କିଏ ଏହି ସିମରନ୍ ବାଲା ? ଗଣତନ୍ତ୍ର ଦିବସରେ ପୁରୁଷ CRPF ଦଳର ନେବେ ନେତୃତ୍ୱ , ରଚିବେ ଇତିହାସ

NEWS7
now-odia-in-google-translate

ନୂଆଦିଲ୍ଲୀ ୨୩।୦୧; ଚଳିତ ଗଣତନ୍ତ୍ର ଦିବସ ପରେଡ୍ ଅନେକ ଦୃଷ୍ଟିରୁ ହେବ ସ୍ୱତନ୍ତ୍ର । ଗଣତନ୍ତ୍ର ଦିବସ ପରେଡ୍ରେ ସମ୍ପୂର୍ଣ୍ଣ ପୁରୁଷ CRPF ୟୁନିଟ୍ର କମାଣ୍ଡ୍ ଜଣେ ମହିଳା ଅଧିକାରୀଙ୍କ ହାତରେ। ସେ ହେଉଛନ୍ତି ସିମରନ୍ ବାଲା, ବୟସ ୨୬... । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସିମରନ୍ ବାଲା ଜାନୁଆରୀ ୨୬ , ଗଣତନ୍ତ୍ର ଦିବସ ପରେଡ୍ରେ ୧୪୦ ଜଣ ପୁରୁଷ CRPF କଣ୍ଟିଜେଣ୍ଟର ନେବେ ନେତୃତ୍ୱ। CRPF ଏଭଳି ଉପଲବ୍ଧି ହାସଲ କରିବାରେ ପ୍ରଥମ ମହିଳା ଅଧିକାରୀ ଭାବେ ସେ ରଚିବେ ଇତିହାସ ।

କିଏ ଏହି ସିମରନ ?

ସିମରନ୍ ଜାମ୍ମୁ ଓ କାଶ୍ମୀରର ନୌଶେରାର ବାସିନ୍ଦା । ପାକିସ୍ତାନର ଅକାରଣ ଗୁଳି ମାଡ଼ରେ ଏହି ଅଞ୍ଚଳ ଅନେକଥର କ୍ଷତି ସହିଛି । ସେ ତାଙ୍କ ପିଲାଦିନ ମୋର୍ଟାର ଏବଂ ଗୁଳିରୁ କେମିତି ବର୍ତ୍ତିବାକୁ ହେବ , ସେହି ପରିସ୍ଥିତି ସହ ବିତାଇଛନ୍ତି । ଏହି ଅଭିଜ୍ଞତା ତାଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମାଧ୍ୟମରେ ଦେଶ ସେବା କରିବାକୁ ଦେଇଥିଲା ପ୍ରେରଣା । ସିମରନ୍ କହିଛନ୍ତି, ଏହି ସଫଳତାକୁ ବଖାଣିବାକୁ ତାଙ୍କ ପାଖରେ କୌଣସି ଶବ୍ଦ ନାହିଁ । ଗଣତନ୍ତ୍ର ଦିବସ ପରେଡକୁ କମାଣ୍ଡ କରିବା ଏକ ସମ୍ମାନ ଏବଂ ଏକ ବଡ଼ ଦାୟିତ୍ୱ । ପିଲାବେଳେ ପାକିସ୍ତାନର ଗୁଳିବର୍ଷା ମଧ୍ୟରେ ସ୍କୁଲ ଯିବା ସହଜ ନଥିଲା। ସେ ସବୁକୁ ଚ୍ୟାଲେଞ୍ଜର ସହ ନେଇ ସିମରନ୍ ତାଙ୍କ ଜିଲ୍ଲା ନୌଶେରାର ପ୍ରଥମ ମହିଳା ସିଆରପିଏଫ ଅଧିକାରୀ ହୋଇପାରିଛନ୍ତି ।

କଷ୍ଟକର ଯାତ୍ରା କିନ୍ତୁ ତାଙ୍କୁ ଦେଇଛି ସଫଳତା। ନିୟନ୍ତ୍ରଣ ରେଖା ନିକଟରେ ବଢ଼ିଥିବା ସିମରନ ତାଙ୍କର ଶୃଙ୍ଖଳା ଏବଂ ସମର୍ପଣ ପାଇଁ ଜଣାଶୁଣା । ସିମରନ ବାଲା ନୌଶେରାରେ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ତା’ପରେ ସେ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ଜମ୍ମୁ ଯାଇଥିଲେ । ପରେ ସେ ଗାନ୍ଧୀନଗରରୁ ସ୍ନାତକ ହାସଲ କରିଥିଲେ । ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିଥିଲେ। ସ୍ନାତକୋତ୍ତର ଶେଷ ସେମିଷ୍ଟର ସମୟରେ UPSC କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ପରୀକ୍ଷା , CAPF ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରଥମ ପ୍ରୟାସରେ ଏଥିରେ ପାସ୍ କରିଥିଲେ । ୧୫୧ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ସର୍ବଭାରତୀୟ ରାଙ୍କ୍ ଥିଲା ୮୨।

ସେହି ବର୍ଷ, CAPF ପରୀକ୍ଷାରେ ପାସ୍ କରିଥିବା ଜମ୍ମୁ ଓ କାଶ୍ମୀରର ଏକମାତ୍ର ମହିଳା ଥିଲେ ସିମରନ୍। ପ୍ରଥମେ ଟ୍ରେନିଂ ପାଇଁ ତାଙ୍କୁ ଗୁରୁଗ୍ରାମ୍ ସ୍ଥିତ ସିଆରପିଏଫ୍ ଏକାଡେମୀ ପଠା ଯାଇଥିଲା । ୨୦୨୫ରେ ସେ ସିଆରପିଏଫରେ ସାମିଲ୍ ହୋଇଥିଲେ । ତାଙ୍କ ନିଯୁକ୍ତି ଛତିଶଗଡ଼ର ବସ୍ତରିୟା ବ୍ୟାଟେଲିଆନରେ ହୋଇଥିଲା । ଯେଉଁଠି ତାଙ୍କୁ ନକ୍ସଲ ବିରୋଧୀ ଅଭିଯାନର ଦାୟିତ୍ୱ ଦିଆଯାଇଥିଲା।

ଏବେ ସିମରନଙ୍କୁ ପୁରୁଷ କଣ୍ଟିଜେଣ୍ଟର ନେତୃତ୍ୱ ନେବା ପାଇଁ ମନୋନୀତ କରାଯାଇଛି । କାରଣ ଗଣତନ୍ତ୍ର ଦିବସ ପରେଡ ଅଭ୍ୟାସ ସମୟରେ ତାଙ୍କ ପ୍ରଦର୍ଶନ ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତାଙ୍କର ଆତ୍ମବିଶ୍ୱାସ, ଅଭ୍ୟାସ, ସମନ୍ୱୟ ଏବଂ କଣ୍ଟିଜେଣ୍ଟ ଉପରେ କମାଣ୍ଡ ଥିଲା ଉତ୍କୃଷ୍ଟ । ଯାହାକୁ ଦୃଷ୍ଟିରେ ରଖି ଜାନୁଆରୀ 26, CRPF କଣ୍ଟିଜେଣ୍ଟର ନେତୃତ୍ୱ ତାଙ୍କୁ ଦିଆଯାଇଛି । ଯାହା ନିଶ୍ଚିତ ଭାବରେ ଏକ ବଡ଼ ଉପଲବ୍ଧି...