LIVE TV

ଜୈସଲମେରରେ ଜଳିଗଲା ଚଳନ୍ତା ବସ୍, ନିଆଁରେ ପୋଡ଼ି ୧୨ ଜଣଙ୍କ ମୃତ୍ୟୁ !

NEWS7
oil-price-rising

ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେର ଜିଲ୍ଲାରେ ମଙ୍ଗଳବାର ଅପରାହ୍ଣରେ ବଡ଼ ଦୁର୍ଘଟଣା ଘଟିଛି । ଜୈସଲମେରରୁ ଯୋଧପୁର ଯାଉଥିବା ଏକ ଘରୋଇ ବସରେ ଯୁଦ୍ଧ ସଂଗ୍ରହାଳୟ ନିକଟରେ ନିଆଁ ଲାଗିଯାଇଥିଲା । ନିଆଁରେ ଜଳି ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୋଟ ୫୭ ଜଣ ବସରେ ଯାତ୍ରା କରୁଥିବା ଜଣାପଡ଼ିଛି । ଗୁରୁତରମାନଙ୍କୁ ଜବାହର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ପ୍ରଥମେ ବସ୍‌ରେ ଲାଗିଥିବା ନିଆଁକୁ ଲିଭାଇଥିଲେ ଏବଂ ପରେ ତିନୋଟି ଆମ୍ବୁଲାନ୍ସ ସାହାଯ୍ୟରେ ଗୁରୁତର ଯାତ୍ରୀମାନଙ୍କୁ ଜବାହର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସୂଚନା ଅନୁଯାୟୀ ପ୍ରାୟ ୧୭ ଜଣ ଜଳି ଯାଇଥିବା ଯାତ୍ରୀଙ୍କୁ ଜବାହର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ମଧ୍ୟରୁ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି, ଏବଂ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ବରିଷ୍ଠ  ଅଗ୍ନିଶମ ଅଧିକାରୀ କୃଷ୍ଣପାଲ ସିଂହ ରାଠୋର କହିଛନ୍ତି, ନିଆଁ ଜଳି ୧୦ରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛି । କଣ୍ଟ୍ରୋଲ ରୁମରେ ଲୋକମାନେ ସେମାନଙ୍କ ପ୍ରିୟଜନଙ୍କ ବିଷୟରେ ସୂଚନା ପାଇପାରିବେ ।

ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ବସ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଜୈସଲମେର ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ପୀଡିତମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବା ପାଇଁ କହିଛନ୍ତି । ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ନିଜେ ଜୈସଲମେର ମଧ୍ୟ ଯାଇପାରନ୍ତି ।