ମହାରାଷ୍ଟ୍ରରେ ୨୨ ଦିନରେ ୧୧ ବାଘଙ୍କ ମୃତ୍ୟୁ, PIL ଦାଖଲ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

NEWS7
odia-journalism-day-observed-in-bhubaneswar

ନାଗପୁର୨୩।୧: ମହାରାଷ୍ଟ୍ରରେ ଲଗାତାର ବାଘଙ୍କ ମୃତ୍ୟୁ ରାଜ୍ୟରେ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ଲଗାଇଛି। ରାଜ୍ୟରେ ଜାନୁୟାରୀ ମାସ ଆରମ୍ଭ ହେବାର ମାତ୍ର କିଛି ଦିନ ମଧ୍ୟରେ ବାଘଙ୍କ ମୃତ୍ୟୁ ପୁଷ୍ଟି ହୋଇଛି। ମାତ୍ର ୨୨ ଦିନରେ ରାଜ୍ୟର ବିଭିନ୍ନ ବନାଞ୍ଚଳରେ ୧୧ଟି ବାଘଙ୍କ ମୃତ୍ୟୁ ହେଲାଣି। ଏହି ଚିନ୍ତାଜନକ ସ୍ଥିତିକୁ ଦେଖି ବମ୍ବେ ହାଇକୋର୍ଟଙ୍କ ନାଗପୁର ଖଣ୍ଡପୀଠ ସଂଜ୍ଞାନ ନେଇଛନ୍ତି ଓ ଏହି ମାମଲାରେ ଜନସ୍ୱାର୍ଥ ମାମଲା (ପିଆଇଏଲ) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ କହିବା କଥା ହେଉଛି ବାଘ ଭଳି ସଂରକ୍ଷିତ ପ୍ରାଣୀଙ୍କ ଲଗାତାର ମୃତ୍ୟୁ ରାଜ୍ୟ ନିମନ୍ତେ ଗୁରୁତର ଚିନ୍ତାର ବିଷୟ। ନାଗପୁର ଖଣ୍ଡପୀଠ କହିଛନ୍ତି ଯେ ବାଘଙ୍କ ସୁରକ୍ଷାରେ ହେଉଥିବା ଅବହେଳାକୁ ଅଣଦେଖା କରାଯାଇ ପାରିବନି। ଏଣୁ କୋର୍ଟ ମାମଲାରେ ସମ୍ବଦ୍ଧିତ ବିଭାଗଙ୍କୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି। ଏତେ କମ ଅବଧିରେ ଏତେ ସଂଖ୍ୟକ ବାଘଙ୍କ ମୃତ୍ୟୁ କିପରି ହେଲା ଓ ସେମାନଙ୍କୁ ବଞ୍ଚାଇବା ପାଇଁ କେଉଁ ପଦକ୍ଷେପ ନିଆଯାଇଛି ଏ ନେଇ କୋର୍ଟ ପ୍ରଶ୍ନ କରିଛନ୍ତି। ବାଘ ମୃତ୍ୟୁ ମାମଲା କୋର୍ଟକୁ ପହଞ୍ଚିବା ବନବିଭାଗ ଓ ରାଜ୍ୟ ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।

ସେହିପରି ବୁଲଢାଣା ଜିଲ୍ଲା ଜ୍ଞାନଗଙ୍ଗା ଜଙ୍ଗଲ ସମ୍ପର୍କିତ ଏକ ମାମଲା ଏବେ ଆଉ ଏକ ଚିନ୍ତାର କାରଣ ପାଲଟିଛି। କାରଣ ଏହି ଜଙ୍ଗଲ ଛାଡି ବାଘମାନେ ପଳାୟନ କରୁଛନ୍ତି। ୪ ବର୍ଷ ପୂର୍ବେ ଏହି ଜଙ୍ଗଲରୁ ଟି୧ସି୧ ନାମକ ଏକ ବାଘ ରହସ୍ୟମୟ ଭାବେ ଉଭାନ ହୋଇଯାଇଥିଲା। ଏହା ପରେ ବନ ବିଭାଗ ପେଞ୍ଚ ଟାଇଗର ପ୍ରୋଜେକ୍ଟରୁ ଏକ ୩୬ ମାସର ପିକେଟି୭ସିପି୧ ବାଘକୁ ଜାନୁୟାରୀ ୩ ତାରିଖ ଦିନ ଏଠାକୁ ଅଣାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ବାଘକୁ ଜାଲି ଲଗାଇ ସୀମିତ କ୍ଷେତ୍ର ମଧ୍ୟରେ ରଖା ଯାଇଥିଲା। ହେଲେ ସେ ଏବେ ଜାଲି ଡେଇଁ ଅଭୟାରଣ୍ୟରୁ ବାହାରକୁ ପଳାଇଛି।