ବୋଲେରୋକୁ ଧକ୍କା ଦେଲା ଟ୍ରେଲର, ୫ ପୋଲିସ କର୍ମଚାରୀ ମୃତ

NEWS7
nita-ambani-joins-newyork-metro-politian-museums

ଝାରସୁଗୁଡା, ୨୨/୦୨ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜୀବନ ହାରିଲେ ପୋଲିସ ଅଧିକାରୀ । ଝାରସୁଗୁଡା ଜିଲ୍ଲାରେ ଏକ ବୋଲେରୋ ଏବଂ ଟ୍ରେଲର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । ବୋଲେରୋରେ ଥିବା ୫ ପୋଲିସ ଅଧିକାରୀ ଏଥିରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ଝାରସୁଗୁଡା ସଦର ଥାନା ସମ୍ମୁଖରେ ରବିବାର ଭୋର ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦ୍ରୁତଗାମୀ ଟ୍ରେଲର ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ପୋଲିସ କର୍ମଚାରୀମାନେ ଜୀବନ ହାରିଛନ୍ତି। ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

କୁହାଯାଉଛି ଯେ, ଭୋର ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବେପାରୁଆ ଟ୍ରେଲର ସହ ପୋଲିସ ବୋଲେରୋ ମୁହାଁମୁହିଁ ହୋଇଥିଲା । ଏହାର ଭୟାବହତା ଏତେ ଥିଲା ଯେ ବୋଲେରୋ ଗାଡିଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି। ସ୍ଥାନୀୟ ଲୋକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରୁ ମୃତଦେହଗୁଡିକୁ ବାହାର କରିଥିଲେ। ଆହତମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମୃତକମାନେ ହେଲେ କାଶୀରାମ ଭୋଇ, ନିରଞ୍ଜନ କୁଜୁର (ଡ୍ରିଲ ସବ-ଇନ୍ସପେକ୍ଟର), ଦେବଦତ୍ତ ସା, ଲିଙ୍ଗରାଜ ଧୂରୁଆ, ଭକ୍ତବନ୍ଧୁ ମିର୍ଧା (ହୋମ ଗାର୍ଡ)। ସେହିପରି ଆହତମାନେ ହେଲେ ଦୁବରାଜ ମିରିଗ, ଆକାଶ ନାଏକ, ରାଜୀବ ଭରସାଗର ।

ଖବର ପ୍ରସାରିତ ହେବା ପରେ ପୋଲିସ ବିଭାଗ ଓ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଟ୍ରଲର ଚାଳକଙ୍କୁ ଅଟକ ରଖାଯାଇଥିବାବେଳେ ଗାଡିଟିକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।