ସିବିଏସ୍ଇ ଦ୍ବାଦଶ ପରୀକ୍ଷାରେ ଉତ୍ତର ଲେଖିବାକୁ ChatGPT ସାହାଯ୍ୟ ନେଉଥିଲେ ଛାତ୍ର, ମହାରାଷ୍ଟ୍ରରେ ଧରାପଡିଲା ବଡ ରାକେଟ୍

NEWS7
odisha-high-court-bar-association-strike

ମହାରାଷ୍ଟ୍ର ୨୬/୨:  ଟେକ୍ନୋଲଜିର ଯୁଗରେ ଠକିବାକୁ ବି ସାହାଯ୍ୟ କରୁଛି ଟେକ୍ନୋଲଜି । AIର କିପରି ପ୍ରଭାବ ଓ ତାହାକୁ କିପରି ଦୁରୁପଯୋଗ କରାଯାଇପାରେ ତାହାର ନମୁନା ସିବିଏସଇ ପରୀକ୍ଷାରେ ଦେଖାଯାଇଛି । ଟେକ୍ନୋସାଭି ମାନେ ଏଆଇର ଉପଯୋଗ କରି ପରୀକ୍ଷାରେ କପି କରି ଧରାପଡିଛନ୍ତି । ଏପରି  କପି କରିବାକୁ  ନେଇଛନ୍ତି ChatGPTର ସହାୟତା । ରିୟଲ ଟାଇମରେ ଅର୍ଥାତ ଶୀଘ୍ର ଉତ୍ତର ଲେଖିବାକୁ ଚାଟ୍‌ ଜିଟିପିକୁ ବ୍ୟବହାର କରିଛନ୍ତି ଛାତ୍ର ଏବଂ ତାଙ୍କୁ ସାହାଯ୍ୟ କରିଥିବା ସହଯୋଗୀମାନେ । ମହାରାଷ୍ଟ୍ର ଗଡଚିରୋଲିରୁ ଆସିଛିଏହି ଚିନ୍ତାଜନକ ଖବର । ଦ୍ବାଦଶ ପରୀକ୍ଷାରେ ChatGPT ଜରିଆରେ ଠକେଇ କରୁଥିବା ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି । ଏହି ମାମଲାରେ ୪ ଜଣ ଧରାପଡିଛନ୍ତି । ସବୁଠାରୁ ଚିନ୍ତାଜନକ କଥା ହେଉଛି ଅଭିଯୁକ୍ତମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଶିକ୍ଷକ ।

ଫେବ୍ରୁଆରୀ ୧୮ର ଘଟଣା । ଗଡଚିରୋଲି ସ୍ଥିତ ଏକ ସ୍କୁଲରେ ଚାଲିଥିଲା CBSE ଦ୍ବାଦଶ ପରୀକ୍ଷା । ଗଡଚିରୋଲି ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁହାସ ଗାଡେଙ୍କ ନେତୃତ୍ବରେ ଏକ ଫ୍ଲାଇଂ ସ୍କ୍ବାଡ ଅଚାନକ ଚଢାଉ କରିଥିଲା । ହଲ୍‌ ପରିସରରେ ଏମିତି କିଛି ଉତ୍ତର ଚିଟ୍ ମିଳିଥିଲା ଯାହା ChatGPT ମାଧ୍ୟମରେ ଜେନେରେଟ୍‌ କରାଯାଇଥିବା ଚିହ୍ନଟ ହୋଇଥିଲା । ସ୍କ୍ବାଡ ଯେତେବେଳେ ପରୀକ୍ଷା ହଲ୍‌ରେ ବିଛାଇ ହୋଇଥିବା ସ୍ଲିପ ସଂଗ୍ରହ କରୁଥିଲେ ସେତେବେଳେ ସନ୍ଦେହଜନକ ଅବସ୍ଥାରେ ଜଣେ ପିଅନ ପ୍ରବେଶ କରୁଥିବାର ଦେଖିଥିଲେ । ତୁରନ୍ତ ତାଙ୍କ ମୋବାଇଲ ଫୋନ୍‌ ଜବତ କରାଯାଇଥିଲା । ଯାଞ୍ଚ କରୁଥିବା ଅଧିକାରୀ କହିଛନ୍ତି ଡିଭାଇସର ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ପ୍ରଶ୍ନପତ୍ର ଗୁଡିକ  ସ୍କୁଲର ଶିକ୍ଷକ ମହେନ୍ଦ୍ର କିର୍ମେଙ୍କ ନିକଟକୁ ପଠାଯାଇଥିଲା ।

କାର୍ଯ୍ୟନିର୍ବାହୀ ଅଧିକାରୀ ଗାଡେ କହିଛନ୍ତି ଯାଞ୍ଚ ସମୟରେ ଅନିୟମିତତା ସ୍ପଷ୍ଟ ହୋଇଥିଲା । ଶିକ୍ଷା ଅଧିକାରୀଙ୍କ ଅଧୀନରେ ତଦନ୍ତ କମିଟି ଗଠନ କରାଯାଇଛି। ୪ ଜଣଙ୍କୁ ନିଲମ୍ବନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମାଧ୍ୟମିକ ଶିକ୍ଷା ଅଧିକାରୀ ବାସୁଦେବ ଭୁସେ କହିଛନ୍ତି ଏହି ମାମଲା HSC ବୋର୍ଡକୁ ରିପୋର୍ଟ କରାଯାଇଛି ।ସ୍କୁଲ ଶିକ୍ଷକ ସୁଶୀଲ ଲାଞ୍ଜେୱାର,ପରୀକ୍ଷା କେନ୍ଦ୍ର କଣ୍ଡକ୍ଟର ମହେନ୍ଦ୍ର ବର୍ଲେୱାର,ଅନ୍ୟ ଜଣେ ପିଅନ ସୂରଜ କେଲଜାରକର ନାଁ ରହିଛି । ଶିକ୍ଷକ ସୁଶୀଲ ଲାଞ୍ଜେୱାରଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଅନ୍ୟମାନଙ୍କ ବିରୋଧରେ ଖୁବ ଶୀଘ୍ର ଆକ୍ସନ ନିଆଯିବ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ଅଧିକାରୀ ଭୁସେ ।