ମୋର ଭୁଲ ସ୍ଵୀକାର କରୁଛି; ଦୁଇ ଦଶନ୍ଧି ପରେ ଲିଟିଲ୍ ମାଷ୍ଟରଙ୍କୁ କ୍ଷମା ମାଗିଲେ ଷ୍ଟିଭ ବକନର

NEWS7
odisha-pradesh-congress-being-happy-after-5-states-poll-result

ନୂଆଦିଲ୍ଲୀ: ଯଦି ଆପଣ ପୁରୁଣା କ୍ରିକେଟ୍ ପ୍ରେମୀ ତେବେ ସଚିନ ତେନ୍ଦୁଲକରଙ୍କ ପ୍ରଶଂସକ ନିଶ୍ଚୟ ହୋଇଥିବେ। ଆଉ ଆପଣ ଷ୍ଟିଭ ବକନରଙ୍କ ନାଁ ଜାଣିଥିବେ ଏବଂ ଶୁଣିଥିବେ। ବକନର ଜଣେ ଅମ୍ପାୟର ଥିଲେ। ତେନ୍ଦୁଲକର ନିଜର କ୍ରିକେଟ୍ କ୍ୟାରିୟରରେ ଅନେକ ଅମ୍ପାୟରଙ୍କ ଦ୍ଵାରା ଭୁ୍ଲ୍ ନିଷ୍ପତ୍ତିର ଶିକାର ହୋଇଛନ୍ତି। ତେବେ ସଚିନଙ୍କ ବିରୋଧରେ ସବୁଠୁ ଅଧିକ ଭୁଲ୍ ନିଷ୍ପତ୍ତି ଦେଇଥିଲେ ଅମ୍ପାୟର ଷ୍ଟିଭ ବକନର। ସେହି ସମୟରେ ଡିଆରଏସ ଅର୍ଥାତ ଡିସିସନ ରିଭ୍ୟୁ ସିଷ୍ଟମ ନ ଥିଲା। ତେଣୁ ଅମ୍ପାୟରଙ୍କ ଭୁଲ୍ ନିଷ୍ପତ୍ତି ବଦଳି ପାରୁ ନ ଥିଲା। ଅନ୍ୟପଟେ ସଚିନ ପ୍ରତିଥର ମୁଣ୍ଡ ନୁଆଁଇ ଅମ୍ପାୟରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ପାଭିଲିୟନ ଫେରି ଯାଉଥିଲେ। ସଚିନ କେବେ ନିଜ ମର୍ଯାଦା ଭାଙ୍ଗି ନ ଥିଲେ। କିନ୍ତୁ ପ୍ରଶଂସକ କେବେ ବି ଷ୍ଟିଭ ବକନରଙ୍କୁ କ୍ଷମା କରି ନାହାନ୍ତି। ଏପରିକି ତାଙ୍କ ଉପରେ ବେଇମାନର ଥପ୍ପା ବି ଲଗାଇଛନ୍ତି। ଦୀର୍ଘ ଅନେକ ବର୍ଷ ପରେ ଅମ୍ପାୟର ଷ୍ଟିଭ ବକନର ନିଜର ସେହି ଭୁଲ୍ ସ୍ଵୀକାର କରିଛନ୍ତି, ଯେଉଁ ଭୁଲ୍ ନିଷ୍ପତ୍ତିରେ ସେ ସଚିନଙ୍କୁ ଆଉଟ୍ ଦେଇଥିଲେ।

ନିକଟରେ ଷ୍ଟିଭ ବକନର ଡବ୍ଲ୍ୟୁଆଇସିୟୁଏକୁ ଏକ ସାକ୍ଷାତକାର ଦେଇଛନ୍ତି। ସେଥିରେ ସେ ସେହି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ସେ ସଚିନଙ୍କୁ ଭୁଲ୍ ନିଷ୍ପତ୍ତିରେ ଆଉଟ୍ କରି ତାଙ୍କ ପ୍ରଶଂସକଙ୍କ କ୍ରୋଧର ଶିକାର ହୋଇଥିଲେ। ସେଥି ମଧ୍ୟରୁ ଗୋଟିଏ ଘଟଣା ଥିଲା ୨୦୦୩ ବ୍ରିସବେନ ଟେଷ୍ଟ। ଦ୍ଵିତୀୟ ଘଟଣା ଥିଲା ୨୦୦୫ ସିଡନୀ ମ୍ୟାଚ୍। ସଚିନଙ୍କ ବିରୋଧରେ ଦେଇଥିବା ସେହି ଆଉଟ୍ ନିଷ୍ପତ୍ତି ପାଇଁ ଆଜି ବି ପଶ୍ଚାତାପ କରୁଛନ୍ତି ଷ୍ଟିଭ ବକନର।

