VSR ଭେଞ୍ଚର୍ସ ବିରୋଧରେ DGCAଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ବିମାନ ଉଡାଣ ଉପରେ ଲଗାଇଲେ ରୋକ

NEWS7
not-even-given-time-to-wear-clothes-the-police-brought-the-girl-to-the-police-station-abusing

ନୂଆଦିଲ୍ଲୀ ୨୪।୨: ମହାରାଷ୍ଟ୍ର ବାରାମତୀରେ ୨୮ ଜାନୁୟାରୀ ୨୦୨୬ରେ ହୋଇଥିବା ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁର ପାଖାପାଖି ମାସକ ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଏହି ବିମାନ ସଞ୍ଚାଳନ କରୁଥିବା ଭିଏସଆର ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀର ୪ଟି ଲିୟରଜେଟ୍ ବିମାନଙ୍କ ଉଡାଣ ତତ୍କାଳ ପ୍ରଭାବରେ ରୋକି ଦେଇଛନ୍ତି। ଡିଜିସିଏ ଏହି ବିମାନ କମ୍ପାନୀର ବିସ୍ତୃତ ସୁରକ୍ଷା ଅଡିଟ କରାଇଥିଲେ। ବହୁ ବିଷୟକ ଅଡିଟ ଟିମ୍ ନିୟମ ପାଳନରେ ଗୁରୁତର ତ୍ରୁଟି ଥିବା ଜାଣିବା ପରେ ଏହି ପଦକ୍ଷେପ ନିଆଯାଇଛି।

ଅଡିଟ ଟିମ୍ ବିମାନର ଏୟାର ୱର୍ଥନେସ୍, ଉଡାଣ ସୁରକ୍ଷା ଓ ଫ୍ଲାଇଟ ଅପରେସନ ସମ୍ପର୍କିତ ସ୍ୱୀକୃତ ନିୟମ ପାଳନରେ ଗୁରୁତର ତ୍ରୁଟି ଥିବା ଜାଣିବାକୁ ପାଇଛନ୍ତି। ଏଣୁ କମ୍ପାନୀର ୪ଟି ଲିୟରଜେଟ୍ ବିମାନଙ୍କ ଉଡାଣ ଉପରେ ତତ୍କାଳ ପ୍ରଭାବ ରୋକ ଲଗାଇ ଦେଇଛନ୍ତି। ଏଥିରେ ଲିୟରଜେଟ୍ ବିମାନ ୪୪/୪୫ ମଡେଲର ଭିଟି-ଭିଆରଏ, ଭିଟି-ଭିଆରଏସ୍, ଭିଟି-ଭିଆରଭି ଓ ଭିଟି-ଟିଆରଆଇକୁ ଗ୍ରାଉଣ୍ଡ କରାଇ ଦେଇଛନ୍ତି। ଏହି ବିମାନଗୁଡିକ ସେ ପର୍ଯ୍ୟନ୍ତ ଉଡି ପାରିବେନି ଯେଉଁ ପର୍ଯ୍ୟନ୍ତ ବିମାନ ଯୋଗ୍ୟତାର ଆବଶ୍ୟକ ମାନକ ପୁରା ନ କରାଯାଇଛି।

ଏ ନେଇ ଡିଜିସିଏ କମ୍ପାନୀକୁ ‘ଡିଫିସିଏନ୍ସି ରିପୋର୍ଟିଂ ଫର୍ମ’ ଜାରି କରିଛନ୍ତି ଓ ମୂଳ କାରଣ ବିଶ୍ଲେଷଣ ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଡିଜିସିଏଙ୍କୁ ଏହି ରିପୋର୍ଟ ମିଳିବା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଧାରଣ କରାଯିବ। ଡିଜିସିଏ ଦୃଢତାର ସହ କହିଛନ୍ତି ଯେ ‘ସୁରକ୍ଷା ମାନକ ସହିତ କୌଣସି ପ୍ରକାରର ବୁଝାମଣା କରାଯିବନି’। ଉଲ୍ଲେଖଯୋଗ୍ୟ ଯେ ୨୮ ଜାନୁୟାରୀ ପୂର୍ବାହ୍ନରେ ଅଜିତ ପାୱାରଙ୍କୁ ନେଇ ଯାତ୍ରା କରୁଥିବା ଲିୟରଜେଟ୍ ବିମାନଟି ଅବତରଣ କରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏହି ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ତାଙ୍କ କର୍ମଚାରୀ ଓ ବିମାନର ସମସ୍ତ କ୍ରୁ ମେମ୍ବର ପ୍ରାଣ ହରାଇଥିଲେ।