ଭାରତ-ଆମେରିକା ଟ୍ରେଡ ଡିଲରେ ବଡ଼ ସଂଶୋଧନ, ଟ୍ରମ୍ପ ମାନିଲେ ଭାରତର ସର୍ତ୍ତ

NEWS7
odia-student-amlan-missing-in-chhatishgarh

ନୂଆଦିଲ୍ଲୀ ୧୧।୨: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ଯେଉଁ ସହମତି ହୋଇଛି ସେଥିରେ ଆମେରିକା ଡାଲି ରପ୍ତାନୀ କରିବ ସେ ନେଇ କୌଣସି ଉଲ୍ଲେଖ ନାହିଁ। ଏହି କଥା ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟହାଉସ୍ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ଅପରାହ୍ନରେ ଜାରି ସଂଶୋଧିତ ସଂକ୍ଷିପ୍ତ ବିବରଣୀ (ଫ୍ୟାକ୍ଟସିଟ୍)ରେ ସ୍ପଷ୍ଟ ହୋଇଛି। ତେବେ ଦିନକ ପୂର୍ବରୁ ଆମେରିକା ଯେଉଁ ଫ୍ୟାକ୍ଟସିଟ୍ ଜାରି କରିଥିଲା ସେଥିରେ ଡାଲି କଥା ଉଲ୍ଲେଖ ଥିଲା। ହେଲେ ନୂଆ ବିବରଣୀରେ ଏହା ନାହିଁ।

ସେହିପରି ପୂର୍ବରୁ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହି ଦାବି କରାଯାଇଥିଲା ଯେ ଭାରତ ଆଗାମୀ ୫ ବର୍ଷରେ ଆମେରିକାରୁ ୫୦୦ ବିଲିୟନ ଡଲାର ମୂଲ୍ୟର ଉତ୍ପାଦ କ୍ରୟ ନିମନ୍ତେ ସଂକଳ୍ପବଦ୍ଧ, ହେଲେ ଏବେ କୁହାଯାଇଛି ଯେ ଭାରତ କ୍ରୟ କରିବାର ଉଦ୍ଦେଶ୍ୟ ରଖିପାରେ, ହେଲେ ଏଥିରେ କୌଣସି ବାଧ୍ୟବାଧକତା ନାହିଁ।ଉଲ୍ଲେଖଯୋଗ୍ୟ ଯେ ଦିନକ ପୂର୍ବରୁ ଜାରି ଫ୍ୟାକ୍ଟସିଟ୍ କୁ ନେଇ ବିରୋଧୀ ଦଳ ବୁଧବାର ଗୃହରେ ସରକାରଙ୍କୁ ଘେରିଥିଲେ। ହେଲେ ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି।

ଟ୍ରମ୍ପ ପ୍ରଶାସନ ଯେଉଁଭଳି ଫ୍ୟାକ୍ଟସିଟ୍ କୁ ନେଇ ନିଜର ଭାଷା ନରମ କରିଛି ଏଥିରୁ ଜଣାପଡୁଛି ୱାସିଂଟନ ଏହି ବୁଝାମଣାକୁ ରାଜନୈତିକ ରୂପେ ସମ୍ବେଦନଶୀଳ ପ୍ରସଙ୍ଗରେ ଅଧିକ ସତର୍କତାର ସହ ଉପସ୍ଥାପନ କରୁଛି। ପୂର୍ବ ବିବରଣୀରେ କିଛି ଡାଲି ସମ୍ପର୍କରେ ଉଲ୍ଲେଖ ଥିଲା। ହେଲେ ଏବେ ସଂଶୋଧିତ ଫ୍ୟାକ୍ଟସିଟ୍ ରୁ ଏହାକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ଏହାର ଠିକ ଦିନକ ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଭାରତୀୟ କୃଷି ଓ ଚାଷୀଙ୍କ ପାଇଁ ସମ୍ବେଦନଶୀଳ କୌଣସି ପ୍ରକାରର ଖାଦ୍ୟାନ୍ନ ଖୋଲା ଯାଉ ନାହିଁ। ହେଲେ ଡାଲି ଭାରତରେ ସମ୍ବେଦନଶୀଳ କୃଷି ଉତ୍ପାଦ, ଏଥିରେ ଟାରିଫରେ କୌଣସି ପ୍ରକାରର ପରିବର୍ତ୍ତନ ଘରୋଇ ବଜାରକୁ ପ୍ରଭାବିତ କରିପାରେ।

ସେହିପରି ୫୦୦ ବିଲିୟନ ଡଲାରର ଆମେରିକା ଉତ୍ପାଦ ଯେପରିକି ଏନର୍ଜୀ, ସୂଚନା ପ୍ରଯୁକ୍ତି ଓ କୋଇଲା ଆଦି କ୍ରୟରେ ଭାରତର ଇଛା ଉପରେ ଜୋର ଦେବା ପାଇଁ ଯେଉଁ ପରିବର୍ତ୍ତନ କରାଯାଇଛି ଏହା ଟ୍ରମ୍ପ ପ୍ରଶାସନର ନରମ ଆଭିମୁଖ୍ୟକୁ ଦର୍ଶାଉଛି। ସେହିପରି ଡିଜିଟାଲ ଟ୍ୟାକ୍ସକୁ ନେଇ ପ୍ରଥମେ କୁହାଯାଇଥିଲା ଭାରତ ଏହି ସର୍ଭିସେସ୍ ଟ୍ୟାକ୍ସ ହଟାଇ ଦେବ। ହେଲେ ସଂଶୋଧିତ ବିବରଣୀରୁ ଏହି ଏହି ଦାବି ହଟାଇ ଦିଆଯାଇଛି। ଏବେ କେବଳ ଏତିକି କୁହାଯାଇଛି ଦୁଇ ଦେଶ ନିଜର ଡିଜିଟାଲ ବ୍ୟାପାର ନିୟମରେ ମଜଭୁତ ଦ୍ୱିପାକ୍ଷୀୟ ଆଲୋଚନା କରିବେ। ଏଥିରେ ଥିବା ପକ୍ଷପାତପୂର୍ଣ୍ଣ ପ୍ରଥା ଓ ବାଧା ଦୂର କରିବା ପାଇଁ ଜୋର ଦିଆଯାଇଛି।

ଏହି ସଂଶୋଧନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାର ୪ ଦିନ ପରେ ଜାରି ମୂଳ ମିଳିତ ବୟାନ ସହ ଅଧିକ ମେଳ ଖାଉଛି। ପୂର୍ବରୁ ଯେଉଁ ଫ୍ୟାକ୍ଟସିଟ୍ ଜାରି କରାଯାଇଥିଲା ସେଥିରେ ଭାରତ ସରକାର ଅସହଜ ଥିଲେ।

ଏହା ବି ପଢନ୍ତୁ :-ଆମ ସହ ସମକକ୍ଷ ଭଳି କଥା ହୁଅ, ଚାକର ଭଳି ନୁହେଁ: ଟ୍ରମ୍ପଙ୍କ ପାଇଁ ରାହୁଲଙ୍କ ୩ ମେସେଜ୍