ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ବାର୍ଷିକ ପ୍ରେସ୍ କନଫରେନ୍ସରେ ଘଟିଲା ମଜାଦାର ଘଟଣା, ବାନ୍ଧବୀଙ୍କୁ ପ୍ରପୋଜ କଲେ ସାମ୍ବାଦିକ

NEWS7
nobel-prize-in-chemistry-awarded-to-three-scientists

ମସ୍କୋ ୨୦।୧୨: ଋଷିଆ ରାଷ୍ଟ୍ରପତିଙ୍କ ବାର୍ଷିକ ସାମ୍ବାଦିକ ସମ୍ମିଳନୀ ପ୍ରାୟ ଚର୍ଚ୍ଚାରେ ଥାଏ। ବର୍ଷ ଶେଷରେ ଅନୁଷ୍ଠିତ ହେଉଥିବା ଏହି ଦୀର୍ଘ ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମରେ ପ୍ରାୟତଃ ଜଟିଳ ବୈଦେଶିକ ନୀତି, ବ୍ୟକ୍ତିଗତ ଜୀବନ ସମ୍ପର୍କିତ ଅଜବ ପରାମର୍ଶ ଓ କେବେ କେବେ କାବ୍ୟାତ୍ମକ ଟିପ୍ପଣୀ ହୋଇଥାଏ। ତେବେ ଚଳିତବର୍ଷର କାର୍ଯ୍ୟକ୍ରମ ବିଗତବର୍ଷମାନଙ୍କଠାରୁ ଭିନ୍ନ ରହିଛି। ଏଥିରେ ଏହି ସାର୍ବଜନିକ ମଞ୍ଚକୁ ଉପଯୋଗ କରି ଜଣେ ସାମ୍ବାଦିକ ତାଙ୍କ ବାନ୍ଧବୀଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ବେଳେ ସେ ଏହାକୁ ସ୍ୱୀକାର କରିଛନ୍ତି। ରାଷ୍ଟ୍ରପତି ପୁଟିନଙ୍କ ସାମ୍ନାରେ ଦିଆଯାଇଥିବା ଏହି ପ୍ରସ୍ତାବ ସ୍ୱୀକୃତ ହୋଇଥିବା ବେଳେ ସାମ୍ବାଦିକ ବିବାହୋତ୍ସବକୁ ପୁଟିନଙ୍କୁ ନିମନ୍ତ୍ରଣ କରିଛନ୍ତି।

ସାମ୍ବାଦିକ କିରିଲ ବାଜାନୋଭ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, ସେ ଜାଣିଥିଲେ ତାଙ୍କ ବାନ୍ଧବୀ ଟେଲିଭିଜନରେ ଏହି କାର୍ଯ୍ୟକ୍ରମ ଦେଖୁଥିବେ। ସାରା ବିଶ୍ୱରେ ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମକୁ ଯୁବ ସାମ୍ବାଦିକ ତାଙ୍କ ବିବାହ ପ୍ରସ୍ତାବରେ ବଦଳାଇ ଦେଇଛନ୍ତି। ଏହା ପରେ ସେ ରାଷ୍ଟ୍ରପତିଙ୍କୁ ପ୍ରଶ୍ନ କରିଥିଲେ। ୨୩ ବର୍ଷ ବୟଷ୍କ ସାମ୍ବାଦିକ କ୍ୟାମେରା ଆଗରେ ମିଳିଥିବା ସୁଯୋଗକୁ ତାଙ୍କ ବାନ୍ଧବୀଙ୍କୁ ପ୍ରପୋଜ କରିବା ଲାଗି ଉପଯୋଗ କରିଛନ୍ତି। ବାଜନୋଭଙ୍କୁ ଯେମିତି ସୁଯୋଗ ମିଳିଲା ସରପ୍ରାଇଜ ଆରମ୍ଭ କରି କହିଥିଲେ ‘ମୋ ଗାର୍ଲ ଫ୍ରେଣ୍ଡ ଏହି କାର୍ଯ୍ୟକ୍ରମକୁ ଦେଖୁଛନ୍ତି’, କିଛି ସମୟ ଅଟକି ଯାଇ ସେ ପଚାରିଥିଲେ ‘ଓଲେଚକା ମୋତେ ବିବାହ କରିବ କି? ଦୟାକରି ମୋତେ ବିବାହ କର...ମୁଁ ତୁମକୁ ପ୍ରପୋଜ କରୁଛି’। ତାଙ୍କର ଏହି ଅନ ଏୟାର ପ୍ରସ୍ତାବକୁ ହଲରେ ଉପସ୍ଥିତ ଲୋକେ କରତାଳିରେ ସମର୍ଥନ କରିଥିଲେ।

