LIVE TV
LIVE TV

'ଫିଟ୍ ଇଣ୍ଡିଆ' ଲକ୍ଷ୍ୟ ହାସଲ ଦିଗରେ ସାଇକେଲିଂ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ - ଧର୍ମେନ୍ଦ୍ର ପ୍ରଧାନ

NEWS7
odiya-ips-snajya-sing-will-investigate-aryan-case-know-who-is-he

ସମ୍ବଲପୁର: ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ' ଆରମ୍ଭ କରି ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ରହିବା ପାଇଁ ପ୍ରେରଣା ଦେଇ ଆସୁଛନ୍ତି । ଏହି 'ଫିଟ୍ ଇଣ୍ଡିଆ' ଲକ୍ଷ୍ୟ ହାସଲ ଦିଗରେ ସାଇକେଲିଂ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ସମ୍ବଲପୁରରେ “୩୦ତମ ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ - ୨୦୨୫”ର ଉଦଘାଟନୀ ସମାରୋହରେ ଭିଡ଼ିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି, କଳା ଓ ସଂସ୍କୃତିର ସହର ସମ୍ବଲପୁରରେ ଆୟୋଜିତ “୩୦ତମ ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ - ୨୦୨୫” କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ହେଉଛି ଭାରତର ଶ୍ରେଷ୍ଠ ସାଇକେଲ ଚାଳକମାନଙ୍କ ପ୍ରତିଭାକୁ ଗୋଟିଏ ମଞ୍ଚରେ ଏକାଠି କରିବାର ମହାନ ଅବସର । ଏହି ଚାମ୍ପିଅନସିପ୍ ଚଳିତ ଡିସେମ୍ବର ୨ରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୬ ପର୍ଯ୍ୟନ୍ତ ଚାଲିବ । ସମ୍ବଲପୁରର ନକ୍ସାପାଲିରୁ ଝାଙ୍କରପାଲି ପର୍ଯ୍ୟନ୍ତ ଏହି ସାଇକେଲ୍ ଯାତ୍ରା ଅନୁଷ୍ଠିତ ହେବ । ଓଡ଼ିଶା ସମେତ ସାରା ଭାରତବର୍ଷରୁ ଏହି ପ୍ରତିଯୋଗିତାରେ ପ୍ରାୟ ୮୫୦ରୁ ଅଧିକ ଚାଳକ ଏବଂ ୧୨୨ ଜଣ ଟିମ୍ ଅଧିକାରୀ ଅଂଶଗ୍ରହଣ କରିଛନ୍ତି, ଯାହା ଏକ ଶୁଭ ସଙ୍କେତ । ଏହି ଚାମ୍ପିଅନସିପ୍ର ମୁଖ୍ୟ ଲକ୍ଷ୍ୟ ହେଉଛି - ଯୁବପିଢିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଫିଟନେସ୍ ପାଇଁ ଉତ୍ସାହିତ କରିବା ।

ସେ ଆହୁରି କହିଛନ୍ତି, ଖେଳାଳିମାନେ ହେଉଛନ୍ତି ଦେଶର ବ୍ରାଣ୍ଡ୍ ଆମ୍ବାସାଡର୍ । ସେମାନଙ୍କର କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦେଶକୁ ଅନେକ ସଫଳତା ଦେଇଛି । ଜୀବନରେ କାର୍ଯ୍ୟ କରିବା ଯେପରି ଜରୁରୀ, ସେହିପରି ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଖେଳ ଏବଂ ଫିଟନେସ୍ ମଧ୍ୟ ଜରୁରୀ । ଏହି ଚାମ୍ପିୟନସିପରେ ଭାଗ ନେଇଥିବା ପ୍ରତିଯୋଗୀମାନେ କେବଳ ପ୍ରତିଯୋଗିତା କରନ୍ତୁ ନାହିଁ, ବରଂ ନିଜ ନିଜ ମଧ୍ୟରେ କ୍ରୀଡ଼ା ମନୋଭାବ ମଧ୍ୟ ବଜାୟ ରଖନ୍ତୁ। ଆଜି ଜାତୀୟ ଶିକ୍ଷା ନୀତି -୨୦୨୦ରେ ଖେଳ; ପାଠପଢାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି। ଏହି ଶିକ୍ଷା ନୀତିର ନୀତିର ଲକ୍ଷ୍ୟ ହେଉଛି, ପିଲାମାନଙ୍କୁ ତୃଣମୂଳ ସ୍ତରରୁ ଆରମ୍ଭ କରି ଅଲିମ୍ପିକ୍ସ ପର୍ଯ୍ୟନ୍ତ ଏକ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ଯୋଗାଇଦେବା ।

ମା’ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ସମ୍ବଲପୁରରୁ ଆରମ୍ଭ ହେଉଥିବା ଏହି ଯାତ୍ରା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଭାରତର ସ୍ଥାନକୁ ମଜବୁତ୍ କରିବ । ଏହି ପ୍ରତିଯୋଗିତା କେବଳ ସମ୍ବଲପୁରର ପରିଚୟ ବଢାଇବ ନାହିଁ, ବରଂ ଆମର ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ସଂକଳ୍ପକୁ ମଧ୍ୟ ସୁଦୃଢ଼ କରିବ ଏବଂ ଅନ୍ୟମାନଙ୍କୁ ସାଇକେଲିଂ ଓ ଫିଟ୍ନେସ୍ ଆଡ଼କୁ ଆକର୍ଷିତ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଉଭୟ ପୁରୁଷ ଓ ମହିଳା ବିଭାଗର ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ୫ ଦିନ ଧରି ମାଆ ସମଲେଶ୍ୱରୀଙ୍କ ପୀଠ, ସନ୍ଥକବି ଭୀମ ଭୋଇଙ୍କ ପୀଠ ଶୂନ୍ୟବ୍ରହ୍ମ, ହୀରାକୁଦ ଡ୍ୟାମ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା, ଉଷାକୋଠି, ଦେବ୍ରିଗଡ଼ ଅଭୟାରଣ୍ୟ ଭଳି ସ୍ଥାନ ପରିଦର୍ଶନ କରିବା ପାଇଁ ସେ ପ୍ରତିଯୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ସମ୍ବଲପୁରର ସରସତିଆ ଓ ଅନ୍ୟ ଖାଦ୍ୟର ମଜା ନେବା ପାଇଁ ମଧ୍ୟ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି । ଏହି ଆୟୋଜନ ପାଇଁ ଶ୍ରୀ ପ୍ରଧାନ ସମ୍ବଲପୁର ଜିଲ୍ଲା ପ୍ରଶାସନ ତଥା ଏଥିରେ ନିୟୋଜିତ ସମସ୍ତ ଆୟୋଜକ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।