ଟି20 ବିଶ୍ୱକପ୍ : ଭାରତ ବିପକ୍ଷରେ ଖେଳିବ କି ପାକିସ୍ତାନ ? ICC-PCBର ସିକ୍ରେଟ୍ ମିଟିଂରେ ବାହାରିପାରେ ବାଟ

NEWS7
old-woman-died-in-truck-accident-in-badbil

ଲାହୋର,|୦୨ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି୨୦ ବିଶ୍ୱକପ୍ ମ୍ୟାଚକୁ ନେଇ ଧିରେ ଧିରେ ସମାଧାନର ରାସ୍ତା ବାହାରୁଛି । ପୂର୍ବରୁ ପାକିସ୍ତାନ ଶ୍ରୀଲଙ୍କାରେ ଆୟୋଜିତ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବନି ବୋଲି କହିଥିଲା । ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିଲେ ବି ଟିମ୍ ଇଣ୍ଡିଆ ସହ ଫାଇଟ୍ କରିବ ନାହିଁ ବୋଲି ପିସିବି ମୁଖ୍ୟ ମୋହସିନ୍ ନକଭି କହିଥିଲେ । ଏବେ କିନ୍ତୁ ଧିରେ ଧିରେ ନରମିଛି ପାକ୍ । ଲାହୋରରେ ଆଇସିସି, ବାଂଲାଦେଶ କ୍ରିକେଟ୍ ବୋର୍ଡ ଏବଂ ପିସିବିର ବୈଠକ ପରେ କିଛି ଏମିତି ଖବର ମିଳିଛି ।

ରବିବାର ଲାହୋରରେ ପିସିବି ମୁଖ୍ୟ ନକଭିଙ୍କ ସହ ବାଂଲାଦେଶ କ୍ରିକେଟ୍ ବୋର୍ଡ ମୁଖ୍ୟ ଅମିନୁଲ୍ ଇସଲାମ ଏବଂ ଆଇସିସି ଉପାଧ୍ୟକ୍ଷ ଇମରାନ ଖ୍ୱାଜା ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ତିନୋଟି ସଂସ୍ଥାର ଅଧିକାରୀ ଏହି ସମୟରେ ସାକ୍ଷାତ କରିଛନ୍ତି ଯେତେବେଳେ ଭାରତ-ପାକ୍ ମ୍ୟାଚ୍ କୁ ନେଇ ସସପେନ୍ସ ଜାରି ରହିଛି । ପୂର୍ବରୁ ପାକିସ୍ତାନ ଟି୨୦ ବିଶ୍ୱକପ୍ ବୟକଟ୍ କରିବ ବୋଲି ଧମକ ଦେଇଥିଲା । ପରେ କେବଳ ଭାରତ ସହ ଖେଳିବନି ବୋଲି କହୁଛି । ବାଂଲାଦେଶକୁ ସମର୍ଥନ କରି ପାକ୍ କ୍ରିକେଟ୍ ବୋର୍ଡ ଏହି ନିଷ୍ପତ୍ତି ନେଇଛି । ବୟକଟ ଇଣ୍ଡିଆ ପରେ ପାକ୍ କୁ ବିଭିନ୍ନ ଆଡୁ ଚାପ ପଡୁଛି । ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆଇସିସି ନିର୍ଦ୍ଦେଶ ମଧ୍ୟ ଦେଇସାରିଛି ।

ସୂତ୍ରାନୁସାରେ, ଲାହୋରରେ ଆୟୋଜିତ ବୈଠକରେ ଆଇସିସି ପାକିସ୍ତାନକୁ ସ୍ପଷ୍ଟୀକରଣ ମାଗିଛି । ପ୍ରଥମେ ପାକିସ୍ତାନ ନିଜ ଜିଦରେ ଅଟଳ ଥିଲା । ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପିସିବିକୁ ମେଲ୍ ପଠାଇଥିଲା । ଯାହା ପରେ ସ୍ଥିତି ଆହୁରି ଜଟିଳ ହୋଇଯାଇଥିଲା । ମେଲରେ ଶ୍ରୀଲଙ୍କା ପାକିସ୍ତାନକୁ ପୁରୁଣା କଥା ମନେ ପକାଇଥିଲା । ଏହାସହ କଲମ୍ବୋରେ ସୁରକ୍ଷାରେ କୌଣସି ତ୍ରୁଟି ହେବନାହିଁ ବୋଲି ମଧ୍ୟ ଭରସା ଦେଇଥିଲା ।

ତେବେ ବୈଠକ ପରେ କୁହାଯାଉଛି ଯେ, ପାକିସ୍ତାନ ନରମିଛି । ସମସ୍ତ ପକ୍ଷ ମଧ୍ୟରେ ସକରାତ୍ମକ ଚର୍ଚ୍ଚା ହୋଇଛି । ଏହାସହ ଆସନ୍ତା ୧୫ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।