ୍ୟବାନ ତାହା ବୁଝିବା ଭୁଲ ବୋଲି ପ୍ରମାଣିତ ହୋଇଛି। ଯଦି ଆମ ଥାଳିରେ ପୋଷଣ ସନ୍ତୁଳନ ନ ରହେ ତେବେ ଶରୀର ଧିରେ ଧିରେ ଦୁର୍ବଳ ହୋଇ ପଡିବ। ଏଣୁ ଏବେ ସମୟ ଅଛି ଆମର ପାରମ୍ପରିକ ସ୍ୱାଦ ସହିତ ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ରଖିବା ଉଚିତ, ଯାହାଦ୍ୱାରା ଆମର ଖାଦ୍ୟ ଆମର ଶକ୍ତି ହେବ ଦୁର୍ବଳତା ନୁହେଁ।