ଅବୁଧାବୀରେ ସଜେଇ ହେଉଛି ଶାନ୍ତି ଟେବୁଲ, ଏହିଦିନ ଆଲୋଚନା ଲାଗି ମୁହାଁମୁହିଁ ବସିବେ ଋଷିଆ ଓ ୟୁକ୍ରେନ

NEWS7
odia-girl-sristi-won-gold-prize-in-hongkong

କିଭ୍ ୧।୨: ଋଷିଆ ଓ ୟୁକ୍ରେନ ମଧ୍ୟରେ ପାଖାପାଖି ୪ ବର୍ଷ ହେଲା ଜାରିଥିବା ବିନାଶକାରୀ ଯୁଦ୍ଧକୁ ସମାପ୍ତ କରିବା ଦିଗରେ ଏକ ବଡ଼ କୂଟନୈତିକ ପ୍ରଗତି ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର ଘୋଷଣା କରିଛନ୍ତି ଯେ ଋଷିଆ, ୟୁକ୍ରେନ ଓ ଆମେରିକୀୟ ପ୍ରତିନିଧିଙ୍କ ମଧ୍ୟରେ ୪ ଓ ୫ ଫେବୃଆରୀରେ ଅବୁଧାବୀଠାରେ ଶାନ୍ତି ବାର୍ତ୍ତା ନିମନ୍ତେ ବୈଠକ ହେବ। ଜେଲେନସ୍କି ଟେଲିଗ୍ରାମରେ ଜାରି ତାଙ୍କ ବୟାନରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଟିମ୍ କୁ ବାର୍ତ୍ତା ନିମନ୍ତେ ରିପୋର୍ଟ ମିଳିଛି ଓ ୟୁକ୍ରେନ ଏକ ବାସ୍ତବିକ ତଥା ସମ୍ମାନଜନକ ଯୁଦ୍ଧ ସମାପ୍ତି ନିମନ୍ତେ ଗୁରୁତର ସହ ଆଲୋଚନା ନିମନ୍ତେ ପ୍ରସ୍ତୁତ।

ଏହି ଶାନ୍ତି ବାର୍ତ୍ତା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ସେହି ଉଦ୍ୟମର ଫଳ ଯେଉଁଥିରେ ସେ ଦୁଇ ଯୁଦ୍ଧଗ୍ରସ୍ତ ଦେଶଙ୍କ ମଧ୍ୟରେ ବୁଝାମଣା କରିବାକୁ ଚାହୁଁଛନ୍ତି। ତେବେ ଜେଲେନସ୍କିଙ୍କ ଏହି ଘୋଷଣାରେ ଏ ପର୍ଯ୍ୟନ୍ତ ୱାସିଂଟନ ଅଥବା ମସ୍କୋର ଅଧିକାରୀକ ମୋହର ବାଜିନି। ହେଲେ ଋଷିଆର ଶୀର୍ଷ ବାର୍ତ୍ତାକାର କିରିଲ ଦିମିତ୍ରିଏଭ ପରିସ୍ଥିତି ସକରାତ୍ମକ ଥିବାର କହିଛନ୍ତି। ଦିମିତ୍ରିଏଭ ନିକଟରେ ଫ୍ଲୋରିଡାରେ ଆମେରିକୀୟ ପ୍ରତିନିଧି ମଣ୍ଡଳଙ୍କ ସହିତ ଏକ ବୈଠକ କରିଥିଲେ। ଏହି ବୈଠକ ଅବୁଧାବୀ ବାର୍ତ୍ତାର ମୂଳଦୁଆ ହେବ ବୋଲି ଅନୁମାନ କରାଯାଉଛି।

ତେବେ ଏହି ଶାନ୍ତିବାର୍ତ୍ତା ମାର୍ଗରେ ସବୁଠୁ ଯାହା ବଡ଼ ବାଧକ ତାହା ହେଉଛି ଆଞ୍ଚଳିକ ସାର୍ଭଭୌମତ୍ୱ ଓ ନିୟନ୍ତ୍ରଣାଧୀନ ଅଞ୍ଚଳ। ଏହି କଥାକୁ ନେଇ ଋଷିଆ ଓ ୟୁକ୍ରେନ ମଧ୍ୟରେ ଏବେବି ମତପାର୍ଥକ୍ୟ ଅଛି। ଋଷୀୟ ସେନା ଯେଉଁ ସବୁ ଅଞ୍ଚଳ ନିୟନ୍ତ୍ରଣକୁ ନେଇଛନ୍ତି ସେହି ସବୁ ଅଞ୍ଚଳରୁ ପଛକୁ ହଟିବେ କି? ଏହାହିଁ ବର୍ତ୍ତମାନ ସମୟର ସବୁଠୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ଏଥିରେ ୟୁକ୍ରେନର ଉଦ୍ୟୋଗ କେନ୍ଦ୍ର ଡୋନବାସ ବିବାଦର କେନ୍ଦ୍ର ହୋଇଛି। ୟୁକ୍ରେନ ସମ୍ପୂର୍ଣ୍ଣ କ୍ଷେତ୍ରରୁ ଋଷୀୟ ସେନାର ପ୍ରତ୍ୟାହାର ଚାହୁଁଛି। ତେବେ ଋଷିଆ ନିଜର ରଣନୈତିକ ହୀତ ନିମନ୍ତେ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି।

ଅନୁଧାବୀରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ପାଖାପାଖି ବର୍ଷେ ହେଲା ଚାଲିଆସିଥିବା ସେହି ପ୍ରୟାସର ଫଳ ଯାହାକୁ ଟ୍ରମ୍ପ ପ୍ରଶାସନ ଗତି ଦେଇଛି। ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଓ ସୁରକ୍ଷାକୁ ଦୋହଲାଇ ଦେଇଛି। ଆଗାମୀ ସପ୍ତାହରେ ହେବାକୁ ଥିବା ଏହି ବୈଠକ ଉପରେ ଏବେ ସାରା ବିଶ୍ୱର ନଜର। କାରଣ ଏଥିରୁ ଯୁଦ୍ଧ ସବୁଦିନ ପାଇଁ ବନ୍ଦ ହେବ ନା ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଜାରି ରହିବ ତାହା ସ୍ପଷ୍ଟ ହୋଇଯିବ।