LIVE TV
LIVE TV

ଆତଙ୍କୀସ୍ତାନକୁ ଭୟ ଆତଙ୍କବାଦ; ଟିଟିପିର ଆକ୍ରମଣରେ ୨ ପୋଲିସ ଅଧିକାରୀଙ୍କ ସମେତ ୫ ମୃତ

NEWS7
now-advertiser-bars-deepika

ଇସଲାମାବାଦ: ପାକିସ୍ତାନର ଟେନସନ୍ ବଢ଼ାଉଛି ଟିଟିପି । ତେହେରିକ-ଏ-ତାଲିବାନ (ଟିଟିପି) ପୁଣି ଥରେ ଖାଇବର ପଖତୁନଖ୍ୱା ପ୍ରଦେଶରେ ଆକ୍ରମଣ କରିଛି । ଟିଟିପି ଆତଙ୍କବାଦୀମାନେ ପ୍ରଦେଶର ବାନୁ ଜିଲ୍ଲାରେ ଉତ୍ତର ୱାଜିରିସ୍ତାନର ଆସିଷ୍ଟାଣ୍ଟ କମିଶନର ଶାହ ୱାଲିଙ୍କ ଗାଡ଼ିକୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣରେ ଶାହ ଓ୍ବାଲିଙ୍କ ସମେତ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଛି । ବଲୁଚିସ୍ତାନରେ ପାକିସ୍ତାନ ସେନା ୩ ଜଣ ଟିଟିପି ଆତଙ୍କବାଦୀଙ୍କୁ ହତ୍ୟା କରିବାର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି ।

ପାକିସ୍ତାନରେ ‘ଫିତନା-ଅଲ୍ ଖ୍ବାରିଜ୍’ ନାଁରେ ଜଣାଶୁଣା ଟିଟିପି ଇସଲମାବାଦ ଦ୍ବାରା ପ୍ରତିବନ୍ଧିତ ଆତଙ୍କବାଦୀ ଗୋଷ୍ଠୀ । ବଲୁଚିସ୍ତାନରେ ପାକିସ୍ତାନ ସେନାର କାର୍ଯ୍ୟାନୁଷ୍ଠାନ ପରେ ପୁଣି ଥରେ ରକ୍ତମୁଖା ହୋଇଉଠିଛନ୍ତି ଟିଟିପି ଆତଙ୍କବାଦୀ । ଗତକାଲି ନୋକୁଣ୍ଡିରେ ଥିବା ଫ୍ରଣ୍ଟିୟର କର୍ପସ୍ର ମୁଖ୍ୟ ପାଠକ ନିକଟରେ ବୋମା ବିସ୍ଫୋରଣ ହୋଇଥିଲା। ଏହି ଆତ୍ମଘାତୀ ବିସ୍ଫୋରଣ ଚହଳ ସୃଷ୍ଟି କରିଥିଲା । ଏହା ପରେ ପ୍ରାୟ ୬ ସଶସ୍ତ୍ର ଆତଙ୍କବାଦୀ ଫ୍ରଣ୍ଟିୟର କର୍ପସ୍ର କାର୍ଯ୍ୟାଳୟ ଭିତରେ ପଶି ଯାଇଥିଲେ । ସେପଟେ ସମାନ ସମୟରେ ପଞ୍ଜଗୁର ଜିଲ୍ଲାରେ ଏକ ଚେକପୋଷ୍ଟରେ ମଧ୍ୟ ବିସ୍ଫୋରଣ ହୋଇଥିଲା ।

ଇସଲାମାବାଦ ସହିତ ନଭେମ୍ବର ୨୦୨୨ରେ ଯୁଦ୍ଧବରତି ସମାପ୍ତ ହେବା ପରଠାରୁ ବଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ବାରେ ଟିଟିପି କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଗତ ନଭେମ୍ବର ୨୯ରେ କ୍ବେଟା ଏବଂ ଡେରା ମୁରାଦ ଜମାଲିରେ ସିରିଜ୍ ବିସ୍ଫୋରଣ ଘଟିଥିଲା । ଏକାଥରେ ୭ଟି ସ୍ଥାନରେ ବିସ୍ଫୋରଣ କରିଥିଲେ ଟିଟିପି ଆତଙ୍କବାଦୀ । ଏହି ବସ୍ଫୋରଣରେ ରେଳ ଟ୍ରାକ୍ ଧ୍ବଂସ ହୋଇଥିଲା ଏବଂ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ତେବେ ଆତଙ୍କୀସ୍ତାନ ଲାଗି ଏବେ ଚିନ୍ତା ଆତଙ୍କବାଦ । ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ବିଶ୍ବସ୍ତରରେ ଅପଦସ୍ତ ହୋଇଆସିଥିବା ପାକିସ୍ତାନରେ ଟିଟିପି ଆତଙ୍କବାଦୀ ଆତଙ୍କରାଜ ଜାରି ରହିଛି ।