ସରକାରୀ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ପାଳନକୁ କଢ଼ା ନିର୍ଦ୍ଦେଶ: ଏବେ ଏହି ସଂସ୍ଥାନରୁ ପ୍ରଦତ୍ତ PGDCA ଓ DCA ସର୍ଟିଫିକେଟ୍ ହିଁ କାମରେ ଲାଗିବ

NEWS7
now-couple-are-having-this-test-before-marriage

ଭୁବନେଶ୍ୱର: ରାଜ୍ୟରେ ସରକାରୀ, ଅର୍ଦ୍ଧ–ସରକାରୀ ଓ PSU ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ସମ୍ପର୍କିତ ନିୟମକୁ ସଠିକ୍ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର କଢ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ୨୭ ଜାନୁଆରୀ ୨୦୨୬ ତାରିଖରେ ଜାରି ହୋଇଥିବା ସରକାରୀ ପତ୍ରରେ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ରେଭେନ୍ୟୁ ଡିଭିଜନାଲ୍ କମିଶନର ଓ ଜିଲ୍ଲାପାଳମାନଙ୍କୁ ଏହି ନିୟମ କଢ଼ାକଡ଼ି ଭାବେ ପାଳନ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି।

ସରକାରୀ ପତ୍ରରେ ୮ ଫେବୃଆରୀ ୨୦୨୧ ତାରିଖରେ ଜାରି ହୋଇଥିବା ନୋଟିଫିକେସନକୁ ଉଦ୍ଧୃତ କରାଯାଇଛି। ସେହି ନୋଟିଫିକେସନ୍ ଅନୁଯାୟୀ, ଓଡ଼ିଶା ଜ୍ଞାନ କର୍ପୋରେସନ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କମ୍ପ୍ୟୁଟର ପାଠ୍ୟକ୍ରମ (OS-CIT) କୁ ସରକାରୀ ନିଯୁକ୍ତି ପାଇଁ ମୌଳିକ କମ୍ପ୍ୟୁଟର ଦକ୍ଷତାର ଏକ ମାନ୍ୟତାପ୍ରାପ୍ତ ଓ ଭରସାଯୋଗ୍ୟ ପ୍ରମାଣ ଭାବେ ସ୍ୱୀକୃତି ଦିଆଯାଇଛି।

ପତ୍ରରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, UGC କିମ୍ବା AICTE ସ୍ୱୀକୃତ ସଂସ୍ଥାରୁ ପ୍ରଦତ୍ତ PGDCA ଓ DCA ସାର୍ଟିଫିକେଟ୍, ଏବଂ NIELIT ‘O’ ଲେଭେଲ୍ ଯେଉଁଠାରେ କମ୍ପ୍ୟୁଟର ଯୋଗ୍ୟତା ନିର୍ଦ୍ଦିଷ୍ଟ ରହିଛି, ସେଠାରେ OS-CIT ପାଠ୍ୟକ୍ରମକୁ ସମତୁଲ୍ୟ ଯୋଗ୍ୟତା ଭାବେ ଗ୍ରହଣ କରାଯିବ।

ସରକାରଙ୍କ ଏହି ସ୍ପଷ୍ଟିକରଣ ଦ୍ୱାରା ସରକାରୀ ଚାକିରି ଆକାଂକ୍ଷୀମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର ହେବ ଏବଂ ରାଜ୍ୟସ୍ତରୀୟ କମ୍ପ୍ୟୁଟର ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିଥିବା ପ୍ରାର୍ଥୀମାନେ ନିଯୁକ୍ତି ପ୍ରକ୍ରିୟାରେ ସମାନ ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି।