ତେଜସ୍ୱୀ ଘୋଷାଲକର ହୋଇ ପାରନ୍ତି ମୁମ୍ବାଇର ଆଗାମୀ ମେୟର, ଜାଣନ୍ତୁ କିଏ?

NEWS7
niti-aayog-meeting-2018-at-delhi

ମୁମ୍ବାଇ ୧୬।୧: ବୃହନ୍ମୁମ୍ବାଇ ନଗରନିଗମ (ବିଏମସି)ର ଆଗାମୀ ମେୟର ବିଜେପି ନେତ୍ରୀ ତେଜସ୍ୱୀ ଘୋଷାଲକର ହୋଇ ପାରନ୍ତି। ବିଏମସି ନିର୍ବାଚନରେ ସେ ଦହିସର ୱାର୍ଡନମ୍ବର ୨ରୁ ବିପୁଳ ବିଜୟ ହାସଲ କରିଛନ୍ତି। ଏହି ବିଜୟ ପରେ ତାଙ୍କୁ ଏବେ ମୁମ୍ବାଇର ମେୟର ପଦବୀ ନିମନ୍ତେ ଜଣେ ସମ୍ଭାବିତ ପ୍ରାର୍ଥୀ ମନେ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ବିଏମସି ନିର୍ବାଚନର ଠିକ ପୂର୍ବରୁ ତେଜସ୍ୱୀ ଶିବସେନା(ୟୁବିଟି) ଛାଡି ବିଜେପିରେ ଯୋଗ ଦେଇଥିଲେ। ପାର୍ଟି ସୂତ୍ର ଅନୁସାରେ ତେଜସ୍ୱୀଙ୍କ ବଢୁଥିବା ଲୋକପ୍ରିୟତା, ଜନତାଙ୍କ ସମର୍ଥନ ଓ ମଜଭୁତ ରାଜନୈତିକ ପ୍ରଭାବ ତାଙ୍କୁ ମେୟର ପଦବୀ ନିମନ୍ତେ ଜଣେ ମଜଭୁତ ଦାବିଦାର କରୁଛି।

ତେଜସ୍ୱୀ ଘୋଷାଲକର ବରିଷ୍ଠ ଶିବସେନା ନେତା ତଥା ପୂର୍ବତନ ବିଧାୟକ ବିନୋଦ ଘୋଷାଲକରଙ୍କ ବୋହୂ। ସେ ୨୦୧୭ ବିଏମସି ନିର୍ବାଚନରେ ତତ୍କାଳୀନ ଅବିଭାଜିତ ଶିବସେନା ଟିକଟରେ ୧ ନମ୍ବର ୱାର୍ଡରୁ ଜିତିଥିଲେ। ସେବେଠାରୁ ସେ ରାଜନୀତିରେ ସକ୍ରିୟ ଅଛନ୍ତି। ତେଜସ୍ୱୀଙ୍କ ସ୍ୱାମୀ ଅଭିଷେକ ଘୋଷାଲକର ଯିଏ ମୁମ୍ବାଇ ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ଡାଇରେକ୍ଟର ମଧ୍ୟ ଥିଲେ। ୨୦୨୨ ମସିହାରେ ଏକ ଫେସବୁକ୍ ଲାଇଭ ସେସନ କାଳରେ ଅଭିଷେକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ମହାରାଷ୍ଟ୍ରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ଅଭିଷେକ ଘୋଷାଲକରଙ୍କ ହତ୍ୟା ପରେ ତେଜସ୍ୱୀଙ୍କୁ ସେହି ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସ ରେ ସାମିଲ କରାଯାଇଥିଲା। ଏହି ଘଟଣା ତେଜସ୍ୱୀଙ୍କୁ ରାଜନୀତିରେ ଏକ ନୂଆଦିଗରେ ଚାଲିବାକୁ ପ୍ରେରିତ କଲା ଓ ତାଙ୍କର ପାର୍ଟି ବଦଳେଇବାର ଅଙ୍କକଷା ଆରମ୍ଭ ହୋଇଥିଲା। ତେଜସ୍ୱୀ ଘୋଷଲକାର ୨୦୨୨ରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ଏବେ ତାଙ୍କ ବିଜୟ ସହିତ ବିଜେପିରେ ତାଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି ଓ ମୁମ୍ବାଇ ମେୟର ପଦବୀ ଦୌଡରେ ତାଙ୍କ ନାମ ଆଗରେ ରହିଛି।