୨୦୦୩ ବ୍ରିସବେନ ଟେଷ୍ଟରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଅଷ୍ଟ୍ରେଲିଆ। ଉକ୍ତ ମ୍ୟାଚରେ ଜାସନ ଗିଲେସ୍ପିଙ୍କ ଏକ ବଲରେ ସଚିନଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ ଦେଇଥିଲେ ବକନର। ରିପ୍ଲେରେ ସ୍ପଷ୍ଟ ଭାବେ ଦେଖା ଯାଉଥିଲା ଯେ, ବଲ୍ ଷ୍ଟମ୍ପ ଉପରେ ଦେଇ ଯାଉଛି। ସଚିନ ଆଚମ୍ବିତ ଥିଲେ। ତଥାପି ସେ ମର୍ଯାଦା କ୍ରିକେଟର ହିସାବରେ ବକନରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ କ୍ରିଜ ଛାଡ଼ି ଚାଲି ଯାଇଥିଲେ। ପୁଣି ୨୦୦୫ ସିଡନୀରେ ପାକିସ୍ତାନର ଅବଦୁଲ ରଜ୍ଜାକଙ୍କ ବଲରେ ବକ ସଚିନଙ୍କୁ କ୍ୟାଚ୍ ଆଉଟ୍ ଦେଇଥିଲେ। କିନ୍ତୁ ବଲ୍ ତାଙ୍କ ବ୍ୟାଟରୁ ବହୁତ ଦୂରରେ ଥିଲା।

ଏହା ଉପରେ ବକନର କହିଛନ୍ତି, ମୋ ଦ୍ଵାରା ଦୁଇଟି ବଡ଼ ଭୁଲ୍ ହୋଇଛି। ପ୍ରଥମ ଭୁଲ୍ ଯେବେ ବଲ୍ ଷ୍ଟମ୍ପ ଉପର ଦେଇ ଯାଉଥିଲା ଏବଂ ଦ୍ଵିତୀୟ ଭୁଲ୍ ବଲ୍ ବ୍ୟାଟରେ ବାଜି ନ ଥିଲା। ଅଷ୍ଟ୍ରେଲିଆରେ ସଚିନଙ୍କ ବିରୋଧରେ ସେହି ନିଷ୍ପତ୍ତି ମୋ କ୍ୟାରିୟରର ଏକ ଲଜ୍ଜାଜନକ ସ୍ମୃତି, ଯାହାକୁ ମୁଁ ସୁଧାରିବାକୁ ଚାହୁଁଛି। ବକନର ଏହା ମଧ୍ୟ ସ୍ଵୀକାର କରିଛନ୍ତି ଯେ, ଯେବେ ଆପଣ ଏତେ ବଡ଼ ଖେଳାଳିଙ୍କ ବିରୋଧରେ ଭୁଲ୍ ନିଷ୍ପତ୍ତି ଦେବେ, ତାହା ଆପଣଙ୍କ ମସ୍କିକରେ ସବୁ ଦିନ ପାଇଁ ରହିଯାଏ।

ଷ୍ଟିଭ ବକନରଙ୍କ ଏହି ପଶ୍ଚାତାପ ହୋଇପାରେ ଇତିହାସକୁ ବଦଳାଇ ପାରିବ ନାହିଁ କି ସଚିନଙ୍କ ଖାତାରେ ରନ ଯୋଡ଼ି ପାରିବ ନାହିଁ, ମାତ୍ର ଏହି କ୍ରୀଡ଼ାର ଗରିମା ସଚିନଙ୍କ ମହାନତାକୁ ସର୍ବଦା ଦର୍ଶାଇଥାଏ। ଜଣେ ମହାନ ଅମ୍ପାୟର ଦଶନ୍ଧି ପରେ ନିଜର ଭୁଲ୍ ସ୍ଵୀକାର କରିବା ମଧ୍ୟ ଏକ ବଡ଼ କଥା। ସଚିନ ତେନ୍ଦୁଲକର ନିଜ କ୍ୟାରିୟରରେ ଅନେକ ଥର ଭୁଲ୍ ନିଷ୍ପତ୍ତିର ଶିକାର ହୋଇଥିଲେ।ବୋଧହୁଏ ସେହି ସମୟରେ ଡିଆରଏସ ନିୟମ ଥିଲେ ସଚିନ ଆଉ କେତେ ଯେ ରେକର୍ଡ କରିଥାନ୍ତେ ତାହା କହିବା ମୁସ୍କିଲ ହୋଇଥାନ୍ତା।