ଶିକାରୀ ଫାଶରେ ଫସିଲା କଲରାପତରିଆ, ୭ ଦିନ ପରେ ଉଦ୍ଧାର କଲା ବନ ବିଭାଗ

NEWS7
one-arrested-for-10th-class-girl-pregnant-in-laxmipur

ନୂଆପଡ଼ା ୨୭।୧୨: ଶିକାରୀ ଫାଶରେ ଫସିଗଲା ବାଘ । ୭ ଦିନ ପରେ ଉଦ୍ଧାର କଲା ବନ ବିଭାଗ । ଏଭଳି ଘଟଣା ଘଟିଛି ଓଡ଼ିଶା-ଛତିଶଗଡ ସୀମାନ୍ତବର୍ତ୍ତୀ ଗାରିଆବନ୍ଧ ଜିଲ୍ଲା ଉଦନ୍ତୀ ସୀତାନଦୀ ଜଙ୍ଗଲ ଭିତରେ ଥିବା ତୌରଙ୍ଗା ବଫର ଜୋନର କୋକୋଡ଼ି ଗାଁରେ ।

ସୂଚନାଯୋଗ୍ୟ ଯେ, ଶିକାର ଆଶାରେ ଜଣେ ଶିକାରୀ ବାଇକ୍ର କ୍ଲଚ୍ ଓୟାରରେ ଫାଶ କରି ଜଙ୍ଗଲ ଭିତରେ ରଖିଥିଲେ । ଶିକାର ଲୋଭରେ ସେହି ବାଟ ଦେଇ ଯାଉଥିବା ବାଘଟି ଫାଶରେ ପଡିଯାଇଥିଲା । ଫଳରେ ବାଘଟି ଆଉ କେଉଁଆଡ଼େ ଯାଇପାରି ନଥିଲା । ଗାଁ ଲୋକେ ଦେଖିବା ପରେ ବନ ବିଭାଗକୁ ଏନେଇ ଖବର ଦେଇଥିଲେ । ଖବର ପାଇବା ପରେ ବନ ବିଭାଗ ଡ୍ରୋନ୍ ସାହାଯ୍ୟରେ ବାଘର ସ୍ଥିତି ଅନୁଧ୍ୟାନ କରିଥିଲେ । ବନ ବିଭାଗର SDO ଗୋପାଳ କଶ୍ୟପଙ୍କ ତତ୍ୱାବଧାନରେ ସୁରକ୍ଷିତ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା ପରେ ଏବେ ଜଙ୍ଗଲ ସଫାରୀ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ବର୍ତ୍ତମାନ କଲରାପତରିଆ ବାଘର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ସେପଟେ ଶିକାରୀଙ୍କୁ ଧରାଇଦେଲେ ୧୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି ଛତିଶଗଡ଼ ବନ ବିଭାଗ । ତେବେ ଜଙ୍ଗଲ ଭିତରେ ସ୍ପାଏ କ୍ୟାମେରା ଲଗାଯାଇଥିବା ବେଳେ ଗତ ୭ ଦିନ ଭିତରେ ୧୯ ଶିକାରୀଙ୍କୁ ଆଣ୍ଟି ପୋଚିଂ ଟିମ୍ ଗିରଫ କରିଥିବା ଜଣାପଡିଛି । ତେବେ ଫାଶରେ ପଡ଼ିଥିବା ବାଘ ପାଇଁ କିଏ ଦାୟୀ ତାହା ଏବେ ତଦନ୍ତ ଜାରି ରହିଛି ।