LIVE TV

ମୁନୀରଙ୍କ ପାଇଁ ବଦଳିବ ପାକିସ୍ତାନ ସମ୍ବିଧାନ, ବଢିବ କାର୍ଯ୍ୟକାଳ !

NEWS7
now-get-rid-of-₹-35-recharge-180-days-validity-will-be-available-for-only-₹-49

ନୂଆଦିଲ୍ଲୀ,  ୪ |୧୧  : ପାକିସ୍ତାନୀ ସେନାମୁଖ୍ୟ ଅସୀମ୍ ମୁନୀରଙ୍କୁ ଛାଡିବାକୁ ଚାହୁଁ ନାହାଁନ୍ତି ପାକ୍ ନେତା । ଭାରତ ବିରୋଧରେ ଲଗାତାର ଷଡଯନ୍ତ୍ର କରିବା ପରେ ମଧ୍ୟ ତାଙ୍କୁ ଆଉ ଥରେ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏଥିପାଇଁ ସେଠାକାର ସରକାର ସମ୍ବିଧାନକୁ ମଧ୍ୟ ବଦଳାଇବା ପାଇଁ ଯୋଜନା କରୁଥିବା ଜଣାପଡିଛି । ଯାହାର ନେତୃତ୍ୱ ନେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର୍ ଭୁଟ୍ଟୋଙ୍କ ପୁଅ ବିଲଓ୍ୱାଲ ଭୁଟ୍ଟୋ ।

ପିପୁଲ୍ସ  ପାର୍ଟିର ମୁଖ୍ୟ ବିଲଓ୍ୱାଲ ଭୁଟ୍ଟୋ କହିଛନ୍ତି ଯେ, ପାକିସ୍ତାନ ମୁସଲିମ ଲିଗର ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ଶେହଓ୍ୱାଜ ଶରିଫ୍ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରୀଙ୍କୁ ଭେଟିଥିଲେ । ୨୭ ତମ ସମ୍ବିଧାନ ସଂଶୋଧନ ପ୍ରକ୍ରିୟାରେ ସହଯୋଗ କରିବାକୁ ଜର୍ଦ୍ଦାରୀଙ୍କ ପାର୍ଟିକୁ ନିବେଦନ କରିଥିଲେ । ଏନେଇ ନିଜେ ବିଲଓ୍ୱାଲ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ବିଲଓ୍ୱାଲଙ୍କ କହିବାନୁସାରେ, ସମ୍ବିଧାନ ସଂଶୋଧନ ପ୍ରସ୍ତାବରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ଯେଉଁଥିରେ ସାମ୍ବିଧାନିକ କୋର୍ଟ, ବିଚାରପତିଙ୍କ ଅଦଳବଦଳର ନିୟମରେ ସଂଶୋଧନ ହେବ । ରାଜ୍ୟମାନଙ୍କୁ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ସହ ଧାରା ୨୪୩ରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ରହିଛି । ସବୁଠାରୁ ବଡ କଥା ହେଉଛି ଯେ, ଧାରା ୨୪୩ ପାକ୍ ସାମରିକ ଶକ୍ତି ବାବଦରେ ଦର୍ଶାଇଥାଏ । ଯାହାର ପରିବର୍ତ୍ତନ ଅନ୍ୟ ସମସ୍ତ ପ୍ରସଙ୍ଗଠୁ ଅଧିକ ଗୁରୁତ୍ୱ ବହନ କରୁଛି ।

ଧାରା ୨୪୩ ସହ ମୁନୀରଙ୍କ ସମ୍ପର୍କ

ବିଶେଷଜ୍ଞଙ୍କ କହିବା କଥା ହେଲା, ଧାରା ୨୪୩ରେ ପରିବର୍ତ୍ତନ କରାଗଲେ ପାକ୍ ସେନାମୁଖ୍ୟଙ୍କ ସ୍ଥାନ ପକ୍କା ହୋଇଯିବ । ସେ ଆଗାମୀ କିଛି ବର୍ଷ ପାଇଁ ପୁଣି ସେନାମୁଖ୍ୟ ଭାବେ ଅବସ୍ଥାପିତ ରହିପାରିବେ । କାରଣ ତାଙ୍କର କାର୍ଯ୍ୟକାଳ ନଭେମ୍ବର ୨୮ ତାରିଖରେ ଶେଷ ହେବାକୁ ଯାଉଛି । ତାହା ପୂର୍ବରୁ ଧାରାରେ ସଂଶୋଧନ କରାଗଲେ ସେ ଆଉ ବର୍ଷେ ପାଇଁ ସମାନ ଦାୟିତ୍ୱ ତୁଲାଇବେ ।

ସୂଚନାଯୋଗ୍ୟ, ଅସୀମ୍ ମୁନୀର ସେନାମୁଖ୍ୟ ହେଲା ପରେ ଭାରତ ସହ ପାକିସ୍ତାନର ତିକ୍ତତା ଅଧିକ ବଢିଛି । ସେ ଲଗାତାର ଭାବେ ଭାରତ ବିରୋଧରେ ବୟାନବାଜି କରିଥାନ୍ତି । ଏପରିକି ପହଲଗାମ୍ ଆକ୍ରମଣ ପଛରେ ତାଙ୍କର ପରୋକ୍ଷ ହାତ ଥିବା ଅଭିଯୋଗ ହୁଏ ।