Live Live
LIVE

ଆମେରିକାକୁ ଝଟକା! ପ୍ରେଷ୍ଟୱିକ୍ ଏୟାରପୋର୍ଟକୁ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଉପଯୋଗ ହେବାକୁ ଦେବନି କହିଲା ସ୍କଟଲ୍ୟାଣ୍ଡ

NEWS7
odisha-cm-speaks-to-jsws-sajjan-jindal

ଏଡିନବର୍ଗ ୭।୩: ଯଦି ପ୍ରମାଣିତ ହୁଏ ଆମେରିକୀୟ ଯୁଦ୍ଧ ବିମାନ ମଧ୍ୟପ୍ରାଚ୍ୟ ଆକ୍ରମଣରେ ସାମିଲଥିଲେ ତେବେ ପ୍ରେଷ୍ଟୱିକ୍ ବିମାନବନ୍ଦରର ଉପଯୋଗ ଅନୁମତି ନ ଦେବାକୁ ବିଚାର କରାଯାଇ ପାରେ। ଏହା କହିଛନ୍ତି ସ୍କଟଲ୍ୟାଣ୍ଡ ଫାଷ୍ଟ ମିନିଷ୍ଟର ଜନ ସ୍ୱେନୀ। ସେ ପୂର୍ବରୁ କହିଥିଲେ ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ସେ ଚିନ୍ତିତ। କାରଣ ଏହା ଅନ୍ତର୍ଜାତୀୟ ନିୟମ ଅନୁରୂପ ନୁହେଁ ବୋଲି ସେ ଅନୁଭବ କରୁଥିବା କହିଥିଲେ। ଏଣୁ ସ୍କଟଲ୍ୟାଣ୍ଡ ସରକାରଙ୍କ ମାଲିକାନାଧିନ ସାଉଥ ଆୟରସାୟର ବିମାନ ବନ୍ଦର ଉପଯୋଗ କରୁଥିବା ଆମେରିକୀୟ ବିମାନଙ୍କ ଭୂମିକା ସମ୍ପର୍କରେ ବ୍ରିଟେନ ସରକାରଙ୍କୁ ସ୍ପଷ୍ଟିକରଣ ମଗାଯାଇଥିବା କହିଛନ୍ତି।

ପ୍ରେଷ୍ଟୱିକ୍ ବିମାନ ବନ୍ଦରର ଜାତୀୟକରଣ ୨୦୧୩ ମସିହାରେ ହୋଇଥିଲା। ଏବେ ଏହା ପ୍ରାୟତଃ କାର୍ଗୋ ବିମାନଙ୍କ ଲାଗି ଉପଯୋଗ ହେଉଛି। ହେଲେ ଗତବର୍ଷମାନଙ୍କରେ ବିମାନ ବନ୍ଦରରୁ ହୋଇଥିବା ଶତାଧିକ ଉାଡଣରେ ଆମେରିକୀୟ ସେନା ବିମାନ ମଧ୍ୟ ଥିଲେ। ସ୍କଟଲ୍ୟାଣ୍ଡ ସଂସଦର ପ୍ରଶ୍ନକାଳରେ ସ୍ୱେନୀଙ୍କୁ ସ୍କଟିସ୍ ଗ୍ରୀନ୍ସ ଆମେରିକୀୟ ସେନା ବିମାନର ସ୍କଟଲ୍ୟାଣ୍ଡ ବିମାନ ବନ୍ଦର ଉପଯୋଗ ନେଇ ପ୍ରଶ୍ନ କରିଥିଲେ। କହିଥିଲେ ଇରାନ ବିରୋଧରେ ଯୁଦ୍ଧର ସପ୍ତାହକ ପୂର୍ବରୁ ବିମାନବନ୍ଦରରେ ୨୪ଟି ଆମେରିକୀୟ ବାୟୁସେନା ବିମାନ ଅବତରଣ କରିଥିଲେ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧିକୁ ଦର୍ଶାଉ ନାହିଁକି ?

ଏଥିରେ ସାଂସଦ ରସ ଗ୍ରୀର ସ୍ୱେନୀ ହାତରେ ହାତ ବାନ୍ଧି ବସିଥିବାର ଅଭିଯୋଗ କରିଥିଲେ ଓ ସ୍ପେନକୁ ଅନୁସରଣ କରି ବିମାନ ବନ୍ଦରର ଆମେରିକୀୟ ବିମାନ ଉପଯୋଗ ଉପରେ କଟକଣା ଲଗାଇବାକୁ କହିଥିଲେ। ଗ୍ରୀର କହିଥିଲେ ଯେ ତାଜା ଆମେରିକୀୟ ଉଡାଣ କଣ ପାଇଁ ହେଉଛି ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ। ତେବେ ସ୍ୱେନୀ କହିଛନ୍ତି ଯେ ପ୍ରେଷ୍ଟୱିକ୍ ରୁ ଯିବା ଆସିବା କରୁଥିବା ଆମେରିକୀୟ ଉଡାଣ ଉଦ୍ଦେଶ୍ୟ ସମ୍ପର୍କରେ ବ୍ରିଟେନ ସରକାରଙ୍କୁ ସ୍ପଷ୍ଟିକରଣ ମାଗିଛୁ। କାରଣ ଆମ ପାଖରେ ଉଡାଣର ପ୍ରକୃତି ଯାଞ୍ଚ କରିବାର କ୍ଷମତା ନାହିଁ।

ସ୍ୱେନୀ କହିଛନ୍ତି ଯେ ଆମେରିକୀୟ ସୈନ୍ୟ ବିମାନ ପ୍ରେଷ୍ଟୱିକ୍ ରୁ ମଧ୍ୟପ୍ରାଚ୍ୟ ଯାଉଛନ୍ତି ବୋଲି ଯେଉଁ ପର୍ଯ୍ୟନ୍ତ ବ୍ରିଟେନ ସରକାର ସ୍ପଷ୍ଟ କରି ନାହାନ୍ତି ସେ ପର୍ଯ୍ୟନ୍ତ ଆମେ କୌଣସି ନିଷ୍ପତ୍ତି ନେଇ ପାରିବୁନି। ତେବେ ଯଦି ଯୁଦ୍ଧବିମାନ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସାମିଲ ବୋଲି ସ୍ପଷ୍ଟ ହୁଏ ତେବେ କଟକଣା ଲଗାଇବେ କି ବୋଲି ପଚରାଯିବାରେ ସ୍ୱେନୀ ଆବଶ୍ୟକ ପ୍ରମାଣ ମିଳିଲେ ବିଚାର କରିବେ ବୋଲି କହିଛନ୍ତି। ୨୦୨୩ ମସିହାରେ ଏକ ଇସ୍ରାଏଲୀ ଯୁଦ୍ଧବିମାନ ପ୍ରେଷ୍ଟୱିକରେ ଅବତରଣ କରିବା ସହ ତୈଳ ଭରିଥିଲା। ସେତେବେଳେ ଏହାକୁ ନେଇ ସ୍କଟଲ୍ୟାଣ୍ଡ ସଂସଦରେ ଜୋରଦାର ବିତର୍କ ହୋଇଥିଲା। ତେବେ ତା ପରଠାରୁ ଇସ୍ରାଏଲୀ ବିମାନ ପ୍ରେଷ୍ଟୱିକରେ ଅବତରଣ କରିନଥିବା ଓ ଏ ବାବଦେ କଟକଣା ଲାଗିଥିବା ଗ୍ରୀର ସ୍କଟଲ୍ୟାଣ୍ଡ ସଂସଦରେ ଦାବି କରିଛନ୍ତି।