LPG Shortage: ଏବେ ରେଲଓ୍ବେ କିଚେନରେ ବ୍ୟବହାର ହେବ ଇଣ୍ଡକ୍ସନ, IRCTCର ବଡ଼ ନିଷ୍ପତ୍ତି

NEWS7
now-kuber-kis-king-these-three-signs-will-be-dazzled-till-2020

ନୂଆଦିଲ୍ଲୀ: ଇରାନ- ଇସ୍ରାଏଲ ଯୁଦ୍ଧର ଭୟାବହତା ସାରା ବିଶ୍ୱରେ ଅନୁଭୂତ ହେଉଛି। ଭାରତରେ ବିଶେଷ କରି ଯୁଦ୍ଧର ପ୍ରଭାବ ରନ୍ଧନ ଗ୍ୟାସ ଉପରେ ପଡ଼ିଛି। ଦେଶର ଅନେକ ବଡ଼ ସହରରେ ଏଲପିଜି ଗ୍ୟାସ ସିଲିଣ୍ଡର ଅଭାବ ଦେଖିବାକୁ ମିଳୁଛି। ଚେନ୍ନାଇ କୋଲକାତା ଏବଂ ବେଙ୍ଗାଲୁରୁ ଭଳି ମହାନଗରରେ ଗ୍ୟାସ ଯୋଗାଣ ସଙ୍କଟ କାରଣରୁ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଇଣ୍ଡଷ୍ଟ୍ରି ଗୁରୁତର ପ୍ରଭାବିତ ହୋଇଛି। ଏମିତିରେ ଏହି ବଡ଼ ସଙ୍କଟକୁ ଦୃଷ୍ଟିରେ ରଖି ଆଇଆରସିଟିସି ଯାତ୍ରୀଙ୍କ ସୁବିଧା ପାଇଁ ଏକ ବଡ଼ ଏବଂ ଜରୁରୀ ପଦକ୍ଷେପ ଉଠାଇଛି।

ଇଣ୍ଡକ୍ସନରେ ରୋଷେଇ ପାଇଁ IRCTCର ନିର୍ଦ୍ଦେଶ

ରେଳ ଷ୍ଟେସନରେ ଥିବା ଏହାର ବେସ୍ କିଚେନ (ରୋଷେଇଶାଳା), ଫୁଡ୍ ପ୍ଲାଜା ଏବଂ ଜନ ଆହାର କେନ୍ଦ୍ରରେ ତୁରନ୍ତ ‘ଇଣ୍ଡକ୍ସନ କୁକିଂ’ ଅର୍ଥାତ ବିଜୁଳି ଚୁଲାରେ ଖାଦ୍ୟ ରୋଷେଇ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି, ଯେପରି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଅଭାବ କାରଣରୁ ଟ୍ରେନରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଖାଦ୍ୟ ମିଳିବାରେ କୌଣସି ଅସୁବିଧା ନହେବ।

ପ୍ୟାଣ୍ଟ୍ରି କାର ଏବଂ ଇ-କ୍ୟାଟେରିଂ ଉପରେ ପଡ଼ିଥାନ୍ତା ପ୍ରଭାବ

ରେଲଓ୍ବେ ଅଧିକାରୀଙ୍କ ଅନୁସାରେ, ହଠାତ ଉତ୍ପନ୍ନ ହୋଇଥିବା ଏଭଳି ଏଲପିଜି ସଂକଟ ଯୋଗୁ ଷ୍ଟେସନର ରୋଷେଇରେ ଗ୍ୟାସ ଷ୍ଟକ୍ ଦ୍ରୁତ ଭାବରେ ହ୍ରାସ ହେଉଥିଲା। ଯଥାଶୀଘ୍ର ଏହାର ସମାଧାନ ନହୋଇଥିଲେ, ଅନେକ ପ୍ରମୁଖ ଟ୍ରେନରେ ପ୍ୟାଣ୍ଟ୍ରି କାର ଏବଂ ଇ-କ୍ୟାଟେରିଂ ଦ୍ବାରା ମିଳୁଥିବା ଖାଦ୍ୟ ସେବା ଠପ୍ ହୋଇଥାନ୍ତା। ଏବେ ଷ୍ଟେସନର ବ୍ୟବସାୟୀମାନେ ମଧ୍ୟ ଦ୍ରୁତ ଭାବରେ ବଡ଼ ଇଣ୍ଡକ୍ସନ ଷ୍ଟୋଭ ଏବଂ ବିଜୁଳିରେ ଚାଲୁଥିବା ଉପକରଣର ବ୍ୟବସ୍ଥା କରୁଛନ୍ତି। ଆଇଆରସିଟିସି ସ୍ଥିତି ଉପରେ ଲଗାତାର ନଜର ରଖିଛି। ଏହା ସହ ଇଣ୍ଡକ୍ସନରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ବାରା ଗୁଣବତ୍ତା ଏବଂ ସ୍ବାଦ ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି କହିଛନ୍ତି ଅଧିକାରୀ।

ରେଳଯାତ୍ରୀଙ୍କୁ ଆଶ୍ବସ୍ତି

ସେପଟେ IRCTCର ଏହି ନିଷ୍ପତ୍ତି ପରେ ରେଳଯାତ୍ରୀ ଆଶ୍ବସ୍ତି ମିଳିଛି। ବିଶେଷକରି ଏହାଦ୍ବାରା ଅଧିକ ଦୂରତା ଯାତ୍ରା କରୁଥିବା ଯାତ୍ରୀକୁ ଆଶ୍ବସ୍ତି ମିଳିଛି। ଅନ୍ୟପଟେ, ଷ୍ଟେସନର ଛୋଟ ବ୍ୟବସାୟୀ ଏବଂ କିଚେନ ପରିଚାଳକଙ୍କ କହିବା କଥା ହଠାତ୍ ଇଣ୍ଡକ୍ସନ କୁକିଂ ଆଡ଼କୁ ସିଫ୍ଟ ହେବା ଦ୍ବାରା ଯୋଗୁ ପ୍ରାରମ୍ଭିକ ଭାବରେ ବିଜୁଳି ଉପକରଣ କିଣା ଉପରେ ଅତିରିକ୍ତ ଖର୍ଚ୍ଚ ବୋଝ ପଡ଼ିବ। କିନ୍ତୁ ଲମ୍ବା ଅବଧି ଦୃଷ୍ଟିରୁ ଏହା ଗ୍ୟାସ ସଙ୍କଟ ଭଳି ଜରୁରୀ ପରିସ୍ଥିତିରୁ ମୁକାବିଲା ପାଇଁ ଏକ ସୁରକ୍ଷିତ ଏବଂ ସ୍ଥାୟୀ ବିକଳ୍ପ।

ଆହୁରି ପଢ଼ନ୍ତୁ: ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଆଶ୍ଵାସନା, ଦେଶରେ ତୈଳ ଓ ଗ୍ୟାସର ସଙ୍କଟ ନାହିଁ