ଲାଲ ବୋ ଟାଇ ପିନ୍ଧିଥିବା ଓ ‘ଆଇ ୱାଣ୍ଟ ଟୁ ଗେଟ୍ ମ୍ୟାରେଡ’ ପ୍ଲାକାର୍ଡ ଧରିଥିବା ବେଜନୋଭ ଦର୍ଶକ ଗ୍ୟାଲେରୀରେ ବସିଥିଲେ। ତାଙ୍କ ଉପରେ ପୁଟିନଙ୍କ ନଜର ପଡିବାରୁ ପ୍ରଶ୍ନ କରିବାର ଅନୁମତି ମିଳିଯାଇଥିଲା। ବାଜନୋଭଙ୍କ ଏହି ପ୍ରସ୍ତାବରେ ଋଷିଆରେ ଜୀବନ ଯାପନ ବ୍ୟୟ ସମ୍ପର୍କିତ ପ୍ରଶ୍ନ ମଧ୍ୟ ଲୁଚି ରହିଥିଲା। କୁହାଯାଉଛି ସେ ଓ ତାଙ୍କ ମହିଳା ବନ୍ଧୁ ଗତ ୮ ବର୍ଷ ହେଲା ସମ୍ପର୍କରେ ଅଛନ୍ତି। ହେଲେ ଆର୍ଥିକ ପରିସ୍ଥିତି ଯୋଗୁ ପରିବାର ବସାଇବାକୁ ସାହସ କରିପାରୁନାହାନ୍ତି। ସେ ବିବାହ ଉତ୍ସବରେ ଯୋଗ ଦେବାକୁ ପୁଟିନଙ୍କୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ତେବେ ପୁଟିନ ଏଥିରେ ଯୋଗଦେବେ କି ନା ତାହା ସ୍ପଷ୍ଟ କରିନଥିଲେ ମଧ୍ୟ ଆର୍ଥିକ ସହାୟତା କରିବେ ବୋଲି କହିଛନ୍ତି।

ପୁଟିନ କହିଛନ୍ତି ଯେ କିରିଲ ଏବେ ଯୁବ ପରିବାରଙ୍କ ଆର୍ଥିକ ସ୍ଥିତି ସମ୍ପର୍କରେ ପ୍ରଶ୍ନ କରୁଥିଲେ ଓ ଏହା ମଧ୍ୟ ସତ୍ୟ। ଜଣେ ପୁରୁଷ ପରିବାର ପାଳନ ପୋଷଣ କରିପାରୁଥିବା ଦରକାର। ଏଥିରେ ଆମେ ଟୋପି ବୁଲେଇ ତାଙ୍କ ବିବାହ ନିମନ୍ତେ ପର୍ଯ୍ୟାପ୍ତ ଆର୍ଥିକ ବ୍ୟବସ୍ଥା କରିଦେଇ ପାରିବା, ହେଲେ ତାଙ୍କ ପରିବାରର ଭରଣପୋଷଣ କେମିତି କରାଯିବ?ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପାଖାପାଖି ଘଣ୍ଟାକ ପରେ ହୋଷ୍ଟ ଏକ ଅପଡେଟ୍ ଦେଇଥିଲେ। ଏଥିରେ ସେ କିରିଲ ବେଜନୋଭଙ୍କ ପ୍ରସ୍ତାବକୁ ତାଙ୍କ ଗାର୍ଲ ଫ୍ରେଣ୍ଡ ସ୍ୱୀକାର କରିଥିବା ସମ୍ବାଦ ସରବରାହ ସଂସ୍ଥା ‘ଟାସ୍’ ସୂତ୍ରରୁ ଘୋଷଣା କରିଥିଲେ। ଏଣୁ ଏହି ଦୀର୍ଘ କାର୍ଯ୍ୟକ୍ରମରେ ବିବାହ ପ୍ରସ୍ତାବ ଏକ ଅନନ୍ୟ କ୍ଷଣ ପାଲଟିଥିଲା। ହଲରେ ସମସ୍ତେ ଏହି ଘୋଷଣାକୁ କରତାଳିରେ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ପୁଟିନ ମଧ୍ୟ ତାଳି ବଜାଇଥିଲେ।

ଅଧିବେଶନ ଶେଷ ବେଳକୁ ଜନୈକ ସାମ୍ବାଦିକ ଏହା ମନେ ପକାଇ ଦେଇଥିଲେ ପୁଟିନ ପୂର୍ବରୁ କହିସାରିଛନ୍ତି ଯେ ପ୍ରଥମ ଦେଖାରେ ପ୍ରେମକୁ ସେ ବିଶ୍ୱାସ କରନ୍ତି, ଏଣୁ ସାମ୍ବାଦିକ ପ୍ରଶ୍ନ କରିଥିଲେ ଏହି ସମୟରେ ରାଷ୍ଟ୍ରପତି କାହା ପ୍ରେମରେ ଅଛନ୍ତିକି? ନିଜ ବ୍ୟକ୍ତିଗତ ଜୀବନର ଗୋପନୀୟ ରଖୁଥିବା ଋଷିଆ ରାଷ୍ଟ୍ରପତି ସଂକ୍ଷେପରେ କହିଛନ୍ତି ‘ହଁ’।