ଅଜିତ ପାୱାରଙ୍କ ମୃତ୍ୟୁର ଦୁଃଖରେ ରାଜନୀତି ନ କରନ୍ତୁ, ଶରଦ ପାୱାର କହିଲେ- କିଛି ଲୋକ ଜାଣିଶୁଣି ଷଡ଼ଯନ୍ତ୍ର କରୁଛନ୍ତି

NEWS7
nisikant-kamat-died-at-the-age-of-50

ମୁମ୍ବାଇ ୨୮।୧: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦ) ଜାତୀୟ ସଭାପତି ଶରଦ ପାୱାର ବୁଧବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଗଭୀର ଦୁଃଖବ୍ୟକ୍ତ କରିଛନ୍ତି। ସେ ସ୍ପଷ୍ଟ ରୂପେ କହିଛନ୍ତି ଯେ ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା, ଏଥିରେ କୌଣସି ରାଜନୀତି ନାହିଁ। ଶରଦ ପାୱାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ‘ଏହି ଯେଉଁ ଦୁର୍ଘଟଣା ହୋଇଛି ଅତ୍ୟନ୍ତ ଦୁଃଖଦ। ଜଣେ କର୍ତ୍ତବ୍ୟପରାୟଣ ଓ ପରିଶ୍ରମି ବ୍ୟକ୍ତିଙ୍କ ବିୟୋଗ ମହାରାଷ୍ଟ୍ରର କ୍ଷତି ହୋଇଛି। ଏହା ଯେଉଁ କ୍ଷତି ତାହା ଅପୂରଣୀୟ।

ସେ କହିଛନ୍ତି ଯେ ଆଜି ସବୁ ଜିନିଷ ଆମ ହାତରେ ନାହିଁ। ମୁଁ ଆଜି ବିନାୟକ ରାଓଙ୍କୁ ଭେଟିଥିଲି, ତାଙ୍କ ସହ କଥାବାର୍ତ୍ତା ହୋଇଛି। କିଛି ଦୁଷ୍ଟ ଶକ୍ତି ଏହା ପଛରେ କିଛି ରାଜନୀତି ତ ନାହିଁ, ଜାଣି ଶୁଣି ଏ ପ୍ରକାର ସନ୍ଦେହ ସମାଜରେ ବ୍ୟାପ୍ତ କରୁଛନ୍ତି। ଏଥିରେ ଆଦୌ ରାଜନୀତି ନାହିଁ, ଏହା କେବଳ ଏକ ଦୁର୍ଘଟଣା। ଏହାର ପିଡ଼ା ମହାରାଷ୍ଟ୍ର ଓ ଆମ ସମସ୍ତଙ୍କୁ ବ୍ୟଥିତ କରୁଛି। ଦୟାକରି ଏଥିରେ ରାଜନୀତି କରନ୍ତୁନି, ଏହା ମୋର ଆପଣମାନଙ୍କୁ ନିବେଦନ ବୋଲି ଶରଦ ପାୱାର କହିଛନ୍ତି। ସେ କହିଛନ୍ତି ଯେ ଏହି ଦୁର୍ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର ଅଥବା ରାଜନୈତିକ ଷଡ଼ଯନ୍ତ୍ର ନାହିଁ। ତେବେ କିଛି ଲୋକେ ସୋସିଆଲ ମିଡିଆ ଓ ଅନ୍ୟ ମାଧ୍ୟମରେ ଷଡ଼ଯନ୍ତ୍ରର ଗୁଜବ ରଟଉଛନ୍ତି।

ଶରଦ ପାୱାର ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ କରି ‘ଅଜିତ ପାୱାରଙ୍କ ଅଚାନକ ମୃତ୍ୟୁ ମହାରାଷ୍ଟ୍ର ଲାଗି ଏକ ବହୁତ ବଡ଼ ଝଟକା। ରାଜ୍ୟ ଆଜି ଜଣେ ଦକ୍ଷ ଓ ନିର୍ଣ୍ଣାୟକ ନେତାକୁ ହରାଇଛି। ଯେଉଁ କ୍ଷତି ହୋଇଛି ତାହା ପୁରଣ ହୋଇ ପାରିବନି। ହେଲେ ସବୁ ଆମ ହାତ କଥା ନୁହେଁ’। ଶରଦ ପାୱାର କହିଛନ୍ତି ଯେ ମୁଁ ଆଜି ସାମ୍ବାଦିକଙ୍କ ଗହଣକୁ ଯିବି ନାହିଁ ବୋଲି ଚିନ୍ତା କରିଥିଲି। ହେଲେ ଜାଣିବାକୁ ପାଇଲି କିଛି ମିଡିଆ ଆଉଟଲେଟ୍ କୋଲକାତାରୁ ଏହି ଷ୍ଟାଣ୍ଡ ନେଇଛନ୍ତି ଯେ ଏହି ଦୁର୍ଘଟଣା ପଛରେ କିଛି ରାଜନୀତି ଥାଇପାରେ। ତେବେ ଏଥିରେ କୌଣସି ରାଜନୀତି ନାହିଁ, ଏହା ସମ୍ପୂର୍ଣ୍ଣ ରୂପେ ଏକ ଦୁର୍ଘଟଣା। ଏହି ମୃତ୍ୟୁର ଦୁଃଖ ସମଗ୍ର ମହାରାଷ୍ଟ୍ରକୁ ଓ ଆମ ସମସ୍ତଙ୍କୁ ହେଉଛି। ମୋର କେବଳ ଏତିକି କହିବା କଥା ଦୟା କରି ଏଥିରେ ରାଜନୀତି ପୁରାନ୍ତୁ ନାହିଁ।

ଶରଦ ପାୱାରଙ୍କ ଏହି ବୟାନ ବୁଧବାର ବାରାମତୀରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଆସିଛି। ଏହି ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ବିମାନରେ ଥିବା ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇରୁ ବାରାମତୀ ଯାଉଥିବା ଚାର୍ଟାଡ ବିମାନ ଅବତରଣ ପାଇଁ ଦ୍ୱିତୀୟ ଉଦ୍ୟମରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘନ କୁହୁଡି ଓ ଅଳ୍ପ ଦୃଶ୍ୟତା (ପାଖାପାଖି ୮୦୦ ମିଟର) ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି। ବିମାନ ରନୱେରୁ ଖସଡି କୃଷିକ୍ଷେତ୍ରକୁ ଚାଲିଯାଇଥିଲା ଓ ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା। ମୃତକଙ୍କମଧ୍ୟରେ ଅଜିତ ପାୱାର, ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଭିଦୀପ ଯାଦବ, ଏୟାର ହୋଷ୍ଟେସ୍ ପିଙ୍କି ମାଲି, ପାଇଲଟ ସୁମିତ କପୁର ଓ ସହ ପାଇଲଟ ଶାମ୍ଭବୀ ପାଠକ ଅଛନ୍ତି।