ସୁପ୍ରିମକୋର୍ଟରେ ବୁଲା କୁକୁର ମାମଲା : ଅଦାଲତ କହିଲେ- 'କିଏ ଜାଣିଛି କୁକୁର କେତେବେଳେ କାମୁଡିବ ?'

NEWS7
now-states-will-get-the-right-to-make-obc-list-the-cabinet-approved-the-bill

ନୂଆଦିଲ୍ଲୀ, ୦୭/୦୧: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଛି । କୋର୍ଟ ମଧ୍ୟ ମଙ୍ଗଳବାରଠାରୁ ବିଭିନ୍ନ ଆବେଦନର ଶୁଣାଣି ଆରମ୍ଭ କରିଛନ୍ତି । ରାସ୍ତାଘାଟରେ ବୁଲୁଥିବା କୁକୁର ମାନବଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ନେଇ ପୂର୍ବରୁ କୋର୍ଟ କହିଥିଲେ । ଏପରିକି ଜାତୀୟ ରାଜପଥ ସହ ବିଭିନ୍ନ ସରକାରୀ ପ୍ରତିଷ୍ଠାନର କ୍ୟାମ୍ପସରୁ ବୁଲା ପଶୁଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ପଶୁପ୍ରେମୀ ଅସନ୍ତୋଷ ପ୍ରକାଶ କରିବା ସହ ଅନେକ ଆବେଦନ କରିଥିଲେ ।

ଦାଖଲ ହୋଇଥିବା ବିଭିନ୍ନ ମାମଲାର ଶୁଣାଣି କରି ଜଷ୍ଟିସ ବିକ୍ରମ ନାଥ, ସନ୍ଦିପ ମେହତା, ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, କେହି ହେଲେ କୁକୁରର ମନରେ କଣ ଚାଲିଛି କହିପାରିବେ ନାହିଁ । ସେ କେତେବେଳେ କାମୁଡିବ ଏବଂ କାମୁଡିବ ନାହିଁ ତାହା ଆଗୁଆ କହିବା କଷ୍ଟକର । ତେଣୁ ଚିକିତ୍ସାଠୁ ପ୍ରତିଷେଧକ ବ୍ୟବସ୍ଥା କିପରି ଗ୍ରହଣ କରାଯାଇପାରିବ ସେନେଇ ଗୁରୁତ୍ୱ ଦେବା ଦରକାର ।

ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ରାସ୍ତାଘାଟରେ ସଫାସୁତୁରା ଜରୁରୀ । ସେମାନେ ନକାମୁଡିଲେ ମଧ୍ୟ ଦୁର୍ଘଟଣାର କାରଣ ହୋଇପାରନ୍ତି । କାହିଁକି ରାସ୍ତା, ସ୍କୁଲ ଏବଂ ଗଳିରେ କୁକୁର ଦରକାର ବୋଲି କୋର୍ଟ ପଚାରିଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଛନ୍ତି ଯେ, କୁକୁର ଯଦି କାମୁଡିବ ତାହାଲେ ସ୍ଥାନୀୟ ଲୋକେ ପ୍ରଶାସନକୁ ଜଣାଇପାରିବେ । ସେମାନଙ୍କ ପ୍ରଶାସନ ନେଇଯିବ । କୁକୁରମାନେ ରାସ୍ତାରେ ନୁହେଁ ବରଂ ଗଳି କନ୍ଦିରେ ରହୁଥିବା ଶିବଲ ଯୁକ୍ତି ବାଢିଥିଲେ । ତେବେ ସେଠାରୁ ଫେରିବା ପରେ ପୁଣି କୁକୁର କାମୁଡିବ ନାହିଁ ବୋଲି କହିହେବ ନାହିଁ ବୋଲି କୋର୍ଟ କହିଛନ୍ତି ।

କ’ଣ କହିଲେ କେନ୍ଦ୍ର ସରକାର ?

ମାମଲାକୁ ନେଇ ସଲିସିଟର ଜେନେରାଲ କୋର୍ଟରେ କହିଛନ୍ତି ଯେ, ବିଭିନ୍ନ ଆପାର୍ଟମେଣ୍ଟ ଏବଂ ଫ୍ଲାଟରେ ରହୁଥିବା ଲୋକେ ନିଜେ ନିଷ୍ପତ୍ତି ନେବା ଦରକାର । କୁକୁର ସେମାନଙ୍କ ଘର ପରିସରକୁ ପଶିପାରିବ ନା ନାହିଁ ତାହା ସେମାନେ ବିଚାର କରିବା ଉଚିତ । ଆମେ ସମସ୍ତେ ପଶୁଙ୍କୁ ଭଲ ପାଉ । ତେବେ ମଣିଷ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ । ଆଜି କୁକୁରକୁ ଘର କିମ୍ବା ସୋସାଇଟିର ଗେଟ୍ ଭିତରେ ଅନୁମତି ମିଳୁଛି । କାଲି କେହି ମଇଁଷି ନେଇ ଆସିବ । ଏହାକୁ କଣ ଅନୁମତି ଦିଆଯିବ ବୋଲି ସେ ପଚାରିଛନ୍ତି ।

ନଭେମ୍ବର ୭ରେ କ’ଣ କହିଥିଲେ ସୁପ୍ରିମକୋର୍ଟ

ରାସ୍ତାରେ ବୁଲା କୁକୁର ଜନିତ ସମସ୍ୟା ମାମଲାକୁ ଗୁରୁତର ସହ ନେଇଥିଲେ କୋର୍ଟ୍ । ବିଭିନ୍ନ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବସଷ୍ଟାଣ୍ଡ୍ ଏବଂ ରେଳ ଷ୍ଟେସନରୁ କୁକୁରଙ୍କୁ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସ୍ଥାନୀୟ ପ୍ରଶାସନକୁ ଏଦିଗରେ ନଜର ରଖିବାକୁ କୁହାଯାଇଥିଲା । ଏହାପୂର୍ବରୁ ଗତ ଜୁଲାଇ ମାସରେ ଜନବସତିଠୁ କୁକୁରଙ୍କୁ ଦୂରରେ ଛାଡିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